ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ମାସରୁ ଦେଶରେ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି। ଦୀର୍ଘ ୮ ମାସ କାଳ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ପରେ କରୋନା କଟକଣା ମାନି ଶିକ୍ଷାନୁଷ୍ଠାନ ଖୋଲିବାକୁ କେନ୍ଦ୍ର ସରକାର କହିଥିଲେ। ତଥାପି ଓଡ଼ିଶା ସମେତ ଅନେକ ରାଜ୍ୟ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଆଉ କିଛି ରାଜ୍ୟରେ ନିର୍ଦ୍ଦିଷ୍ଟ ଶ୍ରେଣୀର ପିଲାଙ୍କୁ କ୍ଲାସ ଆସିବାକୁ ଅନୁମତି ମିଳିଥିଲା।
ଏବେ ବି ଅନେକ ରାଜ୍ୟରେ କେବେ ଶିକ୍ଷାନୁଷ୍ଠାନ ଖୋଲିବ, ତା’ ଉପରେ ନିଷ୍ପତ୍ତି ନିଆଯାଇନାହିଁ। କିନ୍ତୁ କିଛି ରାଜ୍ୟ ୨୦୨୧ ଜାନୁଆରୀ ମାସରୁ ଶିକ୍ଷାନୁଷ୍ଠାନ ଖୋଲି ସ୍ୱାଭାବିକ ଭାବେ କ୍ଲାସ କରିବାକୁ ଘୋଷଣା କରିଛନ୍ତି।
ତେବେ ଆସନ୍ତୁ ଜାଣିବା ଜାନୁଆରୀରୁ କେଉଁ ସବୁ ରାଜ୍ୟରେ ସ୍କୁଲ ଖୋଲିବ?
୧-ବିହାର:
ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟରେ ଥିବା ସ୍କୁଲ ଗୁଡ଼ିକ ଜାନୁଆରୀ ୪ରୁ ଖୋଲିବ। ତେବେ କେବଳ ୯ମରୁ ଦ୍ୱାଦଶ ଶ୍ରେଣୀର ପିଲା କ୍ଲାସ କରିବାକୁ ସ୍କୁଲ ଆସି ପାରିବେ। ସ୍କୁଲ ବ୍ୟତୀତ ସରକାର କୋଚିଂ ସେଣ୍ଟର, ଡିଗ୍ରୀ କଲେଜ, ମେଡିକାଲ କଲେଜ ଓ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି।
୨-କର୍ଣ୍ଣାଟକା:
ଜାନୁଆରୀ ୧ରୁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ରାଜ୍ୟରେ ସ୍କୁଲ ଖୋଲିବ। ତେବେ ସ୍କୁଲ ଆସିବା ପୂର୍ବରୁ ପିଲାମାନେ ସେମାନଙ୍କ ପରିବାର ଲୋକଙ୍କ ଠାରୁ କ୍ଲାସ କରିବାକୁ ଅନୁମତି ପତ୍ର ସାଙ୍ଗରେ ଧରି ଆସିବେ। ଅନୁମତିପତ୍ର ଦେଖାଇବା ପରେ ସେମାନଙ୍କୁ ସ୍କୁଲରେ ନିୟମିତ କ୍ଲାସ କରିବାକୁ ସୁଯୋଗ ମିଳିବ।
୩-ଆସାମା:
ଏଠାକାର ସରକାର ମଧ୍ୟ ଜାନୁଆରୀ ୧ରୁ ସମସ୍ତ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଆସାମ ସରକାର ଶିକ୍ଷାନୁଷ୍ଠାନରେ ପୂର୍ବଭଳି ସ୍ୱାଭାବିକ ଭାବେ କ୍ଲାସ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।
୪-ପୁଡୁଚେରୀ:
ଜାନୁଆରୀ ୪ରୁ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ସ୍କୁଲ ଗୁଡ଼ିକ ଖୋଲିବ। ସ୍କୁ ଲ ଖୋଲିବାକୁ ଥିଲେ ହେଁ ସମସ୍ତ ପ୍ରକାରର କରୋନା କଟକଣାକୁ ପାଳନ କରାଯିବ। ପ୍ରାରମ୍ଭିକ ଅବସ୍ଥାରେ ସବୁ ଶ୍ରେଣୀର ପିଲା ହାଫ ଡେ’ କ୍ଲାସ କରିବେ। ଜାନୁଆରୀ ୧୮ରୁ ପୂର୍ଣ୍ଣକାଳୀନ ଭାବେ କ୍ଲାସ ଆରମ୍ଭ କରାଯିବ।
୫-ପୁଣେ:
ମହାରାଷ୍ଟ୍ରର ଏହି ସହରରେ ସ୍ଥାନୀୟ ପ୍ରଶାସନ ଜାନୁଆରୀ ୪ରୁ ସ୍କୁଲ ଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ପର୍ଯ୍ୟାୟରେ ପୁଣେରେ କେବଳ ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କୁ ସ୍କୁଲରେ ପ୍ରବେଶ ପାଇଁ ଅନୁମତି ମିଳିବ।
୬-ରାଜସ୍ଥାନ:
ଅବଶ୍ୟ ଏଠାକାର ସରକାର ସ୍କୁଲ ନିର୍ଦ୍ଦିଷ୍ଟ ଭାବେ କେଉଁ ଦିନ ଖୋଲିବ ସେକଥା କହିନାହାନ୍ତି। ହେଲେ ଜାନୁଆରୀ ପ୍ରଥମ ସପ୍ତାହରେ ଶିକ୍ଷାନୁଷ୍ଠାନଗୁଡ଼ିକର ତାଲା ଫିଟିବ ବୋଲି ସୂଚନା ଦେଇଛନ୍ତି।
୭-ଦିଲ୍ଲୀ:
କରୋନାକୁ ମାତ ଦେଇପାରୁ ଥିବା ଟିକା ଉପଲବ୍ଧ ହେବା ଯାଏ ଦିଲ୍ଲୀରେ କୌଣସି ସ୍କୁଲ ଖୋଲିପାରିବ ନାହିଁ ବୋଲି ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।
ଅଧିକ ପଢ଼ନ୍ତୁ : ୪ ବ୍ରିଟେନ ଫେରନ୍ତାଙ୍କ ପତ୍ତା ମିଳୁନି
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।