/odisha-reporter/media/post_attachments/uploads/2019/02/world.jpg)
world
ଭୁବନେଶ୍ୱର (ସଂଗ୍ରାମ ଦାସମହାପାତ୍ର): ବର୍ଷକୁ ବର୍ଷ ସାଇବେରିଆ ଆଡ଼କୁ ଦ୍ରୁତ ବେଗରେ ଘୁଞ୍ଚିବାରେ ଲାଗିଛି ପୃଥିବୀର ଚୁମ୍ବକୀୟ ଉତ୍ତର ମେରୁ। ଏହା ବର୍ଷକୁ ପ୍ରାୟ ୫୫ କିଲୋମିଟର ହାରରେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଘୁଞ୍ଚୁଥିବା ଜଣାପଡ଼ିଛି । ୨୦ ବର୍ଷ ପୂର୍ବରୁ ଏହା ଯେଉଁ ବେଗରେ ଘୁଞ୍ଚୁଥିଲା, ଏବେ ଏହା ପ୍ରାୟ ୪ ଗୁଣ ଅଧିକ ବେଗରେ ଘୁଞ୍ଚୁଥିବା ବୈଜ୍ଞାନିକମାନେ କହୁଛନ୍ତି । ତେଣୁ ନ୍ୟାସନାଲ ସେଣ୍ଟର ଫର୍ ଏନଭାଇରନମେଣ୍ଟାଲ୍ ଇନଫର୍ମେସନ୍ (NCEI) ପକ୍ଷରୁ ପ୍ରତି ପାଞ୍ଚ ବର୍ଷରେ ପ୍ରକାଶିତ ହେଉଥିବା ୱାର୍ଲ୍ଡ ମ୍ୟାଗ୍ନେଟିକ୍ ମଡେଲ୍ ବା ବିଶ୍ୱ ଚୁମ୍ବକୀୟ ନମୁନାକୁ ଆଗୁଆ ପ୍ରକାଶ କରାଯାଇଛି। ଏହା ଚଳିତବର୍ଷ ଶେଷ ଆଡ଼କୁ କିମ୍ବା ୨୦୨୦ ପ୍ରାରମ୍ଭରେ ପ୍ରକାଶ ପାଇବାରଥିଲା।
#ICYMI NCEI has released an out-of-cycle World Magnetic Model due to changes in Earth’s magnetic field near the North Pole: @CIRESnewspic.twitter.com/H8KvtCqjrl
— NOAA NCEI Ocean Geo (@NOAANCEIocngeo) February 5, 2019
ପୃଥିବୀର ଆଭ୍ୟନ୍ତରୀଣ ପ୍ରକ୍ରିୟା ଯୋଗୁ ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ଏକ ସାଧାରଣ ଘଟଣା ଲାଗିପାରେ। କିନ୍ତୁ ଏହିଭଳି ଦ୍ରୁତ ବେଗରେ ଏହାର ପରିବର୍ତ୍ତନ, ଜଳ ପଥ ଓ ଆକାଶ ପଥରେ ଯାତାୟତ ବା ନାଭିଗେସନ୍ ପାଇଁ ଦିଗ ନିର୍ଣ୍ଣୟ କରିବାରେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ। ଏହାଦ୍ୱାରା ସମୁଦ୍ରରେ ପ୍ରତିରକ୍ଷା କାର୍ଯ୍ୟକଳାପ, ମହାକାଶ ଅଭିଯାନ, ବିମାନ ଚଳାଚଳ ଏବଂ ମୋବାଇଲ୍ ଜିପିଏସ୍ ସେବା ମଧ୍ୟ ପ୍ରଭାବିତ ହୋଇପାରେ। କେବଳ ଏତିକି ନୁହେଁ, ପୃଥିବୀର ଚୁମ୍ବକୀୟ କ୍ଷେତ୍ରରେ ପରିବର୍ତ୍ତନ ହେଲେ ଏହାକୁ ବ୍ୟବହାର କରି ଦୂରପଥ ଅତିକ୍ରମ କରୁଥିବା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ସମସ୍ୟା ଉପୁଜିବ।
[caption id="attachment_336581" align="aligncenter" width="429"]
୧୫୯୦ ମସିହା ଠାରୁ ପୃଥିବୀର ଚୁମ୍ବକୀୟ ଉତ୍ତର ମେରୁର ସ୍ଥାନ ପରିବର୍ତ୍ତନ[/caption]
ପୃଥିବୀର କେବଳ ଯେ ଚୁମ୍ବକୀୟ ଉତ୍ତର ମେରୁ ଘୁଞ୍ଚୁଛି ତା’ନୁହେଁ, ଦକ୍ଷିଣ ମେରୁ ମଧ୍ୟ ଘୁଞ୍ଚିବାରେ ଲାଗିଛି। କିନ୍ତୁ ଉତ୍ତର ମେରୁ ତୁଳନାରେ ଦକ୍ଷିଣ ମେରୁ ଧୀରେ ଧୀରେ ଘୁଞ୍ଚୁଛି। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ବୈଜ୍ଞାନିକମାନେ ଦାବି କରୁଛନ୍ତି ପୃଥିବୀର ଚୁମ୍ବକୀୟ ମେରୁ ଦିନେ ସମ୍ପୂର୍ଣ୍ଣ ଓଲଟି ଯିବ। ଅର୍ଥାତ୍ ବର୍ତ୍ତମାନର ଚୁମ୍ବକୀୟ ଉତ୍ତର ମେରୁ ନିକଟରେ ଚୁମ୍ବକୀୟ ଦକ୍ଷିଣ ମେରୁ ଓ ବର୍ତ୍ତମାନର ଚୁମ୍ବକୀୟ ଦକ୍ଷିଣ ମେରୁ ନିକଟରେ ସେତେବେଳେ ଚୁମ୍ବକୀୟ ଉତ୍ତର ମେରୁ ରହିବ। ପ୍ରାୟ ୭ ଲକ୍ଷ ୮୦ ହଜାର ବର୍ଷ ତଳେ ପୃଥିବୀର ଚୁମ୍ବକୀୟ ମେରୁ ପରିବର୍ତ୍ତନ ଘଟିଥିଲା। ପୁଣି ଥରେ ମେରୁ ପରିବର୍ତ୍ତନ ପାଇଁ ପ୍ରାୟ ୧୦୦୦ ବର୍ଷ ସମୟ ଲାଗିବ। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେଲେ ସୌର ବିକିରଣ ମଣିଷ ସମେତ ଅନ୍ୟ ଜୀବଜନ୍ତୁ ଓ ଗଛଲତାକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି।
ସୂଚନା ଯୋଗ୍ୟ ଯେ, ପୃଥିବୀର ଭୌଗଳିକ ମେରୁ ଓ ଚୁମ୍ବକୀୟ ମେରୁ ଭିନ୍ନ ଭିନ୍ନ। ପୃଥିବୀର ଆବର୍ତ୍ତନ ଅନୁସାରେ ଏହାର ଭୌଗଳିକ ଉତ୍ତର ଓ ଦକ୍ଷିଣ ମେରୁ ନିର୍ଦ୍ଧାରିତ ହୋଇଥାଏ। କିନ୍ତୁ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଅନୁସାରେ ଚୁମ୍ବକୀୟ ଉତ୍ତର ଓ ଦକ୍ଷିଣ ମେରୁ ନିର୍ଦ୍ଧାରିତ ହୋଇଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
