Baradar
କାବୁଲ: ତାଲିବାନର ସହ ପ୍ରତିଷ୍ଠାତା ତଥା ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘନି ବରାଦରଙ୍କ ମୃତ୍ୟୁ ନେଇ ଏକାଧିକ ରିପୋର୍ଟ ପ୍ରକାଶ ପାଇ ଚାଲିଛି। ଗୁଳିମାଡ଼ରେ ବରାଦରଙ୍କ ମୃତ୍ୟୁ ଘଟିଥିବାରୁ ତାଲିବାନ ସରକାର ଶପଥ ପାଠ ଉତ୍ସବ ୯/୧୧ରେ ହୋଇପାରିଲା ନାହିଁ ବୋଲି କୁହାଯାଉଛି।
ଏସବୁ ରିପୋର୍ଟ ମଧ୍ୟରେ ଆଜି ବରାଦର ନିଜେ ଗୋଟିଏ ଅଡିଓ ବାର୍ତ୍ତା ଜାରି କରିଛନ୍ତି। ତାଙ୍କ ମୃତ୍ୟୁ ଓ ଆହତକୁ ନେଇ ଯେଉଁ ସବୁ ଖବର ପ୍ରକାଶ ପାଇଛି, ସେସବୁ କେବଳ ଗୁଜବ ବୋଲି ସେ କହିଛନ୍ତି।
ସେ କହିଛନ୍ତି, “ମୁଁ ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ଜୀବିତ ମଧ୍ୟ ଅଛି। ସୋଶାଲ ମିଡିଆରେ କିଛି ଲୋକ ଜାଣିଶୁଣି ଗୁଜବ ପ୍ରଚାର କରି ଚାଲିଛନ୍ତି। ମିଡିଆରେ ମୋ ମୃତ୍ୟୁକୁ ନେଇ ଖବର ପ୍ରକାଶ ପାଇଛି। କିଛି ଦିନ ହେଲା ମୁଁ ଟ୍ରିପରେ ଥିଲି। ବର୍ତ୍ତମାନ ଆମେ ଯେଉଁଠୁ ବି ଅଛୁ, ସେଠାରେ ଆମେ ସମସ୍ତେ ସୁରକ୍ଷିତ ରହିଛୁ।
ମୋ ବନ୍ଧୁ ଓ ଭାଇମାନେ ମୋ ସହ ରହିଛନ୍ତି। ମିଡିଆ ସବୁବେଳେ ଗୁଜବ ପ୍ରଚାର କରିଥାଏ। ତେଣୁ ଆମେ ଏହାକୁ ଦୃଢ଼ତାର ସହ ଖଣ୍ଡନ କରୁଛୁ। ମୁଁ ଏଠାରେ ଶତ ପ୍ରତିଶତ ନିଶ୍ଚିତ ହୋଇ କହିବାକୁ ଚାହେଁ ଯେ ଆମ ଭିତରେ କୌଣସି ଅପଡ଼ ହୋଇନି। ଆମ ଭିତରେ କୌଣସି ପ୍ରକାରର ସମସ୍ୟା ସୃଷ୍ଟି ହୋଇନାହିଁ। ସବୁ କିଛି ଠିକଠାକ ଚାଲିଛି।”
କତାରରୁ ତାଲିବାନ ମୁଖପାତ୍ର ସୁହେଲ ଶାହୀନ ମଧ୍ୟ ବରାଦରଙ୍କ ମୃତ୍ୟୁକୁ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଇସଲାମିକ ଏମିରାତ ଅଫ ଆଫଗାନିସ୍ତାନର ଡେପୁଟି ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ଅଖୁନ୍ଦ ଗୋଟିଏ ଅଡିଓ ବାର୍ତ୍ତାରେ ସେ ମୃତ୍ୟୁ କିମ୍ବା ଆହତ ନେଇ ପ୍ରକାଶ ପାଇଥିବା ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି। ସେ ଏହି ରିପୋର୍ଟକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି।
ତେବେ ବରାଦର ଜାଣି କରିଥିବା ଅଡିଓ ବାର୍ତ୍ତାରେ କେତେ ସତ୍ୟତା ରହିଛି, ସେକଥା ଜଣାପଡ଼ିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/Baradar-1.jpg)