/odisha-reporter/media/post_attachments/uploads/2021/01/Dhananjay-Munde.jpg)
Dhananjay-Munde
ମୁମ୍ୱାଇ: ଅଡ଼ୁଆରେ ମହାରାଷ୍ଟ୍ରର ସାମାଜିକ ଓ ନ୍ୟାୟ ମନ୍ତ୍ରୀ ତଥା ଏନସିପି ନେତା ଧନଞ୍ଜୟ ମୁଣ୍ଡେ। ଏହି ଯୁବ ନେତା ସରକାରରେ ଥିଲେ ମଧ୍ୟ ଅଭିଯୋଗ ଏମିତି ଯେ ତାଙ୍କ ବିଧାୟକ ପଦ ରଦ୍ଦ ହୋଇପାରେ। କାରଣ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ସହିତ ନିର୍ବାଚନୀ ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଅଭିଯୋଗ ରହିଛି। ଯାହାକୁ ଦେଇ ଏନିସିପି ସୁପ୍ରିମୋ ଶରଦ ପାଓ୍ୱାର ମଧ୍ୟ ଚିନ୍ତାବ୍ୟକ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ପାଇଁ ସିଗନାଲ ଦେଇଛନ୍ତି।
ଏନସିପି ନେତା ଧନଞ୍ଜୟ ମୁଣ୍ଡେଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ୨୦୦୬ରୁ ଧନଞ୍ଜୟ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ୩୭ ବର୍ଷୀୟ ଏହି ମହିଳା ଜଣଙ୍କ ପେଶାରେ ଜଣେ ସିଙ୍ଗର। ପୂର୍ବରୁ ସେ ପୁଲିସ କମିଶନରଙ୍କ ପାଖରେ ଅଭିଯୋଗ କରିଥିଲେ ବି ଏତଲା ଗ୍ରହଣ ହୋଇନଥିଲା। ଏବେ ସେ ଟୁଇଟ୍ କରି ସମସ୍ତ ମାମଲାକୁ ସାର୍ବଜନୀନ କରିଛନ୍ତି। ଏହି ଟୁଇଟରେ ସେ ଶରଦ ପାଓ୍ୱାର, ବିରୋଧୀ ଦଳର ନେତା ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଟ୍ୟାଗ କରିଥିବା ଜଣାପଡ଼ିଛି।
ଏହାପରେ ଶରଦ ପାଓ୍ୱାର ମୁଣ୍ଡେଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗୁରୁତର ବୋଲି କହିଛନ୍ତି। ଦଳର କୋର କମିଟି ସଦସ୍ୟଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପାଓ୍ୱାର କହିଛନ୍ତି।
ଅନ୍ୟପଟେ ମୁଣ୍ଡେ କହିଛନ୍ତି ପୂର୍ବରୁ ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ମହିଳା ଜଣଙ୍କ ତାଙ୍କୁ ବ୍ଲାକମେଲ କରୁଛନ୍ତି ବୋଲି ସେ କହିଛନ୍ତି। ଶ୍ରୀ ମୁଣ୍ଡେ (୪୫ ) କହିଛନ୍ତି ଯେ ସେ ୨୦୦୩ ମସିହାରୁ ଅଭିଯୋଗକାରୀ ମହିଳାଙ୍କ ଭଉଣୀ ସହିତ ତାଙ୍କର ସମ୍ପର୍କ ରହିଛି। ତାଙ୍କର ଦୁଇଟି ସନ୍ତାନ ରହିଛି। ଏହି ସମ୍ପର୍କକୁ ତାଙ୍କ ପ୍ରଥମ ସ୍ତ୍ରୀ ମଧ୍ୟ ଗ୍ରହଣ କରିଥିଲେ ବୋଲି ସେ କହିଛନ୍ତି।
ଏ ଘଟଣା ମୋ ପରିବାର, ସ୍ତ୍ରୀଙ୍କୁ ଜଣା। ମୋ ପରିବାର, ପତ୍ନୀ ଏବଂ ମୋ ପିଲାମାନେ ମଧ୍ୟ ଏହି ଦୁଇ ପିଲାମାନଙ୍କୁ ପରିବାର ସଦସ୍ୟ ଭାବରେ ଗ୍ରହଣ କରିଛନ୍ତି। ଏବେ ବ୍ଲାକମେଲିଂ, ବଦନାମ କରିବା ପାଇଁ ଏହି ସମ୍ପୂର୍ଣ୍ଣ ମାମଲା ତିଆରି କରାଯାଇଛି। ତେଣୁ ଏପରି ଅଭିଯୋଗକୁ ଗ୍ରହଣ ନକରିବାକୁ ସେ କହିଛନ୍ତି।
ସେହିପରି ବିରୋଧୀ କହିଛନ୍ତି ନିର୍ବାଚନୀ ସତ୍ୟପାଠରେ ଦ୍ୱିତୀୟ ପରିବାର ବା ସ୍ତ୍ରୀ ବାବଦରେ ଧନଞ୍ଜୟ ଉଲ୍ଲେଖ କରି ନାହାନ୍ତି। ଧନଞ୍ଜୟ ଯାହା ଦାଖଲ କରିଛନ୍ତି ତାହା ମିଥ୍ୟା ସତ୍ୟପାଠ। ତେଣୁ ତାଙ୍କ ପଦ ରଦ୍ଦ ହେବା ଦରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
