/odisha-reporter/media/post_attachments/uploads/2022/04/Boris-Johnson-Zelenskyy.jpg)
Boris Johnson, Zelenskyy
କିଭ୍: ରୁଷ ଓ ୟୁକ୍ରେନ୍ ମଧ୍ୟରେ ପ୍ରାୟ ଦେଢ଼ ମାସ ହେବ ଲାଗି ରହିଛି ଘମାଘୋଟ ଯୁଦ୍ଧ। ଏହାରି ଭିତରେ ଅଚାନକରେ ୟୁକ୍ରେନ୍ର ରାଜଧାନୀ କିଭ୍ ଗସ୍ତରେ ଯାଇଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍। ସେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ବୁଲି ରୁଷ ଆକ୍ରମଣର ଧ୍ୱଂସଲୀଳା ଦେଖିଛନ୍ତି। ଜନଶୂନ୍ୟ କିବ୍ ରାସ୍ତାରେ ଚାଲି ଚାଲି ବୁଲିଛନ୍ତି ଜନ୍ସନ୍। ଏଥିସହ ସବୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଇବା ପାଇଁ ସେ ଜେଲେନସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।
ୟୁକ୍ରେନ୍ ସରକାର ଦ୍ୱାରା ବୋରିସ୍ ଜନ୍ସନ୍ଙ୍କ ଏଭଳି କିଭ୍ ରାସ୍ତାରେ ବୁଲିବାର ଭିଡିଓ ଶେଆର କରାଯାଇଛି। ଏହି ଭିଡିଓରେ ଦୁଇ ନେତା ସ୍ନାଇପର ଓ ଅନ୍ୟ ସୁରକ୍ଷା ବଳ ସହ ରୁଷର ରକେଟ୍ ମାଡରେ ଧ୍ୱଂସ ହୋଇଯାଇଥିବା କିଭ୍ ସହରର ବୁଲି ଦେଖିଛନ୍ତି। କିଭ୍ ମୁଖ୍ୟ ସଡକ କ୍ରେଶ୍ଚେଟିକ୍ ଯିବା ବେଳେ ଉଭୟ ପଥଚାରୀଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ମଧ୍ୟ ଜଣାଇଛନ୍ତି।
ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଦେଖି ଜଣେ ପଥଚାରୀ ଅତ୍ୟନ୍ତ ଭାବୁକ ହୋଇପଡିଛନ୍ତି। ଆମକୁ ଆପଣଙ୍କ ସହାୟତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଏହାର ଉତ୍ତର ଜନ୍ସନ୍ ଆପଣଙ୍କ ସହ ମିଶି ଭଲ ଲାଗିଲା ବୋଲି କହିଛନ୍ତି। ମୋତେ ସହାୟତା କରିବାର ସୌଭାଗ୍ୟ ମିଳିଛି। ଆପଣଙ୍କ ପାଖରେ ଜଣେ ଭଲ ରାଷ୍ଟ୍ରପତି ଜେଲେନସ୍କି ଅଛନ୍ତି ବୋଲି ଜନ୍ସନ୍ କହିଛନ୍ତି।
ୟୁକ୍ରେନ ରୁଷର ସୈନ୍ୟବାହିନୀକୁ ଭିକ୍ର ଦ୍ୱାରଦେଶରୁ ଧକ୍କା ଦେଇ ବାହାର କରିବାରେ ସବୁଠୁ ବଡ ସଫଳତା ହାସଲ କରିଛି ବୋଲି ଜନ୍ସନ୍ କହିଛନ୍ତି। ଏଥିସହ ସେ ଜେଲେନସ୍କିଙ୍କ ଦୃଢ଼ ସଂକଳ୍ପ ନେତୃତ୍ୱ ଏବଂ ୟୁକ୍ରେନବାସୀଙ୍କ ସାହାସକୁ ପ୍ରଶଂସା କରିଛନ୍ତି।
ଫେବ୍ରୁଆରି ୨୪ ରୁଷ୍ ଆକ୍ରମଣ ଆରମ୍ଭ କରିବା ପରଠାରୁ ୟୁକ୍ରେନ୍ ଗସ୍ତ କରିବାରେ ଜନ୍ସନ୍ ହେଉଛନ୍ତି ପ୍ରଥମ ‘ଜି୭’ ନେତା। ୧୨୦ଟି ଯୁଦ୍ଧ ଯାନ ଏବଂ ନୂଆ ଆଣ୍ଟି-ସିପ୍ ମିସାଇଲ୍ ସିଷ୍ଟମ୍ ଭଳି ୧୦୦ ନିୟୁତ ପାଉଣ୍ଡର ସାମରିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜନ୍ସନ୍ ୟୁକ୍ରେନ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଛଡ଼ା, ବିଶ୍ୱବ୍ୟାଙ୍କରୁ ଅତିରିକ୍ତ ୫୦୦ ନିୟୁତ ଡଲାର୍ ଋଣ କରାଇ ଦେବାକୁ ମଧ୍ୟ ସେ ଭରଷା ଦେଇଛନ୍ତି। ବ୍ରିଟିସ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କ ଏଭଳି ଅଚାନଗ ଗସ୍ତକୁ ଚାରିଆଡୁ ପ୍ରଶଂସା କରାଯାଉଛି। ସେପଟେ ରୁଷର ଘନ ଘନ ଆକ୍ରମଣ ଯୋଗୁଁ ୟୁକ୍ରେନ୍ରୁ ଲୋକଙ୍କ ପଳାୟନ ଜାରି ରହିଛି।
https://twitter.com/DefenceU/status/1512867082932793347?s=20&t=5I5euO6viiiYgBaymob3Kw
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
