ଐତିହାସିକ ନିର୍ଣ୍ଣୟ: ହଟିଲା ୩୭୦, ଜମ୍ମୁ-କଶ୍ମୀର ଦୁଇ ଭାଗ

ନୂଆଦିଲ୍ଲୀ: ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଯାହା ହୋଇପାରି ନଥିଲା, ତାହା ଆଜି ମୋଦି ସରକାର କରି ଦେଖାଇଛନ୍ତି। ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର ‘ଅସ୍ଥାୟୀ’ ଧାରା ୩୭୦କୁ ଆଜି ମୋଦି ସରକାର ଉଚ୍ଛେଦ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀର ଏବେ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ତ ପାଇବ ନାହିଁ ଓଲଟା ରାଜ୍ୟ ବଦଳରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। ୩୭୦ ଧାରା ଉଚ୍ଛେଦ ହୋଇଥିବାରୁ ଧାରା ୩୫-ଏ ମଧ୍ୟ ଆପେଆପେ […]

hff

Hemant Lenka
  • Published: Monday, 05 August 2019
  • , Updated: 08 July 2021, 06:04 PM IST

ନୂଆଦିଲ୍ଲୀ: ଦୀର୍ଘ ୭୦ ବର୍ଷ ହେଲା ଦେଶରେ ଯାହା ହୋଇପାରି ନଥିଲା, ତାହା ଆଜି ମୋଦି ସରକାର କରି ଦେଖାଇଛନ୍ତି। ଦେଶଠାରୁ ଜମ୍ମୁ-କଶ୍ମୀରକୁ ଅଲଗା ରଖିଥିବା ସମ୍ବିଧାନର 'ଅସ୍ଥାୟୀ' ଧାରା ୩୭୦କୁ ଆଜି ମୋଦି ସରକାର ଉଚ୍ଛେଦ କରିଛନ୍ତି। ଅର୍ଥାତ ଜମ୍ମୁ-କଶ୍ମୀର ଏବେ ଆଉ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ତ ପାଇବ ନାହିଁ ଓଲଟା ରାଜ୍ୟ ବଦଳରେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଗଣାଯିବ। ୩୭୦ ଧାରା ଉଚ୍ଛେଦ ହୋଇଥିବାରୁ ଧାରା ୩୫-ଏ ମଧ୍ୟ ଆପେଆପେ ଅବୈଧ ହୋଇଯାଇଛି।

ସେହିପରି ମୋଦି ସରକାର ଆଜି ରାଜ୍ୟସଭାରେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ପାସ୍‌ ହୋଇଛି। ଏହି ବିଲ୍‌ ଅନୁଯାୟୀ, ଜମ୍ମୁ-କଶ୍ମୀର ଦୁଇ ଭାଗରେ ବିଭକ୍ତ କରାଯାଇଛି।

ଜମ୍ମୁ-କଶ୍ମୀର ସହ ପୂର୍ବରୁ ମିଶି ରହିଥିବା ଲଦାଖ ଏବେ ଏକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। ଜମ୍ମୁ-କଶ୍ମୀର ଓ ଲଦାଖରେ ରାଜ୍ୟପାଳଙ୍କ ବଦଳରେ ଜଣେ ଜଣେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ରହିବେ। କିନ୍ତୁ କେବଳ ଜମ୍ମୁ-କଶ୍ମୀରରେ ବିଧାନସଭା ରହିବ। ଲଦାଖରେ ଚଣ୍ଡିଗଡ଼ ଭଳି କେବଳ ଲୋକସଭା ନିର୍ବାଚନ ହେବ। ଜମ୍ମୁ-କଶ୍ମୀର ଓ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବାକୁ ଯାଉଥିବାରୁ ଏଠାରେ କେନ୍ଦ୍ର ସରକାରଙ୍କ ଶାସନ ଚାଲିବ। ଏହି ଅଂଚଳରେ ନିୟୋଜିତ ପୁଲିସ୍‌ ଓ ପ୍ରଶାସନ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିବେ।

ପୂର୍ବରୁ ଧାରା ୩୭୦ ଅନୁଯାୟୀ, ଜମ୍ମୁ-କଶ୍ମୀରର ନିଜସ୍ୱ ଏକ ସମ୍ବିଧାନ ଓ ପତାକା ରହିଥିଲା। ସେହିପରି ପ୍ରତିରକ୍ଷା, ଯୋଗାଯୋଗ ଓ ବୈଦେଶିକ ବ୍ୟାପାରକୁ ଛାଡ଼ି ଦେଲେ କେନ୍ଦ୍ରର ସମସ୍ତ ନିଷ୍ପତ୍ତି ଉପରେ ଏହି ଧାରା ପ୍ରତିବନ୍ଧକ ସାଜିଥିଲା।

କୌଣସି ପଦକ୍ଷେପ ନେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ପ୍ରଥମେ ରାଜ୍ୟ ବିଧାନସଭାର ଅନୁମତି ନେବାକୁ ପଡ଼ୁଥିଲା। ଜମ୍ମୁ-କଶ୍ମୀର ବିଧାନସଭାର ସ୍ୱତନ୍ତ୍ର କ୍ଷମତା ରହିଥିଲା। ଭାରତର କୌଣସି ରାଜ୍ୟର ଲୋକମାନେ ଏଠାରେ ସମ୍ପତ୍ତି କିଣି ପାରୁ ନଥିଲେ। ହେଲେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବିଲ୍‌ର ବ୍ୟବସ୍ଥା ଅନୁଯାୟୀ, ଏବେ ଜମ୍ମୁ-କଶ୍ମୀର ବିଧାନସଭାର କାର୍ଯ୍ୟକାଳ ୬ ବର୍ଷ ବଦଳରେ ୫ ବର୍ଷ ହେବ। ଦିଲ୍ଲୀ ଭଳି ଦେଶର ସମସ୍ତ ପ୍ରକାରର ନିୟମକାନୁନ ଜମ୍ମୁ-କଶ୍ମୀରରେ ପାଳନ କରାଯିବ। ଏହାର ବିଧାନସଭା ସଂଖ୍ୟା ୧୦୭(ପିଓକେକୁ ମିଶାଇ) ରହିଥିବା ବେଳେ ଏଥିରେ ଆଉ ୭ଟି ଆସନ ଯୋଡ଼ା ଯିବ। ପୂର୍ବ ଭଳି ପିଓକେରେ ଥିବା୨୪ଟି ଆସନ ଫାଙ୍କା ପଡ଼ିବ। ପୂର୍ବରୁ ଲଦାଖର ୪ଟି ଆସନକୁ ମିଶାଇ ଜମ୍ମୁ-କଶ୍ମୀର ବିଧାନସଭାର ଆସନ ସଂଖ୍ୟା ୮୭ (ପିଓକେର ୨୪ଟି ଆସନକୁ ବାଦ ଦେଇ) ଥିଲା।

ଏଥିସହ ଜମ୍ମୁ-କଶ୍ମୀର ସଂରକ୍ଷଣ ବିଲ୍‌ ମଧ୍ୟ ଆଜି ରାଜ୍ୟସଭାରେ ପାସ୍‌ ହୋଇଛି। ଏହି ବିଲ୍‌ ଅନୁଯାୟୀ, ଜମ୍ମୁ-କଶ୍ମୀରରେ ଆର୍ଥିକ ପଛୁଆ ଓ ସୀମାନ୍ତକୁ ଲାଗି ରହୁଥିବା ଅଧିବାସୀଙ୍କୁ ଚାକିରୀ ଓ ଶିକ୍ଷା କ୍ଷେତ୍ରରେ ୧୦% ସଂରକ୍ଷଣ ମିଳିବ।

ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଥମେ ରାଜ୍ୟସଭାକୁ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ଅବଗତ କରାଇଥିଲେ। ଏହାପରେ ସେ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଆଗତ କରିଥିଲେ। ଦିନ ତମାମ ଏହି ବିଲ୍‌କୁ ନେଇ ବିତର୍କ ହୋଇଥିଲା। ଶେଷରେ ବିଲ୍‌ ସପକ୍ଷରେ ୧୨୫ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୬୧ଟି ଭୋଟ ପଡ଼ିଥିଲା। ବିଲ୍‌କୁ ବିଜେଡି, ବିଏସ୍‌ପି, ଶିବସେନା, ଆପ, ୱାଇଏସ୍‌ଆରସିପି, ଏଆଇଏଡିଏମକେ ଓ ଟିଡିପି ସମର୍ଥନ କରିଥିଲେ।

ଅନ୍ୟପକ୍ଷରେ ବିଲକୁ କଂଗ୍ରେସ, ଡିଏମକେ, ଜେଡିୟୁ, ଏନ୍‌ସି, ଆରଜେଡି, ସିପିଆଇ, ସିପିଆଇଏମ, ପିଡିପି, ଏଡିଏମକେ ଓ ଟିଏମସି ବିରୋଧ କରିଥିଲେ।

ରାଜ୍ୟସଭାରେ ଏନ୍‌ଡିଏ ପାଖରେ ୧୦୭ ସଦସ୍ୟଙ୍କ ସମର୍ଥନ ଥିଲା। କିନ୍ତୁ ବିଲ୍‌ ପାସ୍‌ ହେବା ପାଇଁ ୧୨୧ ସାଂସଦଙ୍କ ସମର୍ଥନ ଦରକାର ପଡ଼ୁଥିଲା। ହେଲେ ଏନ୍‌ଡିଏରେ ନଥିବା ବିଏସ୍‌ପି, ଆପ, ୱାଇଏସ୍‌ଆର କଂଗ୍ରେସ, ଟିଡିପି ଓ ବିଜେଡି ଏହି ବିଲ୍‌କୁ ସମର୍ଥନ କରିବାରୁ ଏହି ସଂଖ୍ୟା ହାସଲ କରିବା ସମ୍ଭବ ହୋଇପାରିଥିଲା। ତୃଣମୂଳ କଂଗ୍ରେସ ଓ ଜେଡିୟୁ ଭୋଟିଂ ପୂର୍ବରୁ କକ୍ଷତ୍ୟାଗ କରିଥିଲେ। ସେହିପରି ଟିଡିପିର ଦୁଇ ଜଣ ସାଂସଦ ଗୃହରେ ସମ୍ବିଧାନକୁ ଅପମାନିତ କରିବାରୁ ଉଭୟଙ୍କୁ ଅଧ୍ୟକ୍ଷ ଭେଙ୍କିଆ ନାଇଡୁ ଗୃହରୁ ନିଲମ୍ୱିତ କରିଥିଲେ।

ଶ୍ରୀ ଶାହ ବିଲ୍‌ ଉପସ୍ଥାପନ କରି କହିଥିଲେ, “ଧାରା ୩୭୦ ଯୋଗୁ ଜମ୍ମୁ-କଶ୍ମୀରରେ ଶାନ୍ତି ବାଧାପ୍ରାପ୍ତ ହୋଇଛି। ସରକାର ଏବେ ଜମ୍ମୁ-କଶ୍ମୀରକୁ ସବୁଠାରୁ ବିକଶିତ ରାଜ୍ୟ ଭାବେ ଗଢ଼ିବାକୁ ଚାହୁଁଛନ୍ତି। ଧାରା ୩୭୦ ଓ ୩୫-ଏ ଥିବା ଯାଏ ଜମ୍ମୁ-କଶ୍ମୀରରୁ ଆତଙ୍କବାଦର ମୂଳପୋଛ ହୋଇପାରିବ ନାହିଁ। ଜମ୍ମୁ-କଶ୍ମୀରରେ ଏହି ଦୁଇ ସ୍ୱତନ୍ତ୍ର ଧାରା ଯୋଗୁ ଭାରତ ଠାରୁ ଏହା ପୃଥକ ହୋଇ ରହିଛି। ଫଳରେ ଦୁର୍ନୀତି ବଢ଼ିବାରେ ଲାଗିଛି।

କଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିଲେ ହେଁ ଏଠାରେ ଦୁଇଟି ପତାକା ରହୁଛି। ତ୍ରିରଙ୍ଗା ସହିତ ଏଠି ଏବେ ଜମ୍ମୁ-କଶ୍ମୀରର ସ୍ୱତନ୍ତ୍ର ପତାକା ଉଡ଼ୁଛି। ଧାରା ୩୭୦ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ଧାରା ୩୭୦ ଓ ୩୫-ଏ ଯୋଗୁ ଜମ୍ମୁ-କଶ୍ମୀରରେ କୌଣସି ଘରୋଇ ହସ୍ପିଟାଲ ପ୍ରତିଷ୍ଠା ହୋଇପାରୁ ନାହିଁ। ଫଳରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯୋଗୁ ଏଯାଏ ୪୧,୪୦୦ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ଜମ୍ମୁ-କଶ୍ମୀର ଓ ଲଦାଖର ବିକାଶ ପାଇଁ କେନ୍ଦ୍ର ସରକାର ଏହି ବିଲ୍‌ ଆଗତ କରିବାକୁ ଚାହୁଁଛନ୍ତି।”

Related story