Advertisment

“ଚେତା ହରାଇବା ପର୍ଯ୍ୟନ୍ତ ମୋତେ ୬ଜଣ କରିଥିଲେ ଦୁଷ୍କର୍ମ”

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଦିଆ ମୁରାଦ। ବୟସ ୨୫। ଆଉ ଏଇ ବୟସରେ ନୋବେଲ ଶାନ୍ତି ପୁରସ୍କାର ପା‍ଇବାକୁ ମନୋନୀତ ହୋଇଛନ୍ତି ଏହି ମହିଳା। ଯୁଦ୍ଧର ହତିଆର ଭାବେ ଯୌନ ହିଂସାକୁ ରୋକିବାକୁ ବିଶ୍ୱବ୍ୟାପୀ ଆନ୍ଦୋଳନ କରୁଥିବା ନାଦିଆଙ୍କ ଉଦ୍ୟମ ବେଶ୍‌ ପ୍ରଂଶସନୀୟ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ୱର ଏହି ସମ୍ମାନଜନକ ପୁରସ୍କାର ଦେବାକୁ ମନୋନୀତ କରାଯାଇଛି। କିନ୍ତୁ ଜୀବନର ସବୁଠାରୁ ଦୁଃଖଦ ସମୟକୁ ଭୋଗ କରି ସାରିଛନ୍ତି ଏହି ମହାନ୍‌ ମହିଳା। ଆସନ୍ତୁ ଜାଣିବା, କେମିତି […]

ଅଦ୍ୟତନ ହୋଇଛି
“ଚେତା ହରାଇବା ପର୍ଯ୍ୟନ୍ତ ମୋତେ ୬ଜଣ କରିଥିଲେ ଦୁଷ୍କର୍ମ”

nadia

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାଦିଆ ମୁରାଦ। ବୟସ ୨୫। ଆଉ ଏଇ ବୟସରେ ନୋବେଲ ଶାନ୍ତି ପୁରସ୍କାର ପା‍ଇବାକୁ ମନୋନୀତ ହୋଇଛନ୍ତି ଏହି ମହିଳା। ଯୁଦ୍ଧର ହତିଆର ଭାବେ ଯୌନ ହିଂସାକୁ ରୋକିବାକୁ ବିଶ୍ୱବ୍ୟାପୀ ଆନ୍ଦୋଳନ କରୁଥିବା ନାଦିଆଙ୍କ ଉଦ୍ୟମ ବେଶ୍‌ ପ୍ରଂଶସନୀୟ। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ବିଶ୍ୱର ଏହି ସମ୍ମାନଜନକ ପୁରସ୍କାର ଦେବାକୁ ମନୋନୀତ କରାଯାଇଛି। କିନ୍ତୁ ଜୀବନର ସବୁଠାରୁ ଦୁଃଖଦ ସମୟକୁ ଭୋଗ କରି ସାରିଛନ୍ତି ଏହି ମହାନ୍‌ ମହିଳା। ଆସନ୍ତୁ ଜାଣିବା, କେମିତି ଥିଲା ତାଙ୍କ ସଂଘର୍ଷମୟ ଅତୀତ।

Advertisment

publive-image

ସିରିଆ ସୀମା ସଂଲଗ୍ନ ଇରାକ ଉତ୍ତରାଞ୍ଚଳର ୟାଜିଦ୍‌ ସହରରେ ୧୯୯୩ରେ ଜନ୍ମ ଗ୍ରହଣ କରିଥିଲେ ନାଦିଆ। ଦେଖିବାକୁ ସୁନ୍ଦର ଆଉ ପଠପଢାରେ ବି ବେଶ୍‌ ଭଲ ଥିଲେ ବାଳିକା ନାଦିଆ। ଜୀବନଟି ଶୃଙ୍ଖଳିତ ଭାବେ ଆଗକୁ ବଢୁଥିଲା। ସ୍ୱର୍ଣ୍ଣିମ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ବାଳିକାଟି ଧିରେ ଧିରେ ବଡ଼ ହେଉଥିଲା।

୨୦୧୪ ଅଗଷ୍ଟ। କେହି କିଛି ଜାଣିବା ଆଗରୁ ନାଦିଆଙ୍କ ଗ୍ରାମ ୟାଜିଦ୍‌ର କୋଚୋ ଉପରେ ଚଢାଉ କଲା ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌(IS)। ଦେଖୁ ଦେଖୁ ଧୂଳିସାତ୍‌ ହୋଇଗଲା ସବୁ ସ୍ୱପ୍ନ। ଆତଙ୍କବାଦୀଙ୍କ ଗୁଳି ମାଡ଼ରେ କୋଚୋ ପାଲଟିଗଲା ଶ୍ମଶାନ। ବହୁ ପୁରୁଷ ଆଉ ମହିଳାଙ୍କୁ ବାନ୍ଧିନେଲେ ବର୍ବର IS ଆତଙ୍କବାଦୀ । କିଶୋରୀ କନ୍ୟା ଆଉ ଯୁବତୀମାନଙ୍କୁ ହତ୍ୟା ନ କରି ବାନ୍ଧି ନେବାକୁ ନିର୍ଦ୍ଦେଶ ଆସିଥିଲା।

Advertisment

ସେହିଭଳି ଏକ ନିର୍ଦ୍ଦେଶନାମାରେ ଗାଁର ସ୍ୱଳ୍ପ ବୟସର ଯୁବକମାନଙ୍କୁ ଆତଙ୍କବାଦୀ ହେବାକୁ ବାଧ୍ୟ କରାଗଲା । ଖାତା, କଲମ ଧରି ଦୁନିଆର ମୋଡ଼ ବଦଳାଇବାର ଚିନ୍ତା ପରିତ୍ୟାଗ କରିବାକୁ ଅକଥନୀୟ ନିର୍ଯାତନା ଦିଆଗଲା। ହାତରେ ଧରାଇ ଦିଆଗଲା ବନ୍ଧୁକ ଆଉ କାନ୍ଧରେ ଝୁଲାଇ ଦିଆଗଲା ଗୁଳିଗୋଳା। ମାନସିକତାକୁ ପରିବର୍ତ୍ତନ କରିବାକୁ ହତ୍ୟା ଆଉ ରକ୍ତପାତର କଥା ମଧ୍ୟ ଶିଖାଇ ଦିଆଗଲା।

publive-image

ଏ ତ ଗଲା ପୁରୁଷଙ୍କ କଥା। ହେଲେ, ଝିଅମାନେ ଉପଭୋଗ୍ୟା ହେବାକୁ ବ୍ୟବସ୍ଥା କରାଗଲା। ନିଜକୁ ଯୋଦ୍ଧା ବୋଲାଉଥିବା ଆତଙ୍କବାଦୀଙ୍କ କ୍ଲାନ୍ତି ମେଣ୍ଟାଇବାକୁ ସେମାନଙ୍କୁ ନିୟୋଜିତ କରାଗଲା। ଶହ ଶହ ଯୁବତୀ ଭୀତତ୍ରସ୍ତ ଅବସ୍ଥାରେ ଥିଲେ ବି ପେଟକୁ ଦାନା ଆଉ ବଞ୍ଚିବାର ଆଶା ନେଇ ଆତଙ୍କବାଦୀମାନଙ୍କ ଶଯ୍ୟାସଙ୍ଗିନୀ ହେଲେ। ସେମାନଙ୍କ ଭିତରୁ ଜଣେ ଥିଲେ ନାଦିଆ

ଅନ୍ୟ ଝିଅମାନଙ୍କ ଅପେକ୍ଷା ନାଦିଆ ବୋଧହୁଏ ଥିଲେ ଅଧିକ ସୁନ୍ଦର। ତେଣୁ ଦେହର ଭୋକ ମେଣ୍ଟାଇବାକୁ ବଡ଼ ବଡିଆଙ୍କ ପାଇଁ ସେ ପ୍ରଯୁଜ୍ୟ ହେବେ ବୋଲି ସ୍ଥିର କରି ତାଙ୍କୁ ବନ୍ଦୀ ଅବସ୍ଥାରେ ନିଆଗଲା ଇରାକର ମସୁଲ୍‌କୁ। ସେଠି ତାଙ୍କୁ ରହିବାକୁ ପଡ଼ିଲା ୬ ମାସ। ଏହି ୬ ମାସ ଥିଲା ତାଙ୍କ ଜୀବନର ସବୁଠାରୁ ଦୁଃଖଦ ସମୟ। ସେ ସେଠି ଜଣେ ନାରୀ କି ମଣିଷ ଭାବେ ବଞ୍ଚୁ ନ ଥିଲେ, ବରଂ ଦେହ ଲୋଭୀଙ୍କ କ୍ଷୁଧାର୍ଥ ତୁଣ୍ଡର ଆହାର ଭଳି ସେ ପଡ଼ି ରହିଥିଲେ। ଯିଏ ଯେମିତି ପାଇଲା ତାଙ୍କୁ ଭୋଗ କଲା। ଇଚ୍ଛା ଅନିଚ୍ଛାର କିଛି ମାନେ ନ ଥିଲା ତାଙ୍କ ପାଇଁ। ସମ୍ଭୋଗ ପାଇଁ ମନା କଲେ ଆରମ୍ଭ ହେଉଥିଲା ମାଡ଼। ସେଠାରୁ ଯେ ନିସ୍ତାର ପାଇବେ, ସେ କଥା ସେ କେବେ ପରିକଳ୍ପନା ବି କରି ନ ଥିଲେ।

ଏପରିକି ଜୋର୍‌ଜବରଦସ୍ତ ଜଣେ ଯୁବ ଆତଙ୍କବାଦୀଙ୍କ ସହ ତାଙ୍କର ବିବାହ କରାଇ ଦିଆଗଲା। ଏହା ସହ ବଳପୂର୍ବକ ଧର୍ମ ପରିବର୍ତ୍ତନ ମଧ୍ୟ କରି ଦିଆଗଲା। ହେଲେ, ଏତେ ସବୁ ପରେ ବି ନିର୍ଯାତନା କମି ନ ଥିଲା। ଭୋଗ ବିଳାସର ସାମଗ୍ରୀ ପାଲଟି ଯାଇଥିଲା ତାଙ୍କ ଦେହ। ସେବୁବେଳେ ମେକ୍‌ଅପ୍‌ରେ ରହିବାକୁ ଥିଲା କଡ଼ା ନିର୍ଦ୍ଦେଶ । ଚିପା ପୋଷାକ ପିନ୍ଧିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା।

publive-image

ଏମିତି ଯନ୍ତ୍ରଣାରେ ଦିନ କାଟୁଥିବା ବେଳେ ଦିନେ ଜଣେ ସ୍ଥାନୀୟ ମୁସ୍‌ଲିମ୍‌ ମହିଳାଙ୍କ ସହଯୋଗରେ ସେ ଖସି ଆସିବାକୁ ଉଦ୍ୟମ କରି ବିଫଳ ହୁଅନ୍ତି । ଜଣେ ଗାର୍ଡ ତାଙ୍କୁ ଧରି ନେଇଯାଏ। ଏହାପରେ ନିର୍ଦ୍ଦେଶ ଆସେ ଗଣ ବଳାତ୍କାର କରିବାକୁ। ୬ ଜଣ ମିଶି ଜଣକ ପରେ ଜଣେ ତାଙ୍କୁ ବଳାତ୍କାର କରୁଥାନ୍ତି। ଯେ ପର୍ଯ୍ୟନ୍ତ ସେ ଚେତା ନ ହରାଇଛନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଏଭଳି ପାଶବିକ ନିର୍ଯାତନା ଦିଆଯାଉ ବୋଲି ନିର୍ଦ୍ଦେଶ ଥାଏ। ସେ ଥକି ପଡ଼ନ୍ତି ଆଉ ପୁନର୍ବାର ତାଙ୍କୁ ବନ୍ଦୀ କରି ନିଆଯାଏ।

ଏତେ ସବୁ ନିର୍ଯାତନା ପରେ ଭାଙ୍ଗି ପଡ଼ନ୍ତି ନାହିଁ ନାଦିଆ। ପୁଣି ସେ ଆତଙ୍କୀ ଦାନବଙ୍କ ଖୁଆଡ଼ ଭିତରୁ ମୁକ୍ତି ପାଇବାକୁ ଖୋଜି ବସନ୍ତି ବାଟ। ଏଥର କିନ୍ତୁ ସଫଳ ହୁଅନ୍ତି। ପାଦ ଯାଇ ପହଞ୍ଚେ ଇରାକ୍‌ର କୁର୍ଦ୍ଦିସ୍ତାନରେ। ପରିବାର ଲୋକଙ୍କୁ ଭେଟିବେ ବୋଲି ଆଶା ସଞ୍ଚାର ହୁଏ। କିନ୍ତୁ ଯାହା ଶୁଣନ୍ତି, ପାଦରୁ ମାଟି ଖସିପଡ଼େ। ତାଙ୍କ ୬ ଭାଇ ଓ ମା’ଙ୍କୁ ହତ୍ୟା କରାଯାଇଥାଏ। ତେଣୁ ସେ ଏକାକୀ କେମିତି ରହିବେ ଓ କାହାର ସାହାଯ୍ୟ ନେବେ, କିଛି ବୁଝି ପାରନ୍ତି ନାହିଁ। ଶେଷରେ ଜର୍ମାନୀରେ ରହୁଥିବା ଭଉଣୀଙ୍କ ପାଖକୁ ଚାଲି ଯାଆନ୍ତି।

ସେଇଠାରୁ ଆରମ୍ଭ ହୁଏ ସଂଗ୍ରାମୀର ଜୀବନ। ୟାଜିଦ୍‌ ମହିଳାମାନଙ୍କୁ ଏକାଠି କରି ସେମାନଙ୍କ ପରିବାର ସହ ମିଶାଇବାକୁ ସେ ଆରମ୍ଭ କରନ୍ତି ଅଭିଯାନ । ନାଁ ରଖନ୍ତି- ‘Nadias Initiative’। ସାମିଲ ହୁଅନ୍ତି Me too ଆନ୍ଦୋଳନରେ।

୨୦୧୫ ଡିସେମ୍ବର ୧୬। ମିଳିତ ଜାତିସଂଘରେ ତାଙ୍କ ସଂଘର୍ଷର କାହାଣୀ ବର୍ଣ୍ଣିତ ହୁଏ। ଚକିତ ହୁଏ ସାରା ବିଶ୍ୱ। ଏପରି ଏକ ମର୍ମନ୍ତୁଦ ସ୍ଥିତିରୁ ମୁକୁଳି ପୁନଃସଂଗ୍ରାମ ପାଇଁ ଅଣ୍ଟା ଭିଡ଼ିଥିବା ଏହି ସ୍ୱଳ୍ପବୟସୀ ଯୁବତୀଙ୍କ ପାଇଁ ମଥାନତ ହୁଏ ସମଗ୍ର ବିଶ୍ୱର ମାନବିକତା। ଶେଷରେ ତାଙ୍କୁ ଜାତିସଂଘର ମାନବ ଚାଲାଣ ନିରୋଧ ଅଭିଯାନର ଗୁଡ୍‌ ୱିଲ୍‌ ଆମ୍ୱାସାଡ୍‌ର ଭାବେ ନିଯୁକ୍ତି ମିଳେ। ରାତାରାତି ଚର୍ଚ୍ଚିତ ହୋଇପଡ଼ନ୍ତି ନାଦିଆ।

ଏବେ ନୂଆ ଜୀବନ ପାଇଛନ୍ତି ସେ। ତାଙ୍କ ସହ କାର୍ଯ୍ୟ କରୁଥିବା ୟାଜିଦ୍‌ କର୍ମକର୍ତ୍ତା ଆବିଦ୍‌ ସାମଦିନ୍‌ଙ୍କୁ ସେ ବିବାହ କରିଛନ୍ତି। ଇତିମଧ୍ୟରେ ଜୀବନତମାମ ସଂଘର୍ଷର କାହାଣୀକୁ ନେଇ ତାଙ୍କ ଆତ୍ମଜୀବନୀ ମଧ୍ୟ ପ୍ରକାଶ ପାଇସାରିଛି। ଏହାର ନାଁ ରହିଛି ‘The Lost Girl’।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe