ମୁଙ୍ଗେର ଗୁଳିକାଣ୍ଡ: ବ୍ୟାପକ ପୋଡ଼ାଜଳା, ବିଦା ହେଲେ ଡିଏମ-ଏସପି

ମୁଙ୍ଗେର: ଦୁର୍ଗା ମେଢ଼ ଭସାଣ ବେଳେ ଲୋକଙ୍କୁ ପୁଲିସ୍‌ ଗୋରୁଗାଈଙ୍କ ଭଳି ପଟିବା ଓ ଏହାପରେ ଘଟିଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ବିହାରର ମୁଙ୍ଗେର ଜିଲ୍ଲା ଅଶାନ୍ତ ହୋଇ ଉଠିଛି। ଘଟଣାକୁ ଇତି ମଧ୍ୟରେ ୩ ଦିନ ବିତି ଯାଇଥିଲେ ହେଁ ଉତ୍ତେଜନା କମିନାହିଁ। ସ୍ଥିତି ଦିନକୁ ଦିନ ବିଗୁଡ଼ିଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମୁଙ୍ଗେର ଜିଲ୍ଲାର ଏସପି ଲିପି ସିଂହ ଓ ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନାଙ୍କୁ ପଦରୁ ହଟାଇ […]

ga

Hemant Lenka
  • Published: Thursday, 29 October 2020
  • , Updated: 29 October 2020, 05:36 PM IST

ମୁଙ୍ଗେର: ଦୁର୍ଗା ମେଢ଼ ଭସାଣ ବେଳେ ଲୋକଙ୍କୁ ପୁଲିସ୍‌ ଗୋରୁଗାଈଙ୍କ ଭଳି ପଟିବା ଓ ଏହାପରେ ଘଟିଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ଘଟଣାକୁ ନେଇ ବିହାରର ମୁଙ୍ଗେର ଜିଲ୍ଲା ଅଶାନ୍ତ ହୋଇ ଉଠିଛି। ଘଟଣାକୁ ଇତି ମଧ୍ୟରେ ୩ ଦିନ ବିତି ଯାଇଥିଲେ ହେଁ ଉତ୍ତେଜନା କମିନାହିଁ।

ସ୍ଥିତି ଦିନକୁ ଦିନ ବିଗୁଡ଼ିଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମୁଙ୍ଗେର ଜିଲ୍ଲାର ଏସପି ଲିପି ସିଂହ ଓ ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନାଙ୍କୁ ପଦରୁ ହଟାଇ ଦିଆଯାଇଛି। ଏଥିସହ ପୂରା ଘଟଣାର ତଦନ୍ତ କରିବାକୁ ମଗଧ ଡିଭିଜନାଲ କମିଶନର ଅସଙ୍ଗବା ଚୁବା ଆଓ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କାର୍ଯ୍ୟକୁ ୭ ଦିନ ମଧ୍ୟରେ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ଡିଏମ ଓ ଏସପି ଏବେ ମୁଙ୍ଗେର ଜିଲ୍ଲାରେ ନଥିବାରୁ ତୁରନ୍ତ ଏହି ପଦକୁ ପୂରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।

ଅନ୍ୟପକ୍ଷରେ ଗୁଳିକାଣ୍ଡ ଓ ପୁଲିସ୍‌ର ମାଡ଼କୁ ବିରୋଧ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଛି। ଶତାଧିକ ଲୋକ ସବ ଡିଭିଜନାଲ ଅଫିସ ଓ ଏସପି ଅଫିସରେ ପଶି ଭଙ୍ଗାରୁଜା କରିଛନ୍ତି। ଏଥିସହ ସେମାନେ ଏକାଧିକ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ସ୍ଥାନରେ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି। ତଥାପି ଚାପା ଉତ୍ତେଜନା ଲାଗି ରହିଛି।

ଦୁର୍ଗା ପୂଜା ଭସାଣିକୁ ନେଇ ସଂଘର୍ଷ ହୋଇଥିଲା। ଶତାଧିକ ଲୋକ ମୂର୍ତ୍ତି ବିସର୍ଜନ ପାଇଁ ଯାଉଥିବା ବେଳେ ପୁଲିସ୍‌ କର୍ମଚାରୀମାନେ ସେମାନଙ୍କୁ ପ୍ରବଳ ପିଟିଥିଲେ। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ସଂଘର୍ଷରୁ ଟେକା ପଥର ମାଡ଼ ଓ ଗୁଳି ମଧ୍ୟ ଚାଲିଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣଙ୍କ ଆହତ ହୋଇଥିଲେ।

ଏହାପରେ ମୁଙ୍ଗେର ଏସପି ଲିପି ସିଂହ କହିଥିଲେ, “ଦୁର୍ଗା ପୂଜା ଭସାଣ ବେଳେ କିଛି ଅସାମାଜିକ ବ୍ୟକ୍ତି ଟେକା ପଥର ମାଡ଼ କରିବାରୁ ୨୦ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣା ପରେ ଭିଡ଼ ମଧ୍ୟରୁ କେହି ଗୁଳି କରିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏବେ ପରିସ୍ଥିତି ପୂରା ନିୟନ୍ତ୍ରଣରେ ରହିଛି।”

ସୋମବାର ରାତିରେ ମୁଙ୍ଗେର ଜିଲ୍ଲା ଦୀନ ଦୟାଲ ଉପାଧ୍ୟାୟ ଛକରେ ଏହି ଘଟଣା ଘଟିଥିଲା। ପୁଲିସ୍‌ ଲୋକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଗୁଳି ଚଳାଇଥିଲା ଓ ଏଥିରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏସବୁ ସତ୍ତ୍ୱେ ଲିପି ସିଂହ ଏହାକୁ ହାଲୁକା ଭାବେ ନେବା ଓ ସ୍ଥିତି ବିଗିଡ଼ି ନାହିଁ ବୋଲି କହିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ବିରୋଧୀ ଦଳଗୁଡ଼ିକ ମଧ୍ୟ ବିହାରରେ କ୍ଷମତାସୀନ ଏନଡିଏ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Related story