ଯୌନ ନିର୍ଯାତନାରୁ ବର୍ତ୍ତିବାକୁ ଚଳନ୍ତି ବସରୁ ଡେଇଁଲେ ମା’ଝିଅ; ଝିଅ ମରିଗଲା

ଚଣ୍ଡିଗଡ଼: ଯୌନ ନିର୍ଯାତନାରୁ ବର୍ତ୍ତିବାକୁ ଯାଇ ଚଳନ୍ତି ବସରୁ ଡେଇଁ ପଡ଼ିବାରୁ ପଞ୍ଜାବରେ ଜଣେ ୧୪ ବର୍ଷର ବାଳିକା ପ୍ରାଣ ହରାଇଥିବା ବେଳେ ତାଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଥିଲା ବୁଧବାର ରାତିରେ ମୋଗା ସହର ନିକଟସ୍ଥ ମୋଗା-ଭଟିଣ୍ଡା ଜାତୀୟ ରାଜପଥରେ। ୩୫ ବର୍ଷୀୟ ମହିଳା ଜଣଙ୍କ ତାଙ୍କ ଝିଅ ଓ ପୁଅ ସହିତ ଏକ ଏସି ବସରେ ଯାତ୍ରା କରୁଥିଲେ। ବସରେ ଥିବା କିଛି ଯୁବକ ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ଇଙ୍ଗିତ […]

molestation

Rakesh Mallick
  • Published: Thursday, 30 April 2015
  • , Updated: 30 April 2015, 05:18 AM IST

ଚଣ୍ଡିଗଡ଼: ଯୌନ ନିର୍ଯାତନାରୁ ବର୍ତ୍ତିବାକୁ ଯାଇ ଚଳନ୍ତି ବସରୁ ଡେଇଁ ପଡ଼ିବାରୁ ପଞ୍ଜାବରେ ଜଣେ ୧୪ ବର୍ଷର ବାଳିକା ପ୍ରାଣ ହରାଇଥିବା ବେଳେ ତାଙ୍କ ମାଆ ଗୁରୁତର ଆହତ ହୋଇଛନ୍ତି।

ଘଟଣାଟି ଘଟିଥିଲା ବୁଧବାର ରାତିରେ ମୋଗା ସହର ନିକଟସ୍ଥ ମୋଗା-ଭଟିଣ୍ଡା ଜାତୀୟ ରାଜପଥରେ। ୩୫ ବର୍ଷୀୟ ମହିଳା ଜଣଙ୍କ ତାଙ୍କ ଝିଅ ଓ ପୁଅ ସହିତ ଏକ ଏସି ବସରେ ଯାତ୍ରା କରୁଥିଲେ। ବସରେ ଥିବା କିଛି ଯୁବକ ତାଙ୍କ ଝିଅକୁ ବିଭିନ୍ନ ପ୍ରକାର ଇଙ୍ଗିତ କରିବା ସହିତ ଅସଦାଚରଣ କରିଥିଲେ। ମହିଳା ଜଣଙ୍କ ଏ ନେଇ ବସ୍ ଚାଳକ ଓ କଣ୍ଡକ୍ଟରଙ୍କୁ କହିଥିଲେ। ସେମାନେ ଯୁବକମାନଙ୍କୁ ତାଗିଦ କରିବା ବଦଳରେ ତାଙ୍କ କଥାକୁ ହସି ଉଡ଼ାଇ ଦେଇଥିଲେ। ପୁଣି ବସ୍ କଣ୍ଡକ୍ଟର ମଧ୍ୟ ଉକ୍ତ ଯୁବକମାନଙ୍କ ସହିତ ମିଶି ତାଙ୍କ ଝିଅକୁ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲା। ଏହା ଦେଖି ମହିଳା ଜଣଙ୍କ ବସ୍ ରୋକିବାକୁ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ। ତେବେ ବସକୁ ରୋକିବା ପରିବର୍ତ୍ତେ ଡ୍ରାଇଭର ଏଡାର ଗତିକୁ ଆହୁରି ବଢ଼ାଇ ଦେଇଥିଲେ। ଫଳରେ ଉଭୟ ମା’ ଓ ଝିଅଙ୍କ ମନରେ ବଡ଼ ଅଘଟଣା ଆଶଙ୍କା କ୍ରମେ ଦୃଢ଼ ହୋଇଗଲା। ଉକ୍ତ ଯୁବକ ଓ ବସ୍ କର୍ମଚାରୀଙ୍କ ଦ୍ୱାରା ସେମାନେ ଯୌନ ନିର୍ଯାତନାର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଉଭୟ ମା’ ଓ ଝିଅ ଚଳନ୍ତି ବସରୁ ଡେଇଁ ପଡ଼ିଲେ। ପୁଅଟି ବସରେ ରହିଗଲା । ବସରୁ ଡେଇଁ ପଡ଼ିଥିବା ମା’ ଓ ଝିଅଙ୍କୁ ରାସ୍ତାରେ ଯାଉଥିବା ଲୋକେ ତୁରନ୍ତ ଡାକ୍ତରଖାନା ନେଇ ଗଲେ। ତେବେ ଝିଅଟି ସେତେବେଳକୁ ପ୍ରାଣ ହରାଇ ସାରିଥିଲା। ତାଙ୍କ ମା’ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

ବସ୍ ଚାଳକ ଓ କଣ୍ଡକ୍ଟର ସମେତ ଅନ୍ୟ ଯୁବକମାନେ ଘଟଣାସ୍ଥଳରୁ କିଛି ବାଟ ଦୂରରେ ବସଟିକୁ ଛାଡ଼ି ଫେରାର ହୋଇଯାଇଛନ୍ତି । ମୋଗା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି ଓ ଅଭିଯୁକ୍ତମାନଙ୍କୁ ଖୋଜୁଛି।

ସୂଚନାଯୋଗ୍ୟ ଏହି ବସଟି ଅରବିଟ୍ ବସ୍ ସର୍ଭିସର ଥିଲା। ଆଉ ଏହାର ମାଲିକାନା ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲଙ୍କ ପରିବାର ହାତରେ ରହିଛି ବୋଲି ଅଭିଯୋଗ ହୋଇଛି । ଆଉ ଏହାକୁ ନେଇ ରାଜନୈତିକ ବିବାଦ ମଧ୍ୟ ଆରମ୍ଭ ହେବାର ସମ୍ଭାବନା ରହିଛି।

Related story