/odisha-reporter/media/post_attachments/uploads/2022/06/sibasena.jpg)
sibasena
ମୁମ୍ବାଇ: ଉଦ୍ଧବ ଥାକେର ସରକାରଙ୍କ ଉପରେ ବିପଦ ଘନେଇ ଆସିଛି। ରାଜ୍ୟର ୨୦ ବିଧାୟକଙ୍କୁ ନେଇ ଦଳର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଧେ କେଉଁ ଆଡ଼େ ଉଭାନ ହୋଇଯାଇଛନ୍ତି। ଯାହାକୁ ନେଇ ମହାରାଷ୍ଟ୍ରଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ହଲଚଲ ସୃଷ୍ଟି ହୋଇଛି। ମହାରାଷ୍ଟ୍ର ଏମ୍ଏଲ୍ସି ନିର୍ବାଚନର ମତାମତ ଆସିବା ପରେ ଏହି ହଲଚଲ ସୃଷ୍ଟି ହୋଇଛି। ଶିବସେନାର ବହୁ ସଂଖ୍ୟକ ବିଧାୟକ ଏହି ନିର୍ବାଚନରେ କ୍ରସ୍ ଭୋଟିଂ କରିଛନ୍ତି। ଏହି ବିଧାୟକମାନେ ଏବେ ଏକନାଥଙ୍କ ସହ ଗୁଜୁରାଟର ସୁରତରେ ଥିବା ଚର୍ଚ୍ଚା ହେଉଛି।
ଶିବସେନାକୁ ଏହି ବଡ଼ କ୍ଷତି ବେଳେ କଂଗ୍ରେସ ତାର ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ଡାକି ନେଇଛି।
ସୋମବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ୧୦ ସିଟ୍ରେ ହୋଇଥିବା ବିଧାନ ପରିଷଦ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା। ଯେଉଁଥିରେ ବିଜେପିର ୫ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଯେତେବେଳେ କି ଏନ୍ସିପି ଓ ଶିବସେନାର ୨ ଜଣ ଲେଖାଏଁ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସର ଜଣେ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଶିବସେନାର ବିଧାୟକଙ୍କ ଦ୍ୱାରା ହୋଇଥିବା କ୍ରସ୍ ଭୋଟିଂ ଯୋଗୁ ଏଭଳି ପରିଣାମ ଆସିଥିବା ଆଶଙ୍କା କରାଯାଉଛି।
ସୂଚନା ଥାଉକି, ଏବେ ମହାରାଷ୍ଟ୍ର ବିଧାନସଭାର ୨୮୮ ସିଟ୍ ମଧ୍ୟରୁ ବିଜେପିର ୧୦୬ ବିଧାୟକ ରହିଛନ୍ତି। ତେଣୁ ସଂଖ୍ୟା ଗରିଷ୍ଠତା ନିମନ୍ତେ ଦଳକୁ ସ୍ୱାଧୀନ କିମ୍ବା ଛୋଟ ଦଳଗୁଡ଼ିକରୁ ଜିତିଥିବା ବିଧାୟକଙ୍କ ସମର୍ଥନ ଆବଶ୍ୟକ ପଡ଼ିବ।
ତେଣେ ଏକନାଥ ଆଜି ଅପରାହ୍ନ ୨ଟା ବେଳେ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷରେ ୨୦ ବିଧାୟକ ଥିବା ଦାବି କରିବେ ବୋଲି ଜଣାପଡ଼ିଛି। ଏହି ବିଧାୟକଙ୍କ ଭିତରେ ପଶ୍ଚିମ ମହାରାଷ୍ଟ୍ର, ମରାଠାବାଡ଼ା, ବିଦର୍ଭର ବିଧାୟକମାନଙ୍କ ସମର୍ଥନ ଥିବା ସୂଚନା ମିଳୁଛି। ବିଧାୟକମାନେ ରହିଥିବା ହୋଟେଲ ଭିତରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କାହାକୁ ପଶାଇ ଦିଆଯାଉନି।
ସୂଚନା ଥାଉକି, ଶିବସେନା ମେଣ୍ଟ ପାଖରେ ଅନୁମାନିକ ୬୪ ଭୋଟ ଥିବା ଅନୁମାନ କରାଯାଉଥିଲା। କେବଳ ଶିବସେନା ପାଖରେ ୫୫ ଭୋଟ ଥିଲା। ଜଣେ ବିଧାୟକଙ୍କ ନିକଟରେ ମୃତ୍ୟୁ ହୋଇଯାଇଥିଲା। ତେବେ ଏମ୍ଏଲ୍ସି ନିର୍ବାଚନରେ ଶିବସେନାକୁ ମାତ୍ର ୫୨ ଭୋଟ ମିଳିଛି। ଏହା ଦଳର ସଂଖ୍ୟା ଗରିଷ୍ଠତାଠାରୁ ୧୨ ଭୋଟ କମ୍।
ତେଣେ ଏଭଳି ବିଦ୍ରୋହକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆଜି ମଧ୍ୟାହ୍ନରେ ଦଳର ଜରୁରୀ ବୈଠକ ଡାକିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
