/odisha-reporter/media/post_attachments/uploads/2022/03/russia-11.jpg)
russia
କିଭ୍: ୟୁକ୍ରେନ ବିରୋଧରେ ଆକ୍ରମଣକୁ ଆହୁରି ଜୋରଦାର କରିଛି ରୁଷ। ଆଜି ରୁଷ ପକ୍ଷରୁ ମୟକୋଲାଇଭ ସ୍ଥିତ ଆର୍ମି ବାରାକ ଉପରେ ଘନଘନ ବୋମା ମାଡ଼ କରାଯାଇଛି। ଏଥିରେ ୫୦ରୁ ଅଧିକ ଯବାନ ପ୍ରାଣ ହରାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ସେହିପରି ପୂରା ବାରାକ ଓ ଏଠାରେ ଆର୍ମି ଯବାନଙ୍କ ପାଇଁ ରହିଥିବା ଅସ୍ତ୍ରଶସ୍ତ୍ର ଧ୍ୱଂସ ହୋଇଯାଇଛି।
ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ଥିବା ଜଣେ ୨୨ ବର୍ଷୀୟ ଯବାନ କହିଛନ୍ତି, “ବୋମା ମାଡ଼ ବେଳେ ୨୦୦ରୁ ଅଧିକ ସୈନ୍ୟ ବାରାକ ମଧ୍ୟରେ ଶୋଇଥିଲେ। ପୂରା ବାରାକ ଧ୍ୱଂସ ପାଇ ଯାଇଛି। ବର୍ତ୍ତମାନ ସୁଦ୍ଧା ୫୦ ଜଣଙ୍କ ମୃତଦେହ ମିଳିଛି। ଧ୍ୱଂସାବଶେଷ ତଳେ ଆହୁରି କେତେ ସୈନ୍ୟ ରହିଛନ୍ତି, ସେକଥା ଜଣାପଡ଼ିନି।”
ଆଉ ଜଣେ ଯବାନଙ୍କ ମତରେ ରୁଷର ବୋମା ବର୍ଷଣ ଯୋଗୁ ପ୍ରାୟ ୧୦୦ରୁ ଅଧିକ ସୈନ୍ୟ ପ୍ରାଣ ହରାଇଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କେବଳ ଆର୍ମି ବାରାକ ଉପରେ ହମଲା ହୋଇଥିବା ପ୍ରଶାସନ ସ୍ପଷ୍ଟ କରିଛି।
ପ୍ରାଶସନ କହିଛି ଯେ ସହରର ଉତ୍ତର ପାର୍ଶ୍ୱରେ ଏହି ବାରାକଟି ରହିଥିଲା। ଶୁକ୍ରବାର ଭୋର ସମୟରେ ରୁଷ ଏହାକୁ ଟାର୍ଗେଟ କରି ଘନଘନ ବୋମା ମାଡ଼ କରିଛି। ଏକାଧିକ ରକେଟ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ବି ହମଲା କରାଯାଇଥିଲା। କେବଳ ବାରାକ ନୁହେଁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ରୁଷ ପକ୍ଷରୁ ବୋମା ମାଡ଼ କରାଯାଇଥିବା ପ୍ରଶାସନ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ରୁଷ ସେନା ପ୍ରଥମଥର ପାଇଁ ଯୁଦ୍ଧରେ ଖିଞ୍ଜହାଲ ହାଇପରସୋନିକ ମିସାଇଲ ବ୍ୟବହାର କରିଛି। ୟୁକ୍ରେନର ପଶ୍ଚିମ ପ୍ରାନ୍ତରେ ଥିବା ଗୋଟିଏ ମିଲିଟାରୀ ଷ୍ଟୋରେଜ ଉପରେ ଏହି ମିସାଇଲକୁ ଶୁକ୍ରବାର ବ୍ୟବହାର କରାଯାଇଥିଲା। ଫଳରେ ଏଠାରେ ଥିବା ୟୁକ୍ରେନର ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଧ୍ୱଂସ ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
