ପଠାନକୋଟ: ପଞ୍ଜାବର ପଠାନକୋଟ ଏୟାରବେସରେ ଶନିବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୩ ଜଣ ଯବାନ ସହିଦ ହୋଇଛନ୍ତି। ସେହିଭଳି ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଜି ଭୋରରୁ ଆତଙ୍କବାଦୀମାନେ ଏଠାରେ ଆକ୍ରମଣ କରିଥିଲେ। ସେନା ପୋଷାକ ପିନ୍ଧି ୬ରୁ ୭ ଆତଙ୍କବାଦୀମାନେ ଏୟାର ଫୋର୍ସ ଷ୍ଟେସନ ନିକଟରେ ପହଞ୍ଚିଥିଲେ । ସେଠାରେ ଥିବା ଏକ କୋଠାରେ ଲୁଚି ରହି ଏୟାରବେସ୍ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ।
ଏହାପରେ ସେନା ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ କରାଯାଇଥିଲା । ପ୍ରାୟ ଛଅ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ଗୁଳି ବିନିମୟ ଶେଷ ହୋଇଛି । ଆଉ କିଛି ଆତଙ୍କବାଦୀ ରହିଥିବା ସନ୍ଦେହରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇ ଖାନତଲାସି ଜାରି ରହିଛି । ଏନଏସଜି ଟିମ୍ ସହ ଯବାନଙ୍କୁ ସହାୟତା ପାଇଁ ହେଲିକପ୍ଟର ମଧ୍ୟ ମୁତୟନ କରାଯାଇଛି।
ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନିଜେ ଏହି ଅପରେସନର ତଦାରଖ କରୁଛନ୍ତି । ଏହି ଆକ୍ରମଣର ୧୨ ଘଣ୍ଟା ପୂର୍ବରୁ ସନ୍ଦିଗ୍ଧ ଆତଙ୍କବାଦୀ ଗୁରୁଦାସପୁରର ପୂର୍ବତନ ଏସପି ସଲୱିନ୍ଦର ସିଂହଙ୍କ ସହ ତାଙ୍କର ୨ଜଣ ସହଯୋଗୀଙ୍କୁ ପଠାନକୋଟ-ଜମ୍ମୁ ରୋଡରୁ ଅପହରଣ କରି କିଛି ସମୟ ପରେ ଛାଡିଦେଇଥିବା ସୂଚନା ମିଳିଛି। ଏହି ଘଟଣା ପରେ ଦିଲ୍ଲୀ ଓ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି।
ଆତଙ୍କବାଦୀ ଆକ୍ରମଣ ପରେ ଆଜି ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡ଼କାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର। ଏଥିରେ ସୁରକ୍ଷା ଅଧିକାରୀମାନେ ଯୋଗଦେବେ।