Advertisment

ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା, ଏକ ତୃତୀୟାଂଶ ଜଳମଗ୍ନ

ଇସଲାମବାଦ:  ପ୍ରାୟ ୬୦ ବର୍ଷ ପରେ ପ୍ରଳଙ୍କକାରୀ ବନ୍ୟାରେ ଉବୁଟୁବୁ ହେଉଛି ପାକିସ୍ତାନ । ଚାରିଆଡ଼େ ହାହାକାର ସ୍ଥିତି। ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇ ଯାଇଛି।  ଚଳିତ ବର୍ଷ ପାକିସ୍ତାନରେ ମୌସୁମୀ ବର୍ଷା ସ୍ୱାଭାବିକଠୁ ୧୦ ଗୁଣ ଅଧିକ ହୋଇଛି । ସିନ୍ଧୁ  ନଦୀର ଦ୍ରୁତ ପ୍ରବାହ ହେତୁ ପ୍ରାୟ ଦଶ କିଲୋମିଟର ଚଉଡାର ଏକ ନୂତନ ହ୍ରଦ ସୃଷ୍ଟି ହୋଇଯାଇଛି।  ଏହି ଭୀଷଣ ବନ୍ୟା ହେତୁ  ପାକିସ୍ତାନରେ ବହୁ ଧନଜୀବନ ନଷ୍ଟ ହୋଇଯାଇଥିବା ବେଳେ […]

ଅଦ୍ୟତନ ହୋଇଛି
ପାକିସ୍ତାନରେ ପ୍ରଳୟଙ୍କାରୀ ବନ୍ୟା, ଏକ ତୃତୀୟାଂଶ ଜଳମଗ୍ନ

pakistan

Advertisment

ଇସଲାମବାଦ:  ପ୍ରାୟ ୬୦ ବର୍ଷ ପରେ ପ୍ରଳଙ୍କକାରୀ ବନ୍ୟାରେ ଉବୁଟୁବୁ ହେଉଛି ପାକିସ୍ତାନ । ଚାରିଆଡ଼େ ହାହାକାର ସ୍ଥିତି। ଦେଶର ଏକ ତୃତୀୟାଂଶ ଜଳମଗ୍ନ ହୋଇ ଯାଇଛି।  ଚଳିତ ବର୍ଷ ପାକିସ୍ତାନରେ ମୌସୁମୀ ବର୍ଷା ସ୍ୱାଭାବିକଠୁ ୧୦ ଗୁଣ ଅଧିକ ହୋଇଛି । ସିନ୍ଧୁ  ନଦୀର ଦ୍ରୁତ ପ୍ରବାହ ହେତୁ ପ୍ରାୟ ଦଶ କିଲୋମିଟର ଚଉଡାର ଏକ ନୂତନ ହ୍ରଦ ସୃଷ୍ଟି ହୋଇଯାଇଛି।  ଏହି ଭୀଷଣ ବନ୍ୟା ହେତୁ  ପାକିସ୍ତାନରେ ବହୁ ଧନଜୀବନ ନଷ୍ଟ ହୋଇଯାଇଥିବା ବେଳେ ଖାଦ୍ୟାଭାବ ଏକ ବଡ଼ ସଙ୍କଟ ଭାବେ ଉଭା ହୋଇଛି।  ପାକିସ୍ତାନର ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିକୁ ସର୍ବୋଚ୍ଚ ସ୍ତରର ଜରୁରୀକାଳୀନ ପରିସ୍ଥିତି ଭାବେ ଶ୍ରେଣୀଭୁକ୍ତ କରିଛି WHO।

Advertisment

ମିଳିତ ଜାତିସଂଘ କାର୍ଯ୍ୟାଳୟର ମାନବ ସମ୍ବଳ ସମନ୍ୱୟ କାର୍ଯ୍ୟାଳୟର ଏକ ଷ୍ଟାଟସ୍ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କାରୀ ବନ୍ୟାରେ ପ୍ରାୟ ୨ ମିଲିୟନ ଏକର ଫସଲ ପ୍ରଭାବିତ ହୋଇଛି। ପ୍ରାୟ ୮ ଲକ୍ଷ ପ୍ରାଣୀଧନ ପ୍ରାଣ ହରାଇଛନ୍ତି। ଏହି ବିପର୍ଯ୍ୟୟ ହେତୁ ଦେଶର ଭିତ୍ତିଭୂମି ଦୋହଲିଯାଇଛି। ବହୁ ଲୋକ ବେସହାରା ହୋଇଯାଇଛନ୍ତି। ଖାଦ୍ୟ ପାଇଁ ସଂଘର୍ଷ କରିବାକୁ ପଡ଼ୁଛି। ଏହି ବନ୍ୟା ଯୋଗୁ ୧୦ ବିଲିୟନ ଡଲାରରୁ ଅଧିକ କ୍ଷତି ଘଟିଥିବା ଅନୁମାନ କରାଯାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି।

ଏହି ପ୍ରଳୟଙ୍କାରୀ ବନ୍ୟା ଯୋଗୁ ଦେଶର ଜନସଂଖ୍ୟାର ପ୍ରାୟ ୧୫ ପ୍ରତିଶତ ଅର୍ଥାତ ପ୍ରାୟ ୩୩ ନିୟୁତ ଲୋକ  ପ୍ରଭାବିତ ହୋଇଛନ୍ତି। ଏନଡିଏମଏ ଅନୁଯାୟୀ ୧୦ ଲକ୍ଷରୁ ଅଧିକ ଘର ନଷ୍ଟ ହୋଇଯାଇଥିବା ବେଳେ ଅତିକମରେ ୫ହଜାର କିଲୋମିଟର ରାସ୍ତା ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରି ରେହମାନ ।

Advertisment

ଆକ୍ସନ୍ ଏଗନେଷ୍ଟ ହଙ୍ଗର ଅନୁଯାୟୀ, ପାକିସ୍ତାନରେ ପ୍ରାୟ ୨୭ ନିୟୁତ ଲୋକ ବନ୍ୟା ପୂର୍ବରୁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଡ଼ କରି ନ ଥିଲେ। ବର୍ତ୍ତମାନ ବନ୍ୟା ଯୋଗୁଁ ପରିସ୍ଥିତି ଅଧିକ ବିପଜ୍ଜନକ ହୋଇପଡିଛି। ବ୍ରିଟେନସ୍ଥିତ ସହାୟତା ମିଳିତ ମଞ୍ଚର ବିପର୍ଯ୍ୟୟ ଜରୁରୀକାଳୀନ କମିଟି ମୁଖ୍ୟ କାର୍ଯ୍ୟନିର୍ବାହୀ କହିଛନ୍ତି ଯେ, ବର୍ତ୍ତମାନ ଜୀବନ ରକ୍ଷା କରିବା ଆମର ପ୍ରାଥମିକତା। କାରଣ ବନ୍ୟା ଯୋଗୁ ଚାରିଆଡ଼େ ବିପୁଳ ପରିମାଣର ଫସଲ ନଷ୍ଟ ହୋଇଯାଇଛି । ଯେଉଁ କାରଣରୁ ଆଗକୁ ଭୋକ ସମସ୍ୟା ଅଧିକ ଗୁରୁତର ହେବ।

ବନ୍ୟା ପରିସ୍ଥିତି ଏକ ବଡ଼ ଚ୍ୟାଲେଞ୍ଜ ଭାବେ ପାକିସ୍ତାନ ସରକାରଙ୍କ  ସମ୍ମୁଖରେ ଛିଡ଼ା ହୋଇଥିବା ବେଳେ ଏନେ ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ଲୋକମାନେ ଖାଦ୍ୟ ଅଭାବର ସମ୍ମୁଖୀନ ହେଉଛନ୍ତି ଏବଂ ଟମାଟୋ ଏବଂ ପିଆଜ ଭଳି  ସାମଗ୍ରୀର ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ମୁଁ ମୋର ଲୋକଙ୍କୁ ଖାଇବାକୁ ଦେବାକୁ ଚାହୁଁଛି । ତାଙ୍କ ପେଟ ଖାଲି ରହିପାରିବ ନାହିଁ। "

ବନ୍ୟା ପରେ ଡାଇରିଆ ରୋଗ, ଚର୍ମ ସଂକ୍ରମଣ, ଶ୍ୱାସକ୍ରିୟା ସଂକ୍ରମଣ, ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ  ସମେତ ବହୁ ସଂଖ୍ୟକ ଜଳବାହୀ ରୋଗ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିବ ବୋଲଇ ଚେତାବନୀ ଦେଇ ସାରିଲେଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ଜୁନ୍ ମଧ୍ୟଭାଗରୁ ବନ୍ୟାରେ ୧୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୪ଶହ ଜଣ ଶିଶୁ । ଏହି ବନ୍ୟା ଯୋଗୁ ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।

ପାକିସ୍ତାନ ପାଣିପାଗ ବିଭାଗ ଅନୁଯାୟୀ, ପାକିସ୍ତାନରେ ମୌସୁମୀଜନିତ ବର୍ଷାରେ ସାଧାରଣତଃ ଅତି ପ୍ରବଳ ଧାରାରେ ବର୍ଷା ଆଣିଥାଏ, କିନ୍ତୁ ୧୯୬୧ ମସିହା ପରଠୁ ଚଳିତ ବର୍ଷର ବର୍ଷା ସବୁଠୁ ଭୟଙ୍କର ରୂପ ନେଇଛି। ଏନଡିଏମଏ ଅନୁଯାୟୀ, ଦକ୍ଷିଣ ସିନ୍ଧ ଏବଂ ବାଲୁଚିସ୍ତାନ ପ୍ରଦେଶରେ ଅଗଷ୍ଟ ୩୦ ପର୍ଯ୍ୟନ୍ତ ହାରାହାରି ବୃଷ୍ଟିପାତଠାରୁ ୫୦୦% ପ୍ରତିଶତ ଅଧିକ ହୋଇଛି । ଚଳିତ ବର୍ଷର ବନ୍ୟା ପରିସ୍ଥିତି ଦେଶର ଇତିହାସରେ ସବୁଠାରୁ ଖରାପ ସମୟ, ଏହାର ମୁକାବିଲା ନିମନ୍ତେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe