/odisha-reporter/media/post_attachments/uploads/2016/03/Manoj-Kumar.jpg)
Manoj-Kumar
ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାର ୨୦୧୫ ବର୍ଷ ପାଇଁ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ। ଫିଲ୍ମ ଶିଳ୍ପକୁ ଅତୁଳନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ମନୋଜ କୁମାର ୪୭ତମ ବ୍ୟକ୍ତି ଭାବେ ଏହାକୁ ଗ୍ରହଣ କରିବେ। ୭୮ ବର୍ଷୀୟ ଏହି ଅଭିନେତାଙ୍କୁ ପୁରସ୍କାର ବାବଦକୁ ୧୦ ଲକ୍ଷ ଟଙ୍କା, ଏକ ସ୍ୱର୍ଣ୍ଣ କମଳ ଓ ଉପଢ଼ୌକନ ପ୍ରଦାନ କରାଯିବ।
ଦେଶାତ୍ମକବୋଧ ଫିଲ୍ମ “ପୂରବ ଔର ପଶ୍ଚିମ୍”, “ଉପକାର୍” ଓ “କ୍ରାନ୍ତି” ପାଇଁ ମନୋଜ କୁମାର ବେଶ୍ ଜଣାଶୁଣା। ଏହା ବ୍ୟତୀତ “ହରିୟାଲି ଓ ରାସ୍ତା”, “ୱ କୌନ୍ ଥି?”, “ହିମାଲୟ କି ଗୋଦ୍ ମେଁ”, “ଦୋ ବୋଦନ୍”, “ଶହୀଦ” ଓ “ରୋଟି କପଡ଼ା ଔର ମକାନ୍” ଦର୍ଶକଙ୍କର ପ୍ରଶଂସା ଗୋଟାଇଛି। ଦେଶାତ୍ମକବୋଧ ଫିଲ୍ମ କରୁଥିବାରୁ ସେ ଭରତ କୁମାର ନାଁରେ ବି ଜଣାଶୁଣା। ଏହି ନାଁ ତାଙ୍କୁ ତାଙ୍କର ଫ୍ୟାନ୍ମାନେ ଦେଇଥିଲେ।
ମନୋଜ କୁମାରଙ୍କ ପ୍ରକୃତ ନାଁ ହରିକ୍ରିଷ୍ଣା ଗିରି ଗୋସ୍ୱାମୀ। ସେ ଜଣେ ରୋମାଣ୍ଟିକ୍ ହିରୋ ଭାବେ ନିଜ କ୍ୟାରିୟର ଆରମ୍ଭ ଥିଲା। ତାଙ୍କ ଡେବ୍ୟୁ ଫିଲ୍ମ ଥିଲା “କାଞ୍ଚ୍ କି ଗୁଡ଼ିଆ”। ୧୯୬୦ରେ ଏହା ପରଦାକୁ ଆସିଥିଲା। ତେବେ ପରବର୍ତ୍ତୀ ସମୟରେ ଦେଶାତ୍ମକବୋଧ ଫିଲ୍ମରେ ଅଧିକରୁ ଅଧିକ ଅଭିନୟ କରିଥିଲେ ଓ ନିର୍ଦ୍ଦେଶନା ବି ଦେଇଥିଲେ।
‘ଉପକାର୍’ ପାଇଁ ମନୋଜ କୁମାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିପରି ୧୯୯୨ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
