ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପିଟିଆଇର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଅପହରଣ କରିଥିଲେ ଆତଙ୍କୀ। ତାଙ୍କ ସହ ଆଉ ଦୁଇ ଜଣଙ୍କୁ ମଧ୍ୟ ନର୍ଦ୍ଦନ ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ରିଜନରୁ ଅପହରଣ କରାଯାଇଥିଲା। ତେହେରିକ-ଇ-ତାଲିବାନ ପାକିସ୍ତାନ ଏପରି କରିଥିଲା। ତେବେ ଆଜି ଆତଙ୍କବାଦୀମାନେ ମନ୍ତ୍ରୀ ଅବୈଦୁଲ୍ଲା ବେଗଙ୍କ ସମେତ ୨ ପର୍ଯ୍ୟଟକଙ୍କୁ ମୁକ୍ତ କରିଛନ୍ତି। ଅପହରଣ ପରେ ଆତଙ୍କବାଦୀମାନେ ସେମାନଙ୍କ ସହଯୋଗୀଙ୍କୁ ଛାଡ଼ିବା ପାଇଁ ଦାବି ରଖିଥିଲେ। ଏହାକୁ ପ୍ରଶାସନ ମାନିଛି କି ନାହିଁ, ସେକଥା ଏଯାଏ ଜଣାପଡ଼ିନି।
ମିଳିଥିବା ଖବର ଅନୁସାରେ, ବେଗ ଶୁକ୍ରବାର ଇସଲାମାବାଦରୁ ଗିଲଗିଟ ଆସୁଥିବା ବେଳେ ଅଧା ରାସ୍ତାରୁ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିଥିଲେ। ପାକିସ୍ତାନର ଖାୟବର ପାଖତୁନଖ୍ୱା ସହ ଗିଲଗିଟ-ବାଲ୍ଟିସ୍ତାନ ଯୋଡ଼ୁଥିବା ପ୍ରମୁଖ ରାସ୍ତାରେ ବ୍ୟାରିକେଡ ଲଗାଇ ପ୍ରଥମେ ମନ୍ତ୍ରୀଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ସେମାନେ ମନ୍ତ୍ରୀଙ୍କ ସମେତ ୨ ଜଣ ପର୍ଯ୍ୟଟକଙ୍କୁ ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।
ଗିଲଗିଟ୍-ବାଲ୍ଟିସ୍ତାନର ମୋଷ୍ଟୱାଣ୍ଟେଡ୍ ଆତଙ୍କବାଦୀ କମାଣ୍ଡର ହବିବୁର ରହମନ ଓ ତା’ର ସହଯୋଗୀମାନେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଦିଆମେର ସ୍ଥିତ ଥାକ ଗାଁ ନିକଟରେ ବ୍ୟାରିକେଡ ଲଗାଇ ରାସ୍ତା ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ପର୍ଯ୍ୟଟକ ଅଟକ ରହିଥିଲେ। ହବିବୁର କିଛି ବର୍ଷ ତଳେ ନାଙ୍ଗା ପର୍ବତରେ ୧୦ ଜଣ ବିଦେଶୀ ନାଗରିକଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିବା ଘଟଣାରେ ସାମିଲ ଥିଲା। ଏବେ ସେ ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଅପହରଣ କରିବା ପାଇଁ ରାସ୍ତା ଅବରୋଧ କରିଥିଲା।
ସୂତ୍ର ଅନୁସାରେ, ମନ୍ତ୍ରୀ ଓ ଦୁଇ ପର୍ଯ୍ୟଟକଙ୍କୁ ଅପହରଣ କରିବା ପରେ ଆତଙ୍କବାଦୀମାନେ ଜେଲରେ ଥିବା ସେମାନଙ୍କ ସହଯୋଗୀଙ୍କୁ ଛାଡ଼ିବାକୁ ଦାବି କରିଥିଲେ। ନାଙ୍ଗା ପର୍ବତରେ ବିଦେଶୀ ପର୍ଯ୍ୟଟକଙ୍କୁ ହତ୍ୟା ଓ ଦିଆମେରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଗିରଫ ହୋଇଥିବା ସଂଗଠନର ସହଯୋଗୀଙ୍କ ମୁକ୍ତି ସେମାନେ ଦାବି କରିଥିଲେ।
ସେହିପରି ଗିଲଗିଟ-ବାଲ୍ଟିସ୍ତାନରେ ମହିଳା କ୍ରୀଡ଼ାକୁ ପ୍ରଶାସନ ଅନୁମତି ଦେବା ବନ୍ଦ କରୁ। ଏପରି ଦାବି ପରେ ଆତଙ୍କବାଦୀମାନଙ୍କ ସହ ଗିଲଗିଟ-ବାଲ୍ଟିସ୍ତାନ ସରକାର ଆଲୋଚନା କରିଥିଲେ। ହେଲେ ଆଲୋଚନା କେତେ ବାଟ ଯାଇଥିଲା ଓ ସରକାର ଆତଙ୍କବାଦୀଙ୍କ ଦାବି ମାନିଛନ୍ତି କି ନାହିଁ, ସେକଥା ପ୍ରଶାସନ ସ୍ପଷ୍ଟ କରିନି।
ଅନ୍ୟପକ୍ଷରେ ଜେଓ ଟିଭି ଖବର ପ୍ରକାଶ କରିଛି ଯେ ଗିଲଗିଟ-ବାଲ୍ଟିସ୍ତାନର ବାବୁସର ରୋଡରୁ ଅପହରଣ ଶିକାର ହୋଇଥିବା ମନ୍ତ୍ରୀ ବେଗ ଘରେ ପହଞ୍ଚି ସାରିଛନ୍ତି। କିନ୍ତୁ ଆତଙ୍କବାଦୀଙ୍କ ଦାବି ସମ୍ପର୍କରେ ସରକାର କ’ଣ ନିଷ୍ପତ୍ତି ନେଇଛନ୍ତି, ସେବିଷୟରେ କିଛି ବି କୁହାଯାଇନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।