zelensky
କିଭ୍: ରୁଷ ସହ ଫେବୃଆରୀ ୨୪ରୁ ଯୁଦ୍ଧ କରି ଆସୁଥିବା ୟୁକ୍ରେନକୁ ମିଳିଛି ବଡ଼ ଆଶ୍ୱସ୍ତି। ୟୁରୋପୀୟ ୟୁନିୟନରେ ସାମିଲ ହେବାକୁ ୟୁକ୍ରେନକୁ ଦାବିଦାର ଭାବେ ଚୟନ କରାଯାଇଛି। ଅର୍ଥାତ ୟୁକ୍ରେନକୁ ୟୁରୋପୀୟ ୟୁନିୟନର ପ୍ରାର୍ଥୀ ଭାବେ ଚୟନ କରାଯାଇଛି। ୟୁକ୍ରେନ ବ୍ୟତୀତ ମାଲଡୋବାକୁ ମଧ୍ୟ ୟୁନିୟନରେ ସାମିଲ କରିବାକୁ ୟୁରୋପୀୟ ନେତାମାନେ ନିଷ୍ପତ୍ତି ନେଇଛନ୍ତି।
ଉଭୟ ଦେଶକୁ ୟୁନିୟନର ସଦସ୍ୟ ମାନ୍ୟତା ଦେବାକୁ ଔପଚାରିକ ଭାବେ ସବୁ ନେତା ଏକମତ ହୋଇଛନ୍ତି। ଇୟୁ ନେତାଙ୍କ ଏହି ନିଷ୍ପତ୍ତିକୁ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଦମିରି ଜେଲେସ୍କି ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଛନ୍ତି।
ଗୁରୁବାର ବ୍ରୁସେଲ୍ସରେ ୟୁରୋପୀୟ ୟୁନିୟନର ଗୋଟିଏ ବୈଠକ ବସିଥିଲା। ଏହି ସମୟରେ ୟୁନିୟନରେ ଥିବା ସମସ୍ତ ୨୭ ସଦସ୍ୟ ରାଷ୍ଟ୍ର ୟୁକ୍ରେନ ଓ ମାଲଡୋବାକୁ ସଂଘରେ ସାମିଲ କରିବାକୁ ମତ ରଖିଥିଲେ। ସର୍ବମ୍ମତିକ୍ରମେ ଉଭୟ ଦେଶକୁ ୟୁନିୟନରେ ସାମିଲ କରିବା ପାଇଁ ପ୍ରାର୍ଥୀ ଭାବେ ଗ୍ରହଣ କରାଯାଇଥିବା ଏହାର ଅଧ୍ୟକ୍ଷ ଚାର୍ଲସ ମାଇକେଲ ସୂଚନା ଦେଇଛନ୍ତି। ଏଥସହ ଦୁଇ ଦେଶକୁ ୟୁନିୟନରେ ସାମିଲ କରିବା ପାଇଁ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ୟୁକ୍ରେନ ଓ ମାଲଡୋବା ବିଧିବଦ୍ଧ ଭାବେ ୟୁରୋପୀୟ ୟୁନିୟନର ସଦସ୍ୟତା ଲାଭ କରିବେ।
ଏହି ଖବର ସାମ୍ନାକୁ ଆସିବା ପରେ ଜେଲେନସ୍କି ଟ୍ୱିଟ କରି ୟୁରୋପୀୟ ଦେଶଗୁଡ଼ିକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତ, “ୟୁକ୍ରେନକୁ ପ୍ରାର୍ଥୀ ଭାବେ ମାନ୍ୟତା ମିଳିବା ଚାର୍ଲସ ମାଇକେଲ ଓ ଇୟୁ ନେତାମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ। ୟୁକ୍ରେନର ଭବିଷ୍ୟତ ୟୁରୋପୀୟ ୟୁନିୟନ ସହ ହିଁ ରହିଛି।”
ଚାର୍ଲସ ମାଇକେଲ ଟ୍ୱିଟ ଯୋଗେ ୟୁନିୟନର ଏହି ନିଷ୍ପତ୍ତିକୁ ଐତିହାସିକ ଓ ଅସାଧାରଣ ଭାବେ ବିବେଚନା କରିଛନ୍ତି। କେବଳ ଜେଲେନସ୍କି ନୁହନ୍ତି ମାଲଡୋବାର ରାଷ୍ଟ୍ରପତି ମାଇଆ ସାନ୍ଧୁ ମଧ୍ୟ ୟୁରୋପୀୟ ୟୁନିୟନର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/zelensky.jpg)