ନେପାଳରେ ପୁଣି ଭୂକମ୍ପ ଝଟକା, ମୃତକଙ୍କ ସଂଖ୍ୟା ୪ହଜାର ଟପିଲା

ମୃତକଙ୍କ ସଂଖ୍ୟା ୧୦ ହଜାର ଟପିବ: ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା   ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନେପାଳବାସୀ ଅସନ୍ତୁଷ୍ଟ କାଠମାଣ୍ଡୁ: ଭୂମିକମ୍ପ ନେପାଳର ପିଛା ଛାଡୁନି। ଶନିବାର ବଡ଼ ଭୂମିକମ୍ପ ପରେ ଛାରଖାର ହୋଇଯାଇଥିବା ନେପାଳରେ ପଶ୍ଚାତ ଭୂକମ୍ପ ଅବ୍ୟାହତ ରହିଛି। ଆଜି ଭୋରରେ ପୁଣି ଏଠାରେ ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଥିଲା। ଭୋର ୪ଟା ୧୦ ଓ ୫ଟା ୫ରେ ଅନୁଭୁତ ହୋଇଥିଲା ଏହି ଦୁଇ ଭୂକମ୍ପ ଝଟକା। ଏହାକୁ ମିଶାଇ ଗତ […]

nepalrescue

Rakesh Mallick
  • Published: Tuesday, 28 April 2015
  • , Updated: 04 May 2017, 03:45 PM IST

ମୃତକଙ୍କ ସଂଖ୍ୟା ୧୦ ହଜାର ଟପିବ: ପ୍ରଧାନମନ୍ତ୍ରୀ ସୁଶୀଲ କୋଇରାଲା  

ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନେପାଳବାସୀ ଅସନ୍ତୁଷ୍ଟ

କାଠମାଣ୍ଡୁ: ଭୂମିକମ୍ପ ନେପାଳର ପିଛା ଛାଡୁନି। ଶନିବାର ବଡ଼ ଭୂମିକମ୍ପ ପରେ ଛାରଖାର ହୋଇଯାଇଥିବା ନେପାଳରେ ପଶ୍ଚାତ ଭୂକମ୍ପ ଅବ୍ୟାହତ ରହିଛି। ଆଜି ଭୋରରେ ପୁଣି ଏଠାରେ ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଥିଲା। ଭୋର ୪ଟା ୧୦ ଓ ୫ଟା ୫ରେ ଅନୁଭୁତ ହୋଇଥିଲା ଏହି ଦୁଇ ଭୂକମ୍ପ ଝଟକା। ଏହାକୁ ମିଶାଇ ଗତ ୪ ଦିନ ମଧ୍ୟରେ ନେପାଳରେ ୮୫ରୁ ଅଧିକ ଥର ଭୂମିକମ୍ପ ହୋଇସାରିଲାଣି।

ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବି ଦିନକୁ ଦିନ ବଢ଼ି ଚାଲିଛି । ବର୍ତ୍ତମାନ ସୁଦ୍ଧା ୪,୩୫୨ ଜଣ ଲୋକ ପ୍ରାଣ ହରାଇସାରିଛନ୍ତି। ଏବେବି ଅନେକ ନିଖୋଜ ଥିବା ବେଳେ ଆହତଙ୍କ ସଂଖ୍ୟା ୭୦୦୦ ପାଖାପାଖି ହୋଇଗଲାଣି। ତେଣୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

କାଠମାଣ୍ଡୁରେ ଆତଙ୍କିତ ଲୋକେ ଗଲା ୪ ଦିନ ହେଲାଣି ଖୋଲା ଆକାଶ ତଳେ ରହୁଛନ୍ତି। ଯେଉଁମାନଙ୍କର ଘରଦ୍ୱାର ଭାଙ୍ଗି ଯାଇଛି ସେମାନେ ଖୋଲା ଆକାଶ ତଳେ ରହୁଛନ୍ତି ଓ ଯେଉଁମାନଙ୍କ ଘର ଅଛି ସେମାନେ ବି ଖୋଲା ଆକାଶ ତଳେ ରହୁଛନ୍ତି। କାରଣ ହେଉଛି ବାରମ୍ବାର ପଶ୍ଚାତ ଭୂକଂପ। ତେବେ ଏତିକିରେ ଶେଷ ହୋଇଯାଇନି ସେମାନଙ୍କ ଦୁର୍ଦ୍ଧଶା। ବର୍ଷା ସେମାନଙ୍କ ଦୁଃଖକୁ ଦୁଇ ଗୁଣିତ କରି ଦେଇଛି। ଖାଦ୍ୟ ଓ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ଏଭଳି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ନେଇ ନେପାଳ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ହଜାର ହଜାର ଲୋକ। ନେପାଳ ସରକାର ଯେମିତି ମାତ୍ରାରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କଥା ସେତିକି କରୁନାହାନ୍ତି। ଧିମା ଗତିରେ ଚାଲିଛି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ । ସରକାର ମଧ୍ୟ ଏହାକୁ ମାନିଛନ୍ତି ଓ ଆଗକୁ ଏହି କାର୍ଯ୍ୟକୁ ଦ୍ରୁତ ଗତିରେ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି।

ଅନ୍ୟପକ୍ଷରେ ଗତକାଲିଠାରୁ ଶତାଧିକ ଲୋକ କାଠମାଣ୍ଡୁ ଛାଡ଼ି ଦେଶର ଅନ୍ୟାନ୍ୟ ଅଞ୍ଚଳକୁ ପଳାଇଯାଉଥିବା ଲକ୍ଷ୍ୟ କରାଯାଇଛି। ସେମାନେ ସୁରକ୍ଷିତ ଓ ସମତଳ ସ୍ଥାନକୁ ପଳାଇଯାଉଛନ୍ତି।
ଭାରତ ସମେତ ଆମେରିକା, ଚୀନ, ଫ୍ରାନ୍ସ ଆଜି ରାଷ୍ଟ୍ରଗୁଡ଼ିକ ପକ୍ଷରୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରଖିଛନ୍ତି।

Related story