/odisha-reporter/media/post_attachments/uploads/2022/05/SL-Oppn-submits.jpg)
SL-Oppn-submits
କଲମ୍ବୋ : ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷଙ୍କୁ ବହିଷ୍କାର କରିବା ପାଇଁ ତାଙ୍କ ବିରୋଧରେ ମହାଭିଯୋଗ ନୋଟିସ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଥିବା ତାଙ୍କ ବଡ଼ ଭାଇ ମହିନ୍ଦ୍ରା ରାଜପକ୍ଷଙ୍କ ବିରୋଧରେ ଅନାସ୍ଥା ନୋଟିସ ଦାଖଲ ହୋଇଛି। ସାମାଗି ଜନ ବାଲାଓ୍ୱାଗାୟା ବା ୟୁନାଟେଡ୍ ପିପୁଲ ଫୋର୍ସ ପକ୍ଷରୁ ବିରୋଧୀ ଦଳ ନେତା ସଜିତ ପ୍ରେମଦାସା ବାଚସ୍ପତି ମହିନ୍ଦ୍ରା ୟାପା ଅଭୟବର୍ଦ୍ଧନଙ୍କୁ ଏହି ଦୁଇଟି ନୋଟିସ ହସ୍ତାନ୍ତର କରିଛନ୍ତି। ଯାହା ସେ ସଂସଦରେ ଘୋଷଣା କରିବେ ଓ ସେମାନଙ୍କ ଆଗାମୀ ଭବିଷ୍ୟତ ଏହା ଉପରେ ସ୍ଥିର କରିବେ।
ଅନାସ୍ଥା ପ୍ରସ୍ତାବ ଉପରେ ଜିତିବାକୁ ହେଲେ ବିରୋଧୀଙ୍କୁ ୨୨୫ ସାଂସଦଙ୍କ ଭିତରୁ ଅଧିକ ମତ ନିଜ ପକ୍ଷରେ ରଖିବାକୁ ପଡ଼ିବ। ଯେତେବେଳେ କି ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଅନୁମୋଦନ ନିମନ୍ତେ ସଂସଦରେ ୨/୩ ପ୍ରତିଶତ ମତ ସହ ସୁପ୍ରିମ କୋର୍ଟଙ୍କ ମଞ୍ଜୁରୀ ଆବଶ୍ୟକ ପଡ଼ିବ।
ସାମାଗି ଜନ ବାଲାଓ୍ୱାଗାୟା ଦଳ ପାଖରେ ପ୍ରାୟ ୫୦ ସାଂସଦଙ୍କ ସମର୍ଥନ ରହିଛି। ସରକାର ଭାଙ୍ଗିବାକୁ ହେଲେ ତାଙ୍କୁ ଅନ୍ୟ ବିରୋଧୀ ଦଳଙ୍କ ସମର୍ଥନ ପାଇବାକୁ ହେବ।
ସରକାରଙ୍କ ବିରୋଧରେ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବରେ ବିରୋଧୀ ଦଳ କହିଛି, ଦେଶର ଆର୍ଥିକ ଅବସ୍ଥା ସମ୍ପର୍କରେ ସମୟ ଉପଯୋଗୀ ରିପୋର୍ଟ ଉପସ୍ଥାପନ କରିବାରେ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀମାନେ ବିଫଳ ହୋଇଛନ୍ତି। ଶ୍ରୀଲଙ୍କାରେ ସ୍ଥିରତା ବଜାୟ ରଖିବା ଏବଂ ଏଠାର ଲୋକଙ୍କୁ ଆବଶ୍ୟକ ଖାଦ୍ୟ, ପୋଷାକ, ଘର ପ୍ରଭୃତି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି। ଯାହା ଫଳରେ ଶ୍ରୀଲଙ୍କା ଏସିଆ ମହାଦେଶର ସବୁଠାରୁ ପଛୁଆ ଆର୍ଥିକ ବିକାଶ ଦେଶ ହୋଇଯାଇଛି।
ଦେଶବାସୀ ନିମ୍ନ ମୁଦ୍ରାସ୍ଫୀତିର ସାମ୍ନା କରିଥିବା ବେଳେ ଏ ବାବଦରେ ସରକାର କେବେବି ସଂସଦରେ ଜଣାଇ ନ ଥିଲେ। ସେହିପରି ସରକାର କେମିକାଲ ଯୁକ୍ତ ସାରକୁ ଅବୈଧ ଘୋଷଣା କରି ଦେଶକୁ ଖାଦ୍ୟ ସୁରକ୍ଷା ସଙ୍କଟକୁ ଠେଲି ଦେଇଛି। ଦେଶର ଆର୍ଥିକ ସ୍ଥିତିକୁ ଧ୍ୱଂସ କରିଦେବା ସହ ଲୋକଙ୍କ ଆବଶ୍ୟକ ମୁତାବକ ତୈଳ ଓ ରନ୍ଧନ ଗ୍ୟାସ୍ ଯୋଗାଇବାରେ ବିଫଳ ହୋଇଛନ୍ତି। ନିକୃଷ୍ଟ ଧରଣର ଗ୍ୟାସ୍ ଆମଦାନୀ କରିବା ଯୋଗୁ ବିସ୍ଫୋରଣ ଘଟି ୮ ଲୋକଙ୍କ ମୃତ୍ୟୁର କାରଣ ହେଲା। ସରକାର ଡାକ୍ତରଖାନା ଚାଲିବା ନିମନ୍ତେ ଆବଶ୍ୟକ ବିଜୁଳି, ଔଷଧ ଓ ଅନ୍ୟାନ୍ୟ ଉପକରଣ ଯୋଗାଇବାରେ ବିଫଳ ହୋଇଛି। କରୋନା ସମୟରେ ବିଶେଷଜ୍ଞଙ୍କ କଥାକୁ ଠିକ୍ ଭାବେ ପାଳନ ନ କରି ୧୦ ହଜାର ଲୋକଙ୍କୁ ମୃତ୍ୟୁମୁଖକୁ ଠେଲି ଦେଲେ।
ଏପ୍ରିଲ ପହିଲାରୁ ରାଷ୍ଟ୍ରପତି ତାଙ୍କ ପଦବୀର ଦୁରୁପଯୋଗ କରି ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ତାଙ୍କ ବିରୋଧରେ ଉଠିଥିବା ଲୋକଙ୍କ ସ୍ୱର ଦବାଇ ଦେବା ନିମନ୍ତେ ସୋସିଆଲ ମିଡ଼ିଆ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏପରିକି ତୈଳ ନିମନ୍ତେ ଆନ୍ଦୋଳନ କରୁଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ ମାରିଦିଆଯାଇଛି।
ରାସାୟନିକ ସାର ବ୍ୟବହାରକୁ ନିଷିଦ୍ଧ କରିବା ଓ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ସହାୟତା ନେବାରେ ବିଳମ୍ବ କରିବା ଦେଶରେ ଆର୍ଥିକ ସଙ୍କଟ ଓ ଆର୍ଥିକ ମାନ୍ଦାବସ୍ଥା ସୃଷ୍ଟି କରିଛି। ଲୋକଙ୍କୁ ଖାଦ୍ୟ, ତୈଳ, ଗ୍ୟାସ, ଔଷଧ ମିଳୁନି। ଆବଶ୍ୟକ ବିଜୁଳି ଉପ୍ତାଦନ ହେଉ ନ ଥିବାରୁ ବିଜୁଳି କାଟ ଜନିତ ଲୋକଙ୍କୁ ଅନ୍ଧାର ଓ ଅସୁବିଧାରେ ଚଳିବାକୁ ପଡ଼ୁଛି। ଦୀର୍ଘମାସ ଧରି ରାଷ୍ଟ୍ରପତି ଗୋତବାୟାଙ୍କୁ ହଟାଇବା ନିମନ୍ତେ ଶ୍ରୀଲଙ୍କାରେ ଆନ୍ଦୋଳନ ଚାଲିଛି। ଦେଶ ବାହାରେ ମଧ୍ୟ ଏହାର ଶବ୍ଦ ଶୁଣିବାକୁ ମିଳୁଛି। ଅସନ୍ତୁଷ୍ଟ ଲୋକେ ରାଷ୍ଟ୍ରପତି ଅଫିସ୍ ଓ ପ୍ରଧାନମନ୍ତ୍ରୀଙ୍କ ଆବାସିକ ଅଫିସ୍ ବାଟକୁ ବନ୍ଦ କରିଦେଇଛନ୍ତି। ସରକାରଙ୍କୁ କ୍ଷମତାରୁ ହଟାଇବାକୁ ମଧ୍ୟ ଟ୍ରେଡ ୟୁନିୟନ ପକ୍ଷରୁ ହରତାଳ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
