/odisha-reporter/media/post_attachments/uploads/2018/12/kcr-1.jpg)
kcr
ହାଇଦ୍ରାବାଦ: ସାଧାରଣ ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଥିବାବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର କଂଗ୍ରେସ ଓ ବିଜେପି ମୁକ୍ତ ଭାରତର ଡାକରା ଦେଇଛନ୍ତି। ଏକ ରାଲିକୁ ସମ୍ବୋଧନ କରୁଥିବାବେଳେ ଟିଆରଏସ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓ ଏପରି କହିଛନ୍ତି। ଆଗାମୀ ଦିନରେ ଟିଆରଏସ ସାଂସଦ କେନ୍ଦ୍ରରେ ମନ୍ତ୍ରୀ ହେବେ ବୋଲି ସେ କହିଛନ୍ତି।
ଦୁଇ ଜାତୀୟ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ଦେଶର ବିକାଶ କରିନାହାନ୍ତି ତେଣୁ ସମସ୍ତ ଆଞ୍ଚଳିକ ଦଳ ଏକ ହୋଇ ତୃତୀୟ ସାମ୍ମୁଖ୍ୟ ଗଢ଼ିଲେ କେନ୍ଦ୍ରରେ ସରକାର ଗଢ଼ିପାରିବା ବୋଲି ସେ କହିଛନ୍ତି। ସେ ଜାତୀୟ ରାଜନୀତିରେ ସକ୍ରିୟ ହେବାକୁ ଚାହୁଁଛନ୍ତି, ତେଣୁ ଆଗାମୀ ଦିନରେ ତେଲେଙ୍ଗାନାବାସୀଙ୍କ ସମର୍ଥନ ଲୋଡ଼ିଛନ୍ତି କେସିଆର।
ତେବେ ତାଙ୍କ ପାଖରେ ୧୬ ସାଂସଦ ନୁହନ୍ତି, ୧୦୦ ସାଂସଦଙ୍କ ସମର୍ଥନ ଥିବା କହି ତାଙ୍କ ସମାଲୋଚକଙ୍କୁ କଡ଼ା ଜବାବ ଦେଇଛନ୍ତି। ଆଗାମୀ ଦିନରେ ଆଞ୍ଚଳିକ ଦଳର ସାଂସଦମାନଙ୍କୁ କଂଗ୍ରେସ ଓ ବିଜେପି ସହିତ ନଯିବାକୁ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ନିକଟରେ ହୋଇଥିବା ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କେସିଆରଙ୍କ ଦଳ ଟିଆରଏସ ସ୍ପଷ୍ଟ ବହୁମତ ପାଇଥିଲା। ଏହାପରେ ସେ ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଭଳି ରାଜ୍ୟରେ କ୍ଷମତାସୀନ ଆଞ୍ଚଳିକ ଦଳଙ୍କୁ ଭେଟି ତୃତୀୟ ସାମ୍ମୁଖ୍ୟ ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲେ। ତେଲେଙ୍ଗାନାରେ ପ୍ରମୁଖ ବିରୋଧୀ ଟିଡିପି, କଂଗ୍ରେସ ଏକ ପ୍ରକାର ଅସ୍ତିତ୍ବ ହରାଇଥିବାବେଳେ ବିଜେପି ଗୋଟିଏ ବିଧାନସଭା ସିଟ ଜିତିଥିଲା। ତେଣୁ ଆଗାମୀ ଦିନରେ ସମସ୍ତ ଲୋକସଭା ଆସନରେ ଟିଆରଏସ ଜିତିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେସିଆର।
ଚଳିତ ନିର୍ବାଚନରେ ମହାମେଣ୍ଟରେ କେଉଁ କେଉଁ ଦଳ ସାମିଲ ଅଛନ୍ତି, ତାଙ୍କର ଏଜେଣ୍ଡା କଣ, ପ୍ରଧାନମନ୍ତ୍ରୀ କିଏ ହେବେ ଆଦି ଅନେକ କଥା ଏଯାଏ ସ୍ପଷ୍ଟ ହୋଇନାହିଁ। ସେପଟେ ଉତ୍ତର ପ୍ରଦେଶରେ ଏସପି-ବିଏସପି ମେଣ୍ଟ କରିଥିବାବେଳେ କଂଗ୍ରେସକୁ ଏକଘରିକିଆ କରିଦେଇଥିବା ଦେଖିବାକୁ ମିଳିଛି। ତେଣୁ ଆଗାମୀ ଦିନରେ କେସିଆରଙ୍କ ସ୍ୱପ୍ନ କେତେ ମାତ୍ରାରେ ସଫଳ ହେବ ତାହା ଅସ୍ପଷ୍ଚ ରହିଛି। କାରଣ ଦୀର୍ଘଦିନରୁ କେସିଆର ଏହି କଥା ଦୋହରାଉଥିବାବେଳେ କୌଣସି ଦଳ ତାଙ୍କୁ ଗୁରୁତ୍ବ ଦେଉନଥିବା ଦେଖିବାକୁ ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
