attack
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଘମାଘୋଟ ଲଢ଼େଇ ଆଜି ୬ଷ୍ଠ ଦିନରେ ପହଞ୍ଚିଛି। ରୁଷ ପକ୍ଷରୁ ୟୁକ୍ରେନ ଉପରେ ଅଲଆଉଟ ଆକ୍ରମଣ ଜାରି ରହିଥିବା ବେଳେ କିଭ୍ ଏହାର ଜବାବ ଦେବାରେ କୌଣସି ପ୍ରକାରର ଅବହେଳା କରୁନାହିଁ। ରୁଷ ଘନଘନ ମିଶାଇ ମାଡ଼ ସାଙ୍ଗକୁ କିଛି ସ୍ଥାନରେ ‘ଫାଦର ଅଫ ଅଲ ବୋମା’ ବା ଭ୍ୟାକୁମ ବୋମା ପକାଇଛି। ଏହାଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟିଛି।
ସେହିପରି ଖାରକିଭରେ ଥିବା ଆଞ୍ଚଳିକ ପ୍ରଶାସନିକ ବିଲଡିଂ ମଧ୍ୟ ମିସାଇଲ ମାଡ଼ରେ ଛିନଛତ୍ର ହୋଇଯାଇଛି। ଏହାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ସୁଉଚ୍ଚ ପ୍ରଶାସନିକ ବିଲଡିଂଟି ଖାରକିଭର ସୁମସ୍କା ୬୪ରେ ରହିଥିଲା। ହେଲେ ରୁଷର ଗୋଟିଏ ମିସାଇଲ ମାଡ଼ରେ ଏହା ଆଖି ପିଛୁଳାକେ ମାଟିରେ ମିଶି ଯାଇଛି। ବିଲଡିଂ ନିକଟରେ ଥିବା କିଛି କାର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହାବାଦ ରୁଷ ହମଲାର କିଛି ଭୟଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତ ପୂରା ସ୍ତବ୍ଧ ହୋଇ ଯାଇଛନ୍ତି।
ତେବେ ୟୁକ୍ରେନ ସେନା ପକ୍ଷରୁ ମଧ୍ୟ ରୁଷକୁ ମୁହଁତୋଡ଼ ଜବାବ ଦିଆଯାଇଛି। କିଛି ପଶ୍ଚିମ ଦେଶ ୟୁକ୍ରେନକୁ ସାମାରିକ ସହାୟତା ଦେଉଛନ୍ତି। ୟୁକ୍ରେନ ୬ ଦିନର ଯୁଦ୍ଧ ମଧ୍ୟରେ ରୁଷର ୨୦୦ ସେନା ଯବାନଙ୍କୁ ଜୀବନ୍ତ ଅବସ୍ଥାରେ ଧରିଥିବା ଦାବି କରିଛି। ସେହିପରି ଯୁଦ୍ଧରେ ରୁଷର ୫୭୧୦ ଜଣ ସୈନ୍ୟ ପ୍ରାଣ ହରାଇଥିବା ୟୁକ୍ରେନ ସେନା କହିଛି।
ଏଯାଏ ରୁଷ ସହିଥିବା କ୍ଷୟକ୍ଷତି ସମ୍ପର୍କରେ ୟୁକ୍ରେନ ସେନା ଫେସବୁକ ଜରିଆରେ ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ ହମଲାରେ ରୁଷର ୨୯ଟି ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ଏହାବାଦ ୨୯ଟି ହେଲିକପ୍ଟର, ୧୯୮ଟି ଟ୍ୟାଙ୍କ, ୮୪୬ ଆର୍ମଡ ଭେଇକିଲ, ୩୦୫ ସେନା ଗାଡ଼ି, ୭ଟି ଏୟାର ଡିଫେନ୍ସ ସିଷ୍ଟମ, ୨ଟି ବୋଟ ଓ ୭୭ଟି ଯୁଦ୍ଧ ତୋପ ଧ୍ୱଂସ ହୋଇଛି।
ସେହିପରି ରୁଷ ସୈନ୍ୟଙ୍କୁ ଯୁଦ୍ଧରେ ସହଯୋଗ କରିବା ପାଇଁ ସାମଗ୍ରୀ ନେଇ ଆସୁଥିବା ଏକାଧିକ ଗାଡ଼ିକୁ ୟୁକ୍ରେନ ଆଜି ଧ୍ୱଂସ କରିଦେଇଛି। ତୈଳ ପରିବହନ କରୁଥିବା ରୁଷର ଗୋଟିଏ ଟ୍ରେନକୁ ମଧ୍ୟ ୟୁକ୍ରେନ ଡ୍ରୋନ୍ ଦ୍ୱାରା ଉଡ଼ାଇ ଦେଇଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରୁଷ ଯେଉଁ ଲକ୍ଷ୍ୟ ନେଇ ୟୁକ୍ରେନରେ ପଶିଥିଲା, ଏଯାଏ ସେ ଲକ୍ଷ୍ୟ ହାସଲ କରିପାରି ନାହିଁ ବୋଲି କିଭ ପକ୍ଷରୁ କୁହାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/attack.jpg)