Advertisment

ପାକିସ୍ତାନ ଓ ଚାଇନାକୁ ମହଙ୍ଗା ପଡ଼ିପାରେ ତାଲିବାନ ପ୍ରେମ, ଆମେରିକା ହାତରେ ଚାବିକାଠି

ବେଜିଂ/ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନ ଖୁବଶୀଘ୍ର ନିଜକୁ ଶାସକ ଭାବରେ ଘୋଷଣା କରିବାକୁ ଯାଉଛି। ଏଥିପାଇଁ ତାଲିବାନର ଟପ୍ କମାଣ୍ଡର ଦୋହା ଏବଂ କାବୁଲରେ ଘନ ଘନ ବୈଠକ କରିବା ସହିତ ଆଫଗାନିସ୍ତାନର ରାଜନେତାଙ୍କ ସହ ବିଚାର ବିମର୍ଶ କରୁଛନ୍ତି। ଯେହେତୁ ତାଲିବାନ ଆଫଗାନିସ୍ତାନକୁ କବଜା କରିଛି ତେଣୁ ଅନେକ ଦେଶ ଏହି ତାଲିବାନ ଶାସନକୁ ଗ୍ରହଣ କରିବେ କି ନାହିଁ କିଛି ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ପାକିସ୍ତାନ ଏବଂ ଚାଇନା ତାଲିବାନ ଶାସନକୁ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ପାକିସ୍ତାନ ଓ ଚାଇନାକୁ ମହଙ୍ଗା ପଡ଼ିପାରେ ତାଲିବାନ ପ୍ରେମ, ଆମେରିକା ହାତରେ ଚାବିକାଠି

Imran-Xing

ବେଜିଂ/ନୂଆଦିଲ୍ଲୀ: ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନ ଖୁବଶୀଘ୍ର ନିଜକୁ ଶାସକ ଭାବରେ ଘୋଷଣା କରିବାକୁ ଯାଉଛି। ଏଥିପାଇଁ ତାଲିବାନର ଟପ୍ କମାଣ୍ଡର ଦୋହା ଏବଂ କାବୁଲରେ ଘନ ଘନ ବୈଠକ କରିବା ସହିତ ଆଫଗାନିସ୍ତାନର ରାଜନେତାଙ୍କ ସହ ବିଚାର ବିମର୍ଶ କରୁଛନ୍ତି।

Advertisment

ଯେହେତୁ ତାଲିବାନ ଆଫଗାନିସ୍ତାନକୁ କବଜା କରିଛି ତେଣୁ ଅନେକ ଦେଶ ଏହି ତାଲିବାନ ଶାସନକୁ ଗ୍ରହଣ କରିବେ କି ନାହିଁ କିଛି ସ୍ପଷ୍ଟ କରି ନାହାନ୍ତି। କିନ୍ତୁ ପାକିସ୍ତାନ ଏବଂ ଚାଇନା ତାଲିବାନ ଶାସନକୁ ମାନ୍ୟତା ଦେବା ପାଇଁ ବ୍ୟଗ୍ର ହେଲେଣି। ଯାହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ସେମାନଙ୍କ ଆକଳନ ଅନୁଯାୟୀ ତରବରିଆ ଭାବରେ ତାଲିବାନ ଶାସନକୁ ମାନ୍ୟତା ଦେବା ଭବିଷ୍ୟତରେ ଏହି ଦୁଇ ଦେଶକୁ ମହଙ୍ଗା ହୋଇପାରେ ଏବଂ ଉଭୟଙ୍କ ମଧ୍ୟରେ କନ୍ଦଳ ସୃଷ୍ଟି କରିପାରେ।

ଏମିତିକି ଉଭୟ ଦେଶକୁ ଦୀର୍ଘମିଆଦି ଭାବରେ କ୍ଷତି ପହଞ୍ଚାଇବ ବୋଲି ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। କାରଣ ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନକୁ ନେଇ ବେସ୍ ଉତ୍ସାହିତ ରହିଛି ଆତଙ୍କବାଦୀ ସଂଗଠନ ଅଲ କାଏଦା ଏବଂ ଇସଲାମିକ୍ ଷ୍ଟେଟ୍ (ଆଇଏସ)। ଦୀର୍ଘ ଦିନ ଧରି ବିଭିନ୍ନ କାରଣ ପାଇଁ ସୁପ୍ତ ରହିଥିବା ଏହି ଆତଙ୍କୀ ସଂଗଠନ ଏବେ ତାଲିବାନ ଶାସନ ଜରିଆରେ ପୁଣି ମୁଣ୍ଡ ଟେକିବ ବୋଲି ଯୋଜନା କରୁଛି।

Advertisment

ହଂକଂର 'ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ'ର ଏକ ଆଲେଖ୍ୟରେ କିଛି ପାକିସ୍ତାନୀ ବିଶ୍ଳେଷକଙ୍କ ଉଦ୍ଧେଶ୍ୟରେ କୁହାଯାଇଛି ଯେ ଆଫଗାନିସ୍ତାନରେ ତାଲିବାନ ପ୍ରତ୍ୟାବର୍ତ୍ତନକୁ ନେଇ ପାକିସ୍ତାନ ସରକାର ଏବେ ବେଶ ଆଶ୍ୱସ୍ତ। ଯେଉଁଭଳି ଭାବରେ ପାକିସ୍ତାନରେ ଉତ୍ସବ ଏବଂ ମନ୍ତ୍ରୀ ମାନେ ବୟାନବାଜି କରୁଛନ୍ତି ଏଥିରୁ ଏହା ଦୃଶ୍ୟମାନ ହେଉଛି। ତାଲିବାନ କାବୁଲକୁ କାବୁ କରିବାର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ଆଫଗାନିସ୍ତାନ ଲୋକମାନେ ପାଶ୍ଚାତ୍ୟର ଦାସତ୍ୱର ବନ୍ଧନକୁ ଭାଙ୍ଗିଛନ୍ତି। ଇମ୍ରାନ୍ ଏଭଳି କହି ପରୋକ୍ଷରେ ଆମେରିକାକୁ କଟାକ୍ଷ କରିଛନ୍ତି।

ତାଲିବାନ ସହ ସାମୂହିକ କୂଟନୀତିକ ସମ୍ପର୍କ ପ୍ରତିଷ୍ଠା ପାଇଁ ଚାଇନା ଓ ରୁଷିଆକୁ ନେଇ ପାକିସ୍ତାନ ଲବି କରୁଛି ବୋଲି ଆଲେଖ୍ୟରେ କୁହାଯାଇଛି। ଆଫଗାନିସ୍ତାନରେ ତାଲିବାନ ଗୋଟିଏ ଭଲ ଶାସନ ଦେଉ, ଆତଙ୍କବାଦୀ ଆକ୍ରମଣକୁ ରୋକିବା ଏବଂ ମହିଳାଙ୍କୁ ଶିକ୍ଷା ଏବଂ ରୋଜଗାର ଦେବା ପାଇଁ ପ୍ରତିଶ୍ରୁତି ଦେଉ ବୋଲି ପାକିସ୍ତାନ ଭାବୁଛି। ଯଦି ଏଭଳି ତାଲିବାନର ଆଭିମୁଖ୍ୟ ରହିବ ତା'ହେଲେ ଅନେକ ଦେଶର ସମର୍ଥନ ହାସଲ କରିବ।

ଆମେରିକାରେ ଥିବା ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ମାଲିହା ଲୋଧି କହିଛନ୍ତି ଯେ ପଡୋଶୀ (ଆଫଗାନିସ୍ତାନ) ଦେଶରେ ଶାନ୍ତି ଯଦି ବଜାୟ ରହିବ ତାହେଲେ ପାକିସ୍ତାନ ଅଧିକ ଲାଭବାନ ହେବ। ଏହି ଧାରାରେ ତାଲିବାନ ଯଦି ଶାନ୍ତି ବଜାୟୀ ରଖିବ ତାହେଲେ ପାକିସ୍ତାନ ପଶ୍ଚିମ ସୀମାରେ ଅସ୍ଥିରତା ଦେଖାଦେବନି। ଏହାଦ୍ୱାରା ପାକିସ୍ତାନ ଲାଭରେ ରହିବ। ଅପରପକ୍ଷେ, ଯଦି ଏଭଳି ନହେବ ତାହେଲେ ଆଫଗାନିସ୍ତାନର ଭବିଷ୍ୟତ ଅସ୍ଥିର ରହିବ। ଯାହା ପାକିସ୍ତାନର ସ୍ୱାର୍ଥ ପ୍ରତି ଘାଟା ହେବ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ପୂର୍ବତନ ମୁଖ୍ୟ ସମ୍ପାଦକ ୱାଙ୍ଗ ଜିଆଙ୍ଗୱାଇ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି ଯେ ଆମେରିକାର ଦୀର୍ଘତମ ଯୁଦ୍ଧ ଏକ ବିପର୍ଯ୍ୟୟ ସହ ଶେଷ ହୋଇଛି। ସେ କହିଛନ୍ତି ଯେ ଚାଇନାର ସରକାରୀ ଗଣମାଧ୍ୟମର ରିପୋର୍ଟ ଏବଂ ସମୀକ୍ଷକମାନେ ଆଫଗାନିସ୍ତାନରେ ଆମେରିକାର ପରାଜୟକୁ ପରିହାସ କରୁଛନ୍ତି। କିନ୍ତୁ ଏହା ଭୁଲିଯିବା ଉଚିତ ନୁହେଁ ଯେ ଆଫଗାନିସ୍ତାନ ହେଉଛି ସେହି ଦେଶ ଯାହାକୁ 'ସମାଧିସ୍ଥଳ' ବୋଲି କୁହାଯାଏ।

ସେ କହିଛନ୍ତି ଯେ ଚାଇନା ଏଭଳି ପଦକ୍ଷେପ ନନେବା ଦରକାର ଯଦ୍ୱାରା ବ୍ରିଟେନ, ରୁଷିଆ ଏବଂ ଆମେରିକାକୁ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିବ। ୱାଙ୍ଗ କହିଛନ୍ତି ଯେ ଆଫଗାନିସ୍ତାନରେ ଆମେରିକାର ପରାଜୟକୁ ବିଶ୍ୱ କ୍ଷମତାରେ ଆମେରିକାର ପତନ ବୋଲି ଚାଇନା ବିବେଚନା କରୁଛି। କିନ୍ତୁ କିଛି ଅନ୍ତର୍ଜାତୀୟ ସମୀକ୍ଷକ ବିଶ୍ୱାସ କରନ୍ତି ଯେ ଏହା ଚାଇନାକୁ ଏକ ଅସମ୍ପୂର୍ଣ୍ଣ ରଣନୀତିକ ବିଜୟ ଦେବ।

ସିଙ୍ଗାପୁରର ଏସ ରାଜାରତନାମ୍ ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜର ଅନ୍ୟତମ ଗବେଷକ ଅବଦୁଲ୍ ବସିତ କହିଛନ୍ତି ଯେ ତାଲିବାନକୁ ସାହାଯ୍ୟ କରି ପାକିସ୍ତାନ ଭାରତକୁ ଆଫଗାନିସ୍ତାନରୁ ଦୂରେଇ ରଖିବାକୁ ଚାହୁଁଛି। ଯେତେବେଳ ଘନି ସରକାର ସହିତ ଭାରତର ସମ୍ପର୍କ ଭଲ ଥିଲା ସେତେବେଳେ ତାଲିବାନର ଲକ୍ଷ୍ୟ ଥିଲା ପାକିସ୍ତାନରେ ଥିବା ଆଶ୍ରୟସ୍ଥଳର ସୁଯୋଗ ନେଇ ଆମେରିକାକୁ ଆଫଗାନିସ୍ତାନରୁ ତଡିପାର କରାଇବା।

ବିଶେଷଜ୍ଞମାନେ କହିଛନ୍ତି ଯେ ପାକିସ୍ଥାନ ଏବଂ ଚାଇନାକୁ ଆମେରିକା ସମୟ ଦେଖି ଝଟକା ଯେ ନଦେବ ତାର ଗ୍ୟାରେଣ୍ଟି ନାହିଁ। କାରଣ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ଚାଇନା ଆଫଗାନିସ୍ତାନ ପ୍ରତି ଅଧିକ ଆଗ୍ରହ ଦେଖାଇପାରେ।

ସୂଚନାଯୋଗ୍ୟ, ତାଲିବାନ ବିରୋଧରେ ପ୍ରତିଶୋଧ ନେବାକୁ ଯାଇ ଆମେରିକା ଆତଙ୍କବାଦ ଏବଂ ତାଲିବାନକୁ ପାକିସ୍ତାନ ବିରୋଧ କରୁ ବୋଲି ଚାପ ପକାଇପାରେ। ତାଲିବାନ ପ୍ରତି ପାକିସ୍ତାନ ଏବଂ ଚାଇନା ଅଧିକ ଆଗ୍ରହ ଦେଖାଉଛି ବୋଲି ଆମେରିକା ହୃଦବୋଧ କରିବ, ତା'ହେଲେ ଆମେରିକା ପାକିସ୍ତାନର ଚାବିକାଠିକୁ ନିଜ ସପକ୍ଷରେ ନେବା ପାଇଁ ମୋଡ଼ି ଦେଇପାରେ। ଆଉ କରଜ ଏବଂ ଦେବାଳିଆ ପରିସ୍ଥିତି ଦେଖି ପାକିସ୍ତାନ ଆମେରିକା କଥାରେ ଉଠବସ ହେଲା ତା'ହେଲେ ପାକିସ୍ତାନ ଏବଂ ଚାଇନା ମଧ୍ୟରେ କନ୍ଦଳ ବଢିବା ସୁନିଶ୍ଚିତ। ଯାହାକି ପରୋକ୍ଷରେ ଆଫଗାନିସ୍ତାନର ତାଲିବାନ ଶାସନକୁ ଝଟକା ଦେବ।

Pakistan USA China Taliban