biju
ଭୁବନେଶ୍ୱର : ଲଦାଖର ଚୁଷୁଲକ୍ଷେତ୍ରରେ ଥିବା ଏକ ପର୍ବତ ଶିଖରକୁ ଚୀନ କବଳମୁକ୍ତ କରିବା ପାଇଁ ଅଗଷ୍ଟ ୩୦ ତାରିଖରେ ଉଦ୍ୟମ ଚଳାଇଥିଲେ ଭାରତର ଜଣେ ସାହସୀ ସୈନିକ। ତାଙ୍କ ନାଁ ନିୟିମା ତେନ୍ଜିନ୍। ସେହି ଅଭିଯାନ ସମୟରେ ଗୁପ୍ତରେ ବିଛା ଯାଇଥିବା ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟି ନିୟିମା ନିହତ ହୋଇଥିଲେ। ପରେ ସମସ୍ତ ସାମରିକ ସମ୍ମାନ ସହିତ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ନିୟିମା ଥିଲେ ‘ସ୍ୱତନ୍ତ୍ର ସୀମା ବଳ’ ବା ସ୍ପେଶାଲ ଫ୍ରଣ୍ଟିଅର୍ ଫୋର୍ସର ଜଣେ ସଦସ୍ୟ। ତାଙ୍କର ଶହୀଦ ହେବା ଘଟଣା ପରେ ସୀମାନ୍ତରେ ଲଢ଼ିବା ପାଇଁ ଏହିପରି ଏକ ବାହିନୀ ଅଛି ବୋଲି ଜଣାପଡ଼ିଲା। ବାସ୍ତବରେ ଏହି ବାହିନୀ ଅତ୍ୟନ୍ତ ଗୋପନରେ କାର୍ଯ୍ୟ କରେ। ଏହା ଭାରତୀୟ ସେନା ବାହିନୀ ଅଧୀନରେ କାର୍ଯ୍ୟ କରେ ନାହିଁ। ଏହା ଭାରତର ଅତ୍ୟନ୍ତ ଗୋପନୀୟ ଗୁଇନ୍ଦା ବାହିନୀ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଉଇଙ୍ଗ ବା ର ଅଧୀନରେ କାର୍ଯ୍ୟ କରିଥାଏ। ଓଡ଼ିଆଙ୍କ ପାଇଁ ଗର୍ବର କଥା ହେଲା ସ୍ୱତନ୍ତ୍ର ସୀମା ବଳ ଏସଏଫଏଫ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବିଜୁ ପଟ୍ଟନାୟକ। ଏ ବିଷୟ ଲୋକଲୋଚନକୁ ଆଣିଛନ୍ତି ଗବେଷକ ଅନୀଲ ଧୀର।
ଗବେଷକ ଗଣମାଧ୍ୟମକୁ ପ୍ରଦାନ କରିଥିବା ସୂଚନା ଅନୁସାରେ ୧୯୬୨ ଯୁଦ୍ଧରେ ଚୀନଠାରୁ ଭାରତ ପରାସ୍ତ ହେବା ପରେ ଏପରି ଏକ ଗରିଲା ବାହିନୀ ପ୍ରତିଷ୍ଠା କରିବା ପାଇଁ ବିଜୁବାବୁ ଉଦ୍ୟମ କରିଥିଲେ। ତତ୍କାଳୀନ ଗୁଇନ୍ଦା ବ୍ୟୁରୋ ମୁଖ୍ୟ ବିଏନ୍ ମଲ୍ଲିକଙ୍କ ସହଯୋଗରେ ସେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ଏ ବିଷୟରେ ବୁଝେଇଥିଲେ। ଏହି ଗରିଲା ବାହିନୀରେ ନେପାଳ ଓ ତିବ୍ବତରେ ଲଢ଼ିଥିବା ସିଆଇଏ ତାଲିମପ୍ରାପ୍ତ ଖମ୍ପା ସେନା ଓ ତିବ୍ବତୀୟ ଶରଥାର୍ଥୀଙ୍କୁ ସାମିଲ କରିବା ପାଇଁ ଯୋଜନା ହୋଇଥିଲା। ପଣ୍ଡିତ ନେହରୁ ପ୍ରସ୍ତାବରେ ରାଜି ହେବା ପରେ ୧୯୬୨ ମସିହାର ନଭେମ୍ବର ୧୪ ତାରିଖରେ ଏସଏଫଏଫ ପ୍ରତିଷ୍ଠା କରାଯାଇଥିଲା। ଏ ବିଷୟରେ କେନେଥ କନ୍ବୟ ଓ ଜେମ୍ସ ମୋରିସନଙ୍କ ଲିଖିତ ଦ ସିଆଇଏ’ସ ସିକ୍ରେଟ ୱାର୍ ଇନ୍ ତିବ୍ତ ବହିରେ ଉଲ୍ଲେଖ ରହିଛି। ଚୀନର ଅତ୍ୟାଚାରରେ ଅତିଷ୍ଠ ହୋଇ ତିବ୍ବତୀୟଙ୍କ ଧର୍ମଗୁରୁ ଦଲାଇ ଲାମା ୧୯୫୯ ମସିହାରେ ଭାରତକୁ ପଳାଇ ଆସିଥିଲେ। ତାଙ୍କ ସହିତ ଅନେକ ତିବ୍ବତୀୟ ଭାରତକୁ ଚାଲି ଆସିଥିଲେ। ନେହରୁଙ୍କ ଅନୁରୋଧରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ରାଜ୍ୟର ଚନ୍ଦ୍ରଗିରିଠାରେ ପ୍ରାୟ ୨୦୦୦ ତିବ୍ବତୀୟ ପରିବାରଙ୍କୁ ଥଇଥାନ କରାଇଥିଲେ। ସେଥିପାଇଁ ଆଜି ବି ଚନ୍ଦ୍ରଗିରି ତିବ୍ବତୀୟଙ୍କ ଘରେ ଦଲାଇ ଲାମାଙ୍କ ସହିତ ବିଜୁ ପଟ୍ଟନାୟକଙ୍କ ଫଟୋକୁ ମଧ୍ୟ ପୂଜା କରାଯାଏ।
ବିଜୁବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସାଉଥ୍ ବ୍ଲକ୍ରେ ତାଙ୍କ ପାଇଁ ଏକ ଅଫିସ ବ୍ୟବସ୍ଥା ହୋଇଥିଲା। ସେତେବଳର ଗୁଇନ୍ଦା ବ୍ୟୁରୋ ମୁଖ୍ୟ ବିଏନ ମଲ୍ଲିକ, ସ୍ୱରାଷ୍ଟ୍ର ସଚିବ ଏଲପି ସିଂହ ଏବଂ ବିଜୁ ପଟ୍ଟନାୟକଙ୍କୁ ନେଇ ଗଠିତ ହୋଇଥିଲା ନିରାପତ୍ତା ମହାନିର୍ଦ୍ଦେଶାଳୟ। ଇଣ୍ଡୋ-ତିବ୍ବତାନ ବର୍ଡ଼ର ଫୋର୍ସ (ଆଇଟିବିପି), ସ୍ପେଶାଲ୍ ସର୍ଭିସେସ୍ ବ୍ୟୁରୋ (ଅଧୁନା ସୀମା ସୁରକ୍ଷା ବଳ) ଏବଂ ସ୍ପେଶାଲ ଫ୍ରଣ୍ଟିଅର୍ ଫୋର୍ସ ବା ଏସଏଫଏଫ ପରିଚାଳନା ସହିତ ସଂପୃକ୍ତ ଥିଲା ଏହି ନିର୍ଦ୍ଦେଶାଳୟ। ଏହି ସମୟରେ ନେହରୁଙ୍କ ଦୂତ ଭାବେ ବିଜୁବାବୁ ଦଲାଇ ଲାମାଙ୍କୁ ଭେଟ ଏସଏଫଏଫ ଗଠନ ବିଷୟରେ ବୁଝେଇଥିଲେ। ଏହି ବାହିନୀରେ ଯୋଗ ଦେବାକୁ ସାହସୀ ତିବ୍ବତୀୟଙ୍କୁ ବୁଝେଇବା ନିମନ୍ତେ ଦଲାଇ ଲାମା ତାଙ୍କ ଭାଇ ଗିୟାଲୋ ଥୋଣ୍ଡୁପ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଚନ୍ଦ୍ରଗିରିରେ ଥିବା ଅନେକ ତିବ୍ବତୀୟ ସେଥିରେ ସାମିଲ ହୋଇଥିଲେ। ର ଅଧୀନରେ କାର୍ଯ୍ୟାରମ୍ଭ କରିଥିଲା ଏସଏସଏଫ। ଏହାର ମୁଖ୍ୟ କାର୍ଯ୍ୟାଳୟ ଖୋଲିଥିଲା ଏବେକାର ଉତ୍ତରାଖଣ୍ଡର ଚକ୍ରତାଠାରେ। ତେବେ ଏହି ବାହିନୀର ସଦସ୍ୟମାନଙ୍କ ତାଲିମ ପାଇଁ କଟକ ଚାରବାଟିଆରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହା ପଛରେ ମଧ୍ୟ ବିଜୁବାବୁଙ୍କ ଭୂମିକା ଥିଲା। ଏବେ ଚାରବାଟିଆରେ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ଉଇଙ୍ଗର ଆଭିଏସନ ରିସର୍ଚ୍ଚ ସେଣ୍ଟର କାମ କରୁଛି, କିନ୍ତୁ ଏସଏଫଏଫ୍ ତାଲିମ କେନ୍ଦ୍ର ଆଉ ନାହିଁ।
୧୯୭୧ ମସିହା ବେଳକୁ ଏସଏଫଏଫ୍ ୮ ବାଟାଲିୟନ୍କୁ ବୃଦ୍ଧି ପାଇଥିଲା। ସେହି ବର୍ଷ ସଂଘଠିତ ହୋଇଥିବା ବାଂଲାଦେଶ ମୁକ୍ତି ସଂଗ୍ରାମରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ଏସଏଫଏଫ୍। ସେହିପରି ଶିଖ ଆତଙ୍କବାଦୀଙ୍କ ବିରୋଧୀରେ ଅପରେସନ୍ ବ୍ଲୁ ଷ୍ଟାର୍ରେ ମଧ୍ୟ ଏହି ସେନା ଅଂଶଗ୍ରହଣ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/09/biju.jpg)