War2
କିଭ୍: ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ସମସ୍ତଙ୍କୁ ବିଚଳିତ କରିବା ଭଳି ଅଡିଓ ସାମ୍ନାକୁ ଆସିଛି। ବ୍ଲାକ ସିରେ ଥିବା ଗୋଟିଏ ଦ୍ୱୀପର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ୧୩ ଜଣ ୟୁକ୍ରେନ ସୈନ୍ୟଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ରୁଷ। ରୋମାନିଆ ସୀମାନ୍ତକୁ ଲାଗିଥିବା ଏହି ଛୋଟ ଦ୍ୱୀପର ସୁରକ୍ଷା କାମରେ ୟୁକ୍ରେନ ୧୩ ଜଣ ଯବାନଙ୍କୁ ନିୟୋଜିତ କରିଥିଲା। ଏହି ସମୟରେ ରୁଷ ଯୁଦ୍ଧ ଜାହାଜ ସେମାନଙ୍କ ନିକଟରେ ପହଞ୍ଚିବା ସହ ଆତ୍ମସମର୍ପଣ କରିବାକୁ କହିଥିଲା।
ହେଲେ ସେମାନେ ଏହାକୁ ଖାତିର ନ କରି ଦୃଢ଼ ଜବାବ ଦେଇଥିଲେ। ଯେଉଁଥିପାଇଁ ସେମାନଙ୍କୁ ବୋମା ମାଡ଼ରେ ହତ୍ୟା କରାଯାଇଛି। ଘଟଣା ପୂର୍ବରୁ ଉଭୟ ଦେଶର ଯବାନଙ୍କ ମଧ୍ୟରେ ରେଡିଓ ଯୋଗେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ ଏବେ ସାମ୍ନାକୁ ଆସିଛି।
ଯେଉଁଥିରେ ରୁଷ ଯୁଦ୍ଧ ଜାହାଜରେ ଥିବା ସୈନ୍ୟମାନେ ଦ୍ୱୀପର ସୁରକ୍ଷା କରୁଥିବା ୟୁକ୍ରେନ ଯବାନଙ୍କୁ ଆତ୍ମସମର୍ପଣ କରିବାକୁ କହିଥିଲେ। ହେଲେ ସେମାନେ ରୋକଠୋକ ଆତ୍ମସମର୍ପଣ କରିବେ ନାହିଁ ବୋଲି କହିଥିଲେ। ବାସ୍ ସେମାନଙ୍କର ଏହି ଦମ୍ଭୋକ୍ତି ପରେ ରୁଷ ପକ୍ଷରୁ ବୋମା ବିସ୍ଫୋରଣରେ ସମସ୍ତଙ୍କୁ ଉଡ଼ାଇ ଦିଆଯାଇଛି। ଏଥିସହ ରୁଷ ଦ୍ୱୀପଟିକୁ ମଧ୍ୟ ନିଜ ଅକ୍ତିଆରକୁ ନେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଓଡେଶା ରିଜନର ସ୍ନେକ ଦ୍ୱୀପରେ ୟୁକ୍ରେନ ସେନାର ଏହି ୧୩ ଜଣିଆ ଦଳ ମୁତୟନ ହୋଇଥିଲେ। ରୁଷ ଯବାନମାନେ ଓଡେଶା ଉପରେ ଘନଘନ ବୋମା ବର୍ଷଣ କରୁଥିବା ବେଳେ ସେମାନେ ଦ୍ୱୀପର ସୁରକ୍ଷା କାମରେ ଲାଗିଥିଲା। ଏହି ସମୟରେ ରୁଷ ଯୁଦ୍ଧ ଜାହାଜ ସେମାନଙ୍କ ଆଡ଼କୁ ଆସିଥିଲା।
ଜାହାଜରେ ବସିଥିବା ନାବିକ ରେଡିଓ ଜରିଆରେ “ଏହା ରୁଷର ଯୁଦ୍ଧ ଜାହାଜ। ସମସ୍ତେ ନିଜ ନିଜର ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କର। ଏହାଦ୍ୱାରା ରକ୍ତପାତ ଓ ମୃତାହତ ଭଳି ଘଟଣା ଘଟିବନି। ଯଦି ଆତ୍ମସମର୍ପଣ କରିବନି, ତା’ହେଲେ ବୋମା ମାଡ଼ରେ ଉଡ଼ାଇ ଦିଆଯିବ।”
ଏପରି ଧମକରେ ୟୁକ୍ରେନ ସୈନ୍ୟମାନେ ଡରି ନଥିଲେ। ସେମାନେ ଅସଭ୍ୟ ଭାଷାରେ ରୁଷ ୱାର ଶିପ ଓ ଏଥିରେ ଥିବା ଯବାନମାନଙ୍କୁ ତୁରନ୍ତ ଫେରି ଯିବାକୁ କହିଥିଲେ। ବାସ୍ ଏହି କଥା ସରିବା କ୍ଷଣି ୟୁକ୍ରେନ ସୈନ୍ୟ ରହିଥିବା ସ୍ଥାନରେ ଆକାଶ ପଥରୁ ବୋମା ମାଡ଼ ହୋଇଥିଲା। ଫଳରେ ସମସ୍ତ ୧୩ ଯବାନ ପ୍ରାଣ ହରାଇଥିଲେ।
ସ୍ନେକ ଦ୍ୱୀପ ୟୁକ୍ରେନ ଅଧୀନରେ ରହିଥିଲା। କିନ୍ତୁ ଗୁରୁବାର ଏହା ଉପରେ ରୁଷ ନିଜର ଅଧିକାର ଜାହିର କରିଛି। ଦ୍ୱୀପଟି ନାଟୋ ସଦସ୍ୟ ରାଷ୍ଟ୍ର ରୋମାନିଆ ସୀମାରୁ ମାତ୍ର ଅଳ୍ପ ଦୂରତାରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/War2.jpg)