କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ କିଛି ସ୍ୟାଟେଲାଇଟ ଛବି ସାମ୍ନାକୁ ଆସିଛି। ଏହି ଛବିରେ ୟୁକ୍ରେନ ସୀମା ନିକଟରେ ପ୍ରାୟ ୧୫୦ଟି ପରିବହନ ହେଲିକପ୍ଟର ଓ ବିପୁଳ ସଂଖ୍ୟାରେ ଯବାନଙ୍କୁ ରୁଷ ମୁତୟନ କରିଛି। ଆମେରିକାର ଘରୋଇ ସଂସ୍ଥା ମାକ୍ସର ଟେକ୍ନୋଲଜି ପକ୍ଷରୁ ଏହି ଛବି ଜାରି କରାଯାଇଛି।
ଏଥିରେ କୁହାଯାଇଛି ଯେ ରୁଷ ସରକାର ୟୁକ୍ରେନରେ ଆକ୍ରମଣକୁ ଅଧିକ ଜୋରଦାର କରିବା ପାଇଁ ଦକ୍ଷିଣ ବେଲରୁସରେ ସମରସଜ୍ଜା ଆରମ୍ଭ କରିଛନ୍ତି। ବେଲାରୁସର ସହର ଚୌଜନିକ ସହରରେ ବିପୁଳ ସଂଖ୍ୟାରେ ହେଲିକପ୍ଟର ଉଡ଼ାଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଗୋଟିଏ ଧାଡ଼ିରେ ପ୍ରାୟ ୯୦ଟି ହେଲିକପ୍ଟର ରଖାଯାଇଛି।
ଶୁକ୍ରବାର ସଂସ୍ଥା ପକ୍ଷରୁ ଏହି ଫଟୋ ସ୍ୟାଟେଲାଇଟ ଦ୍ୱାରା ହାସଲ କରାଯାଇଛି। ଏଥିରେ ରୁଷ ସୈନ୍ୟ ଓ ହେଲିକପ୍ଟର ଗୁଡ଼ିକ ୟୁକ୍ରେନ ସୀମା ଠାରୁ ମାତ୍ର ୨୦ କିମି ଦୂରତାରେ ଅଛନ୍ତି। ବେଲାରୁସର ଦକ୍ଷିଣ ପ୍ରାନ୍ତରେ ବିପୁଳ ସଂଖ୍ୟକ ଯବାନ ଓ ୧୫୦ଟି ହେଲିକପ୍ଟର ରହିଥିବା ବେଳେ ଚୌଜନିକ ସହରରେ ମଧ୍ୟ ସେନା ଛାଉଣୀ ହୋଇଛି। ଏଠାରେ ଥିବା ଗୋଟିଏ ଖୋଲା ପଡ଼ିବାରେ ଯୁଦ୍ଧାସ୍ତ୍ର ଓ ଯବାନ ରହିଛନ୍ତି। ସେହିପରି ଦୀର୍ଘ ୫ କିମି ରାସ୍ତାରେ ୯୦ଟି ହେଲିକପ୍ଟର ପଛକୁ ପଛ ରହିଛନ୍ତି।
ରୁଷ ଓ ୟୁକ୍ରେନ ମଧ୍ୟରେ ୩ ଦିନ ହେଲା ଯୁଦ୍ଧ ଚାଲିଛି। ଗୋଟିଏ ପଟରୁ ରୁଷ ସୈନ୍ୟମାନେ ଆକ୍ରମଣ କରୁଥିବା ବେଳେ ଅନ୍ୟପଟେ ବେଲାରୁସ ମଧ୍ୟ ୟୁକ୍ରେନ ଉପରେ ମିସାଇଲ ମାଡ଼ କରୁଛି। ଏହାପୂର୍ବରୁ ମଧ୍ୟ ଉକ୍ତ ଘରୋଇ ସଂସ୍ଥା ଅନେକ ସମୟରେ ସ୍ୟାଟେଲାଇଟ ଛବି ଜାରି କରିଥିଲା। ଯେଉଁଥିରେ ୟୁକ୍ରେନ ସୀମାରେ ରୁଷ ଲକ୍ଷାଧିକ ସୈନ ମୁତୟନ କରିଥିବା ଦେଖିବାକୁ ମିଳିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।