/odisha-reporter/media/post_attachments/uploads/2021/11/Corona-2.jpg)
Corona
ବେଜିଂ: ମହାମାରୀ କରୋନାର ମାରାତ୍ମକ ଭାରିଏଣ୍ଟ ଡେଲ୍ଟା ଏବେ ଚାଇନାର ନିଦ ହଜାଇ ଦେଇଛି। ଡେଲ୍ଟା ଭାରିଏଣ୍ଟ ଯୋଗୁ ଦେଶର ବିଭିନ୍ନ ପ୍ରାନ୍ତରେ ସଂକ୍ରମଣ ହୁହୁ ହୋଇ ବଢ଼ି ଚାଲିଛି। ଦେଶର ଉତ୍ତରପୂର୍ବ ସହରରେ ସ୍ଥିତି ସବୁଠାରୁ ସାଂଘାତିକ ରହିଛି। ଏଥିପାଇଁ ସେହି ସହରରୁ ଆସୁଥିବା ଲୋକଙ୍କ ଉପରେ କଟକଣା ଲାଗୁ କରାଯାଇଛି।
ଚାଇନାରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ଲକ୍ଷଣ ଯୁକ୍ତ ୧୩୦୮ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ବେଜିଂ ବ୍ୟତୀତ ଡେଲ୍ଟା ଭାରିଏଣ୍ଟ ଚାଇନାର ୨୧ଟି ପ୍ରଦେଶ, ଅଞ୍ଚଳ ଓ ମ୍ୟୁନସିପାଲଟିରେ ଚିହ୍ନଟ ହୋଇଛି। ତଥାପି ବିଶ୍ୱର ଅନ୍ୟ ରାଷ୍ଟ୍ର ଗୁଡ଼ିକ ତୁଳନାରେ ଚାଇନାର ସ୍ଥିତି ଭଲ ରହିଛି। କିନ୍ତୁ ସରକାର ସଂକ୍ରମଣକୁ ରୋକିବା ପାଇଁ କଠୋର କଟକଣା ଲଗାଉଛନ୍ତି।
ସଂକ୍ରମିତ ହେବା କ୍ଷଣି ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଉଛି। ସେହିପରି ଏକାଧିକ ରାଉଣ୍ଡ ଟେଷ୍ଟିଂ କରାଯାଉଛି। ମନୋରଞ୍ଜନ, ସାଂସ୍କୃତି କାର୍ଯ୍ୟକ୍ରମ, ପର୍ଯ୍ୟଟନ ସ୍ଥଳୀ ଓ ପବ୍ଲିକ ଟ୍ରାନ୍ସପୋର୍ଟ ଉପରେ ସରକାର ରୋକ ଲଗାଇଛନ୍ତି। ଏହାଦ୍ୱାରା କିଛି ପ୍ରଦେଶରେ ଏବେ ସଂକ୍ରମଣ ସାମାନ୍ୟ କମି ପାରିଛି।
ହେଲେ ଡାଲିଆନରେ ସଂକ୍ରମଣ ଏବେ ବି ଉପର ମୁହାଁ ରହୁଛି। ଏଠାରେ ଶହଶହ ଲୋକ ପ୍ରତିଦିନ ଡେଲ୍ଟା ଭାରିଏଣ୍ଟରେ ଆକ୍ରାନ୍ତ ହେଉଛନ୍ତି। ଏଠାରେ ନଭେମ୍ବର ୪ରେ ପ୍ରଥମ ଲକ୍ଷଣ ଯୁକ୍ତ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ୭.୫ ମିଲିୟନ ଜନସଂଖ୍ୟା ବିଶିଷ୍ଟ ଡାଲିଆନରେ ଦୈନିକ ସଂକ୍ରମିତଙ୍କ ହାର ୨୪ ଛୁଇଁଛି, ଯାହା ଚାଇନାର ଅନ୍ୟ ସହର ଗୁଡ଼ିକ ତୁଳନାରେ ଖୁବ ଅଧିକ।
ଡାଲିଆନରେ ସଂକ୍ରମଣ ବ୍ୟାପୁଥିବାରୁ ଏହାର ପାଖରେ ଥିବା ଡାନଡୋଙ୍ଗ, ଅନଶାନ ଓ ଶେନୟାଙ୍ଗ ସହରରେ କଡ଼ା କଟକଣା ଲାଗିଛି। ଡାଲିଆନରୁ ଏହି ସବୁ ସହରକୁ ଆସୁଥିବା ଲୋକଙ୍କୁ ବାଧ୍ୟତାମୂଳକ ୧୪ ଦିନ ସରକାରୀ କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ଏହାପରେ ସେମାନଙ୍କ ଟେଷ୍ଟିଂ ହେବ ଓ ସେମାନେ ମୁକ୍ତ ଭାବେ ବୁଲି ପାରିବେ।
ସୂଚନାଯୋଗ୍ୟ, ଚାଇନାରେ ବର୍ତ୍ତମାନ ସୁଦ୍ଧା ୯୮,୩୧୫ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୪,୬୩୬ ଜଣ ପ୍ରାଣ ହରାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
