/odisha-reporter/media/post_attachments/uploads/2022/02/Queen-Elizabeth.jpg)
Queen-Elizabeth
ନୂଆଦିଲ୍ଲୀ: ବ୍ରିଟେନ୍ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ହୋଇଛି। ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବାଲମୋରାଲ କ୍ୟାସଲରେ ଗତବର୍ଷ ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା। ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା। ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା । ରାଣୀଙ୍କ ମରଶରୀର ଆଜି ସ୍କଟଲାଣ୍ଡରୁ ଲଣ୍ଡନ ଅଣାଯିବ। ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ। ଦୁଇ ଦିନ ତଳେ ରାଣୀଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିଥିଲା । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସଙ୍କୁ ସେ ନିଯୁକ୍ତି ଦେଇଥିଲେ। ରାଣୀଙ୍କ ପରଲୋକ ପରେ ଲଣ୍ଡନର ବକିଂହାମ୍ ପ୍ୟାଲେସରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ ରଖାଯାଇଛି। ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି ।
ବିଶ୍ୱର ସର୍ବ ପୂରାତନ ସଂସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥା ବ୍ରିଟେନ ରାଜ ପରିବାରର ବଡ଼ ଭୂମିକା ରହିଛି। ଦେଶରେ ନିର୍ବାଚିତ ସରକାର ଥିଲେ ସୁଦ୍ଧା ରାଜ ପରିବାରର ସମ୍ମାନାର୍ଥେ ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପ୍ରଦାନ କରାଯାଇଥାଏ। ଭାରତରେ ରାଷ୍ଟ୍ରପତିଙ୍କ ପରି ଭୂମିକା ବ୍ରିଟେନ୍ ମହାରାଣୀ ତୁଲାଇଥାନ୍ତି। ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ବିଧିବଦ୍ଧ ଭାବେ ନିଯୁକ୍ତ କରିବା ଭଳି କ୍ଷମତା ମହାରାଣୀଙ୍କ ନିକଟରେ ରହିଥାଏ । ରାଣୀ ଏଲିଜାବେଥଙ୍କ ଜନ୍ମ ୧୯୨୬ ଏପ୍ରିଲ ୨୧ରେ ଲଣ୍ଡନରେ ହୋଇଥିଲା। ନୌସେନା ଅଧିକାରୀ ଫିଲିପ ମାଉଣ୍ଟ ବ୍ୟାଟେନଙ୍କ ସହ ତାଙ୍କର ବିବାହ ହୋଇଥିଲା । ତାଙ୍କର ୪ ସନ୍ତାନ ପ୍ରିନ୍ସ ଚାର୍ଲସ, ପ୍ରିନ୍ସ ଆନି, ପ୍ରିନ୍ସ ଆଣ୍ଡ୍ରୁ୍ୟ ଏବଂ ପ୍ରିନ୍ସ ଏଡୱାର୍ଡ ଅଛନ୍ତି। ୧୯୫୨ରେ ପିତା ଜର୍ଜ (ଷଷ୍ଟ)ଙ୍କ ମୃତ୍ୟୁ ପରେ ୨୫ ବର୍ଷ ବୟସରେ ରାଜ ସିଂହାସନରେ ବସିଥିଲେ ରାଣୀ ଏଲିଜାବେଥ୍ ।
ସେ ବ୍ରିଟେନ୍ ସମେତ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, କାନାଡା, ଆଣ୍ଟିଗୁଆ, ବର୍ମୁଡା, ବାହାମସ୍, ବ୍ରାଜିଲ, ସେଣ୍ଟ ଲୁସିଆ ଓ ସେଣ୍ଟ ଭିନସେଣ୍ଟ ଭଳି ୧୫ଟି ଦେଶର ରାଣୀ ଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ପରେ ତାଙ୍କ ୭୩ ବର୍ଷିୟ ବଡପୁଅ ପ୍ରିନ୍ସ ଚାର୍ଲସ ବ୍ରିଟେନ୍ର ନୂଆ ରାଜା ହୋଇଛନ୍ତି । ବ୍ରିଟେନ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକରେ ବିଶ୍ୱବ୍ୟାପୀ ଶୋକ ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାରାଣୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ବିଶ୍ୱ ଜଣେ ମହାନ୍ ବ୍ୟକ୍ତିତ୍ୱଙ୍କୁ ହରାଇବା ସହ ବ୍ରିଟେନରେ ୭୦ ବର୍ଷ ଯୁଗର ଅବସାନ ଘଟିଲା ବୋଲି ଟ୍ୱିଟ୍ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ୨୦୧୫ ଏବଂ ୨୦୧୮ରେ ୟୁକେ ଗସ୍ତ ଅବସରରେ ରାଣୀ ଏଲିଜାବେଥ୍ ତାଙ୍କୁ ଦେଇଥିବା ଆତିଥ୍ୟ ସେ କେବେବି ଭୁଲି ପାରିବେ ନାହିଁ ବୋଲି ମୋଦି ଟ୍ୱିଟ୍ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
