ଡ୍ରାଗନ୍‌କୁ ଉସ୍‌କାଇଲା ଆମେରିକା, ତାଇୱାନ୍‌କୁ ବଡ଼ ସହାୟତା ଘୋଷଣା

ୱାଶିଂଟନ୍‌: ମୁହାଁମୁହିଁ ପରିସ୍ଥିତିରେ ତାଇୱାନ୍‌ ଓ ଚୀନ୍‌। ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଅଶାନ୍ତ ପରିସ୍ଥିତି। ତାଇୱାନ୍‌ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରାୟସ ଚଲାଇଛି ଚୀନ୍‌। କେତେବେଳେ ମିସାଇଲ୍‌ ଛାଡୁଛି ତ ଆଉ କେତେବେଳେ ସମାରାଭ୍ୟାସ। ଏଭଳି ବାରମ୍ବାର କରି ତାଇୱାନ୍‌କୁ ଡରାଇବାକୁ ଚେଷ୍ଟା କରୁଛି ଚୀନ୍‌। ଏହାରି ଭିତରେ ଡ୍ରାଗନ୍‌କୁ ଉସ୍‌କାଇଛି ଆମେରିକା। ବେଜିଂ ସହିତ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତାଇୱାନର ସୁରକ୍ଷା ପାଇଁ ବଡ ସହାୟତା ଘୋଷଣା […]

america-china

Madhupriya Mistry
  • Published: Saturday, 03 September 2022
  • , Updated: 03 September 2022, 12:42 PM IST

ୱାଶିଂଟନ୍‌: ମୁହାଁମୁହିଁ ପରିସ୍ଥିତିରେ ତାଇୱାନ୍‌ ଓ ଚୀନ୍‌। ଦୁଇ ଦେଶ ମଧ୍ୟରେ ଲାଗି ରହିଛି ଅଶାନ୍ତ ପରିସ୍ଥିତି। ତାଇୱାନ୍‌ ଉପରେ ନିଜ ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରାୟସ ଚଲାଇଛି ଚୀନ୍‌। କେତେବେଳେ ମିସାଇଲ୍‌ ଛାଡୁଛି ତ ଆଉ କେତେବେଳେ ସମାରାଭ୍ୟାସ। ଏଭଳି ବାରମ୍ବାର କରି ତାଇୱାନ୍‌କୁ ଡରାଇବାକୁ ଚେଷ୍ଟା କରୁଛି ଚୀନ୍‌। ଏହାରି ଭିତରେ ଡ୍ରାଗନ୍‌କୁ ଉସ୍‌କାଇଛି ଆମେରିକା। ବେଜିଂ ସହିତ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ତାଇୱାନର ସୁରକ୍ଷା ପାଇଁ ବଡ ସହାୟତା ଘୋଷଣା କରିଛି ଆମେରିକା।

ଯୁକ୍ତରାଷ୍ଟ୍ର ଆମେରିକା ଶୁକ୍ରବାର ଦିନ ୧.୧ ବିଲିୟନ୍‌ ଡଲାର୍‌ ମୂଲ୍ୟର ଅସ୍ତ୍ରଶସ୍ତ୍ର ତାଇୱାନ୍‌କୁ ଯଗାଇବା ପାଇଁ ଘୋଷଣା କରିଛି। ଚୀନ୍‌ର ମୁକାବିଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଘୋଷଣା କରିଥିବା ଅସ୍ତ୍ରଶସ୍ତ୍ର ପ୍ୟାକେଜ୍‌ରେ ରହିଛି ୬୦ଟି ଯୁଦ୍ଧପୋତ ବିରୋଧୀ ଅତ୍ୟାଧୁନିକ ହାର୍ପୁନ୍‌ କ୍ଷେପଣାସ୍ତ୍ର। ଏଥିସହ ୧୦୦ଟି ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର। ତାଇୱାନ୍‌ ପ୍ରତି ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ରଗୁଡ଼ିକ ଉପରେ ନଜର ରଖିବା ପାଇଁ ଉକ୍ତ ପ୍ୟାକେଜ୍‌ରେ ୬୬୫ ବିଲିୟନ୍‌ ଡଲାର୍‌ ମୂଲ୍ୟର ଏକ ‘ଆର୍ଲି ରାଡାର୍‌ ୱାର୍ଣ୍ଣିଙ୍ଗ୍‌ ସିଷ୍ଟମ୍‌’ ମଧ୍ୟ ରହିଛି। ସେହିପରି, ‌କ୍ଷେପଣାସ୍ତ୍ର ପ୍ୟାକେଜ୍‌ ପାଇଁ ରହିଛି ୩୫୫ ବିଲିୟନ୍‌ ଡଲାର୍‌ ଅର୍ଥରାଶି।

ବୈଦେଶିକ ବିଭାଗର ଜଣେ ମୁଖପାତ୍ର ସୂଚନା ମୁତାବକ, ଏହି ପ୍ୟାକେଜ୍‌ ତାଇୱାନ୍‌ର ସୁରକ୍ଷା ପାଇଁ ଅତ୍ୟାବଶ୍ୟକ। ତାଇୱାନ୍‌ ଉପରେ ସାମରିକ, କୂଟନୈତିକ ଏବଂ ଆର୍ଥିକ ଚାପ ପ୍ରୟୋଗ ବନ୍ଦ କରି ତାଇୱାନ୍‌ ସହିତ ଫଳପ୍ରସୂ ଆଲୋଚନା କରିବା ଲାଗି ଆମେ ବେଜିଂକୁ ଅନୁରୋଧ କରୁଛୁ।

ସେପଟେ ଏହାକୁ ନେଇ ୱାଶିଂଟନ୍‌ସ୍ଥିତ ଚୀନା ଦୂତାବାସ ଲିୟୁ ପେଙ୍ଗ୍ୟୁ କହିଛନ୍ତି, ଏହି ସମ୍ଭାବ୍ୟ ଅସ୍ତ୍ରଶସ୍ତ୍ର ବିକ୍ରୟ ଆମେରିକା-ଚୀନ୍‌ ସମ୍ପର୍କକୁ ଅତ୍ୟନ୍ତ ବିପଜ୍ଜନକ କରି ପକାଇବ। ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଚୀନ୍‌ ମଧ୍ୟ ଅନୁରୂପ ପଦ‌କ୍ଷେପ ଗ୍ରହଣ କରିବ।

କିଛି ଦିନ ହେବ ଏହି ପ୍ୟାକେଜ୍‌ ବିଚାରାଧୀନ ଥିଲା। ତାଇୱାନ୍‌ ଏବଂ ଆମେରିକାର ସାଂସଦମାନଙ୍କ ସହିତ ପରାମର୍ଶ କରାଯିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଶାସନ କହିଛି।

ଉଲ୍ଲେଖଯୋଗ୍ୟ, ଚୀନ୍ ନାନ୍ସି ପେଲୋସିଙ୍କ ଗସ୍ତକୁ ବିରୋଧ କରି ଚୀନ୍ ଆମେରିକା ଏବଂ ତାଇୱାନକୁ ଭୟଙ୍କର ପରିଣାମର ଧମକ ଦେଇଥିଲା। କେବଳ ଏତିକି ନୁହେଁ ଚୀନ୍ ପରଦିନ ତାଇୱାନ ସୀମାରେ ସମରାଭ୍ୟାସ ଆରମ୍ଭ କରିଥିଲା। ଏବେବି ଚୀନ୍ ଏବଂ ତାଇୱାନ ମଧ୍ୟରେ ତିକ୍ତତା ଲାଗି ରହିଛି। ଯେକୌଣସି ସମୟରେ ଯୁଦ୍ଧ ହେବାର ସମ୍ଭାବନା ରହିଛି। ଏହି ବିପଦ ମଧ୍ୟରେ ଆମେରିକାର ଏହି ସାହାଯ୍ୟ ତାଇୱାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

Related story