indian
ନ୍ୟୁୟର୍କ: ଗତ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍ର ୪୦ ଜଣ ଯବାନ ସହିଦ ହେବା ଘଟଣାକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହେଉଛି। କେବଳ ଭାରତ ନୁହେଁ ବିଦେଶରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ଏହି ଆକ୍ରମଣ ଦୋହଲାଇ ଦେଇଛି। ଯାହାକୁ ଏଠାରେ ରହୁଥିବା ଭାରତୀୟ ବଂଶୋଦ୍ଭବମାନେ ବିରୋଧ କରିଛନ୍ତି। ଆମେରିକାର ନ୍ୟୁ ଜର୍ସି, ନ୍ୟୁୟର୍କ ଓ ଶିକାଗୋରେ ଭାରତୀୟମାନେ ଘଟଣାକୁ ନନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି।
ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ଭାରତୀୟମାନେ ଏକାଠି ହୋଇ ପାକିସ୍ତାନ ବିରୋଧରେ ସ୍ଲୋଗାନ ଦେଇଛନ୍ତି।
ଏହାବାଦ ଆମେରିକାର ବିଭିନ୍ନ ସହରରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇ ଶୋକସଭାର ଆୟୋଜନ କରାଯାଇଛି।
ବିରୋଧ ପ୍ରଦର୍ଶନ କରୁଥିବା ଲୋକଙ୍କ ହାତରେ ପାକିସ୍ତାନ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ପାକିସ୍ତାନକୁ ଆତଙ୍କବାଦୀ ସୃଷ୍ଟି କରୁଥିବା ଦେଶ ବୋଲି ଉଲ୍ଲେଖ କରାଯାଇଛି। ଏହାସହ ଏହି ଆତଙ୍କୀ ଆକ୍ରମଣ କରିଥିବା ଜୈଶ-ଏ-ମହମ୍ମଦ ବିରୋଧରେ ମଧ୍ୟ ପୋଷ୍ଟର ପ୍ରଦର୍ଶନ କରାଯାଇଛି।
ଆନ୍ଦୋଳନକାରୀମାନେ ବିକ୍ଷୋଭ କରିବା ସହ ଜୈଶ ଓ ଅନ୍ୟ ଆତଙ୍କୀ ସଂଗଠନ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଶିକାଗୋରେ ଥିବା ୯/୧୧ ସ୍ମାରକୀ ପାଖରେ ଶହ ଶହ ସଂଖ୍ୟାରେ ଭାରତୀୟ ଏକାଠି ହୋଇ ଘଟଣାକୁ ନିନ୍ଦା କରିଛନ୍ତି। ଏହାସହ ଏହି ଆକ୍ରମଣ ପଛରେ ଥିବା ଆତଙ୍କୀଙ୍କ ବିରୋଧରେ ଭାରତ ସହ ଆମେରିକା ଛିଡା ହେବାକୁ ଅପିଲ୍ କରିଛନ୍ତି।
କେବଳ ନ୍ୟୁ ଜର୍ସି, ନ୍ୟୁୟର୍କ ଓ ଶିକାଗୋ ନୁହେଁ ୱାସିଂଟନ ଡିସି, ସିଲିକନ୍ ଭ୍ୟାଲି, ଲସ୍ ଆଞ୍ଜେଲ୍ସ, ଡେଟ୍ରୋଇଟ୍, ହୁସ୍ଟୋନ୍ ଓ ଫିନେକ୍ସରେ ମଧ୍ୟ ଭାରତୀୟମାନେ ଶହ ଶହ ସଂଖ୍ୟାରେ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/02/d0dqkxguwaai4py-555_0223190.jpg)