‘୫୦ ଜଣଙ୍କୁ ହତ୍ୟା କରିବା ପରେ ଆଉ କେତେ ମାରିଲି ଗଣିନି...’

ନୂଆଦିଲ୍ଲୀ: ବେଳେ ବେଳେ ଆମ ଆଖପାଖରେ ଏଭଳି କିଛି ଅଭାବନୀୟ ଘଟଣା ଘଟିଥାଏ, ଯାହା ଆମକୁ ବିଶ୍ୱାସ କରିବା ମଧ୍ୟ ସହଜ ହୋଇ ନ ଥାଏ। କିଛି ଏଭଳି ଲୋମଟାଙ୍କୁରା, ହୃଦୟଥରା ଘଟଣା ନୂଆଦିଲ୍ଲୀରୁ ପ୍ରଘଟ ହୋଇଛି। ଶେଷରେ ପୁଲିସ ହାତରେ ଧରା ପଡ଼ିଛି ଅଭିଯୁକ୍ତ ଆୟୁର୍ବେଦିକ ଡାକ୍ତର, ଯାହାଙ୍କ ନାଁରେ ରହିଛି ୧୦୦ରୁ ଊର୍ଦ୍ଧ୍ୱ ବର୍ବର ହତ୍ୟା ମାମଲା। ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ଜଣଙ୍କ ହତ୍ୟା କରିଥିବା ଅଭିଯୋଗ ଥିବା […]

doc

Pragnya Choudhury
  • Published: Thursday, 30 July 2020
  • , Updated: 30 July 2020, 03:51 PM IST

ନୂଆଦିଲ୍ଲୀ: ବେଳେ ବେଳେ ଆମ ଆଖପାଖରେ ଏଭଳି କିଛି ଅଭାବନୀୟ ଘଟଣା ଘଟିଥାଏ, ଯାହା ଆମକୁ ବିଶ୍ୱାସ କରିବା ମଧ୍ୟ ସହଜ ହୋଇ ନ ଥାଏ। କିଛି ଏଭଳି ଲୋମଟାଙ୍କୁରା, ହୃଦୟଥରା ଘଟଣା ନୂଆଦିଲ୍ଲୀରୁ ପ୍ରଘଟ ହୋଇଛି। ଶେଷରେ ପୁଲିସ ହାତରେ ଧରା ପଡ଼ିଛି ଅଭିଯୁକ୍ତ ଆୟୁର୍ବେଦିକ ଡାକ୍ତର, ଯାହାଙ୍କ ନାଁରେ ରହିଛି ୧୦୦ରୁ ଊର୍ଦ୍ଧ୍ୱ ବର୍ବର ହତ୍ୟା ମାମଲା।

ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ଜଣଙ୍କ ହତ୍ୟା କରିଥିବା ଅଭିଯୋଗ ଥିବା ଜଣେ ଆୟୁର୍ବେଦିକ ଡାକ୍ତରଙ୍କୁ ବୁଧବାର ଗିରଫ କରିଛି ଦିଲ୍ଲୀ ପୁଲିସ। ସେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିବା ବେଳେ ଜାନୁୟାରୀରେ ପାରୋଲରେ ବାହାରି ଫେରାର୍ ହୋଇଯାଇଥିଲା। ଏହାପରେ ଦିଲ୍ଲୀ ଆଉଟକ୍ସର୍ଟ ବାପ୍ରୋଲାରେ ସେ ଲୁଚି ରହିଥିଲା। ବୁଧବାର ପୁଲିସ ତାଙ୍କୁ ଗିରଫ କରିଛି ବୋଲି ସୂଚନା ମିଳିଛି।

ହତ୍ୟାକାରୀ ଡାକ୍ତର କେବଳ ୫୦ ନୁହେଁ ୧୦୦ରୁ ଊର୍ଦ୍ଧ୍ୱ ହତ୍ୟାକାଣ୍ଡ ଭିଆଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ଏଯାବତ୍ ସେ କେତେ ଜଣଙ୍କୁ ହତ୍ୟା କରିଛି ସ୍ପଷ୍ଟ ଭାବେ ସଂଖ୍ୟା ଜଣାପଡ଼ି ନାହିଁ। କାରଣ ଦିଲ୍ଲୀ ସମେତ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନରେ ଡାକ୍ତର ନାଁରେ ଅନେକ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ହତ୍ୟାକାରୀ ଡାକ୍ତର ଜଣକ ହେଉଛି ଉତ୍ତରପ୍ରଦେଶର ଆଲୀଗଡ଼ ବାସିନ୍ଦା ୬୨ ବର୍ଷୀୟ ଦେବେନ୍ଦ୍ର ଶର୍ମା। ସେ ଆୟୁର୍ବେଦ ମେଡିସିଏ ଏବଂ ସର୍ଜରୀରେ ସ୍ନାତକ କରିଛି। ପୁଲିସ ଅନୁଯାୟୀ, ଡାକ୍ତର ନାଁ

ଅନେକ ଅପହରଣ ଓ ହତ୍ୟା ମାମଲା ରହିଛି। ପୂର୍ବରୁ ଉତ୍ତରପ୍ରଦେଶରେ ଫେକ୍ ଗ୍ୟାସ୍ ଏଜେନ୍ସି ଚଲାଇବା ମାମଲା ଓ କିଡନୀ ରାକେଟରେ ଦୁଇ ଦୁଇ ଥର ଗିରଫ ହୋଇ ଜେଲ୍ ମଧ୍ୟ ଯାଇଛି।

ହତ୍ୟାକାରୀ ଡାକ୍ତର ବାବଦରେ ଏକ ଜାତୀୟ ଗଣମାଧ୍ୟମକୁ ତଥ୍ୟ ଦେଇ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଦେବେନ୍ଦ୍ର ଜୟପୁର ସେଣ୍ଟ୍ରାଲ ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିଲା। ହେଲେ ୧୬ ବର୍ଷ ଜେଲ ଦଣ୍ଡ ଭୋଗିବା ପରେ ଗତ ଜାନୁଆରୀରେ ସେ ୨୦ ଦିନ ପାଇଁ ପାରୋଲରେ ବାହାରିଥିଲା। ହେଲେ ସେ ପାରୋଲ୍ ଭାଙ୍ଗି ନିଜ ଗାଁରେ କିଛିଦିନ ରହିବା ପରେ ମାର୍ଚ୍ଚ ପହିଲାରେ ଦିଲ୍ଲୀ ଆସିଯାଇଥିଲା।

ପ୍ରଥମେ ସେ ଦିଲ୍ଲୀସ୍ଥ ମୋହନ ଗାର୍ଡେନରେ ଜଣେ ପରିଚିତ ବ୍ୟକ୍ତିଙ୍କ ଘରେ ରହୁଥିଲା ଏବଂ ପରେ ସେ ବାପ୍ରୋଲାକୁ ସ୍ଥାନାନ୍ତର ହୋଇଥିଲା। ସେଠାରେ ସେ ଜଣେ ବିଧବାଙ୍କୁ ବିବାହ ମଧ୍ୟ କରିଥିଲା। ତେବେ ମଙ୍ଗଳବାର ପୁଲିସ୍ ଟିମ୍ ଏନେଇ ସୁରାଗ୍ ପାଇବା ପରେ ଫେରାର୍ ହତ୍ୟାକାରୀ ଡାକ୍ତରକୁ ଗିରଫ କରିଛି ବୋଲି ପୁଲିସ ସୂଚନା ଦେଇଛି।

ତେବେ ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ହତ୍ୟାକାରୀ ଡାକ୍ତର ନିଜ ଜୀବନକୁ ପୁଣି ଥରେ ଆରମ୍ଭ କରିବାକୁ ପାରୋଲରେ ବାହାରି ଦିଲ୍ଲୀ ଆସିଯାଇଥିଲା। ସେଠାରେ ସେ ନିଜର ଜଣେ ଦୂର ସମ୍ପର୍କୀୟାଙ୍କୁ ବିବାହ କରିଛି, ଯିଏ ତାର ସମସ୍ତ ଅପରାଧିକ ମାମଲା ବିଷୟରେ ଅବଗତ। ସେ ବିବାହ ପରେ ଏକ ପ୍ରୋପର୍ଟି ବିଜନେସ ଆରମ୍ଭ କରିଥିଲା।

ଗିରଫ ହେବା ପରେ ପୁଲିସ ଜେରା ବେଳେ ସମ୍ପୂର୍ଣ୍ଣ ସହଯୋଗ କରିଥିଲା ଅପରାଧୀ ଡାକ୍ତର। ପ୍ରାୟ ୨୪ ଘଣ୍ଟିଆ ଜେରା ପରେ ମଧ୍ୟ ସେ ଶାନ୍ତ ରହିଥିଲା ଏବଂ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିଥିଲା ବୋଲି ପୁଲିସ କହିଛି। ତେବେ ସବୁଠାରୁ ଚକିତ କରିଦେଲା ଭଳି ବିଷୟ ହେଲା, ଜେରା ସମୟରେ ଦେବେନ୍ଦ୍ର ପୁଲିସକୁ କହିଛି ଯେ ୫୦ ଜଣଙ୍କ ପରେ ତାକୁ ଗଣିବା ଭୁଲ୍ ହେଉଛି। ଏଣୁ ସେ ପ୍ରକୃତରେ କେତେ ଜଣଙ୍କୁ ହତ୍ୟା କରିଛି ତାହା ଗଣିକି କହିବା କଷ୍ଟକର।

ପୁଲିସ କହିଛି, ୨୦୦୨ ଏବଂ ୨୦୦୪ରେ ଅନେକ ହତ୍ୟା ମାମଲାରେ ସେ ଗିରଫ ହୋଇଥିବାବେଳେ ମାତ୍ର ୭ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲା। ଦେବେନ୍ଦ୍ରର ପତ୍ନୀ ଏବଂ ପିଲାମାନେ ୨୦୦୪ରେ ତାକୁ ଛାଡ଼ି ଚାଲିଯାଇଥିଲେ। ଏହାପରେ ସେମାନେ ଦେବେନ୍ଦ୍ରର ଅପରାଧ ବିଷୟରେ ଜାଣିବାକୁ ପାଇଲେ ବୋଲି ପୁଲିସ କହିଛି।

Related story