ହାହାକାର ସ୍ଥିତି: ଆଳୁ ୨୦୦, କଞ୍ଚା ଲଙ୍କା କେଜି ୭୦୦ ଟଙ୍କା

କଲୋମ୍ବ: ଭାରତର ପଡ଼ୋଶୀ ଶ୍ରୀଲଙ୍କାରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦାମ ଆକାଶା ଛୁଆଁ ହୋଇଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଶ୍ରୀଲଙ୍କାରେ ସ୍ଥିତି ଏପରି ହୋଇଛି ଯେ ମାସକ ମଧ୍ୟରେ ସବୁ ଖାଦ୍ୟ ସାମଗ୍ରୀ ଓ ପରିବା ଦର ୧୫ରୁ ୨୦ ଗୁଣୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କାରେ ପୂର୍ବରୁ ୧୦୦ ଗ୍ରାମ କଞ୍ଚା ଲଙ୍କାର ଦାମ ୧୮ ଟଙ୍କା ଥିଲା। ହେଲେ ଏବେ ଏହା […]

chilli

Hemant Lenka
  • Published: Tuesday, 11 January 2022
  • , Updated: 11 January 2022, 09:14 PM IST

କଲୋମ୍ବ: ଭାରତର ପଡ଼ୋଶୀ ଶ୍ରୀଲଙ୍କାରେ ହାହାକାର ସ୍ଥିତି ସୃଷ୍ଟି ହୋଇଛି। ଦେଶରେ ଖାଦ୍ୟ ସାମଗ୍ରୀଗୁଡ଼ିକର ଦାମ ଆକାଶା ଛୁଆଁ ହୋଇଛି। ମହଙ୍ଗା ମାଡ଼ରେ ଲୋକମାନେ ଆଉଟ ପାଉଟ ହେଉଛନ୍ତି। ଶ୍ରୀଲଙ୍କାରେ ସ୍ଥିତି ଏପରି ହୋଇଛି ଯେ ମାସକ ମଧ୍ୟରେ ସବୁ ଖାଦ୍ୟ ସାମଗ୍ରୀ ଓ ପରିବା ଦର ୧୫ରୁ ୨୦ ଗୁଣୁ ବୃଦ୍ଧି ପାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀଲଙ୍କାରେ ପୂର୍ବରୁ ୧୦୦ ଗ୍ରାମ କଞ୍ଚା ଲଙ୍କାର ଦାମ ୧୮ ଟଙ୍କା ଥିଲା। ହେଲେ ଏବେ ଏହା ୭୧ ଟଙ୍କା ଛୁଇଁଛି। ଏହାର ଅର୍ଥ ଗୋଟିଏ କେଜି କଞ୍ଚା ଲଙ୍କାର ଦାମ ୭୧୦ ଟଙ୍କାରେ ବିକ୍ରି ହେଉଛି। ଗୋଟିଏ ମାସ ମଧ୍ୟରେ କଞ୍ଚା ଲଙ୍କାର ଦାମ ୨୮୭ ଗୁଣ ବଢ଼ିଛି।

ସେହିପରି ବାଇଗଣର କେଜି ପିଛା ଦାମ ୫୧%, ପିଆଜର ଦାମ ୪୦, ବିନ୍ସ ଓ ଟମାଟୋର କେଜି ପିଛା ଦାମ ୧୦ ଗୁଣ ବୃଦ୍ଧି ପାଇଛି। ଲୋକମାନଙ୍କୁ ଗୋଟିଏ କେଜି ଆଳୁ ପାଇଁ ୨୦୦ ଟଙ୍କା ଦେବାକୁ ପଡ଼ୁଛି। ଦୁଗ୍ଧ ପାଉଡର ଆମଦାନୀ ହୋଇ ପାରୁ ନଥିବାରୁ ଶ୍ରୀଲଙ୍କାରେ ଏହାର ଅଭାବ ମଧ୍ୟ ଦେଖିବାକୁ ମିଳିଲାଣି।

ଦୁଗ୍ଧ ପାଉଡର ଆମଦାନୀ ଆସୋସିଏସନ କହିଛି ଯେ ଜାନୁଆରୀ ଶେଷ ଯାଏ ଏପରି ଅଭାବୀ ଦେଖାଯିବ। ମାର୍କେଟରେ ଡଲାରର ମୂଲ୍ୟ ବଢ଼ୁଥିବାରୁ ଏପରି ସ୍ଥିତି ଦେଖାଯାଇଛି। ୧ କେଜି ଦୁଗ୍ଧ ପାଉଡରର ମୂଲ୍ୟ ୧୩୪୫ ଟଙ୍କାରେ ପହଞ୍ଚିଛି। ସେହିପରି ୪୦୦ ଗ୍ରାମ ଦୁଗ୍ଧ ପାଉଡରର ପ୍ୟାକେଟର ମୂଲ୍ୟ ୫୪୦ ଟଙ୍କା ରହିଥିବା ଆସୋସିଏସନର ମୁଖପାତ୍ର ଅଶୋକା ଭଣ୍ଡାରା ସୂଚନା ଦେଇଛନ୍ତି।

ଅନ୍ୟ ପନିପରିବା ଦାମ ଦେଖିଲେ ଟମାଟୋ କେଜି ପ୍ରତି ୨୦୦ ଟଙ୍କା, ବାଇଗଣ ୧୬୦ ଟଙ୍କା, ଭେଣ୍ଡି ୨୦୦ ଟଙ୍କା, କଲରା ୧୬୦ ଟଙ୍କା, ବିନ୍ସ ୩୨୦ ଟଙ୍କା, ବନ୍ଧା କୋବି ୨୪୦ ଟଙ୍କା, ଗାଜର ୨୦୦ ଟଙ୍କା ଓ କଞ୍ଚା କଦଳୀର ଦାମ ୧୨୦ ଟଙ୍କା ରହିଛି। ମୋଟ ଉପରେ ଦେଖିବାକୁ ଗଲେ ୨୦୧୯ ତୁଳନାରେ ଏବେ ସବୁ ପନିପରିବା ଓ ଖାଦ୍ୟ ସାମଗ୍ରୀର ମୂଲ୍ୟ ଦୁଇ ଗୁଣ ବଢ଼ିଛି। ସେହିପରି ଡିସେମ୍ବର ୨୦୨୦ରୁ ଇତି ମଧ୍ୟରେ ଦରଦାମ ୩୭% ବୃଦ୍ଧି ପାଇଛି।

ଏହାର ଅର୍ଥ ୪ ଜଣିଆ ପରିବାର ୨୦୨୦ ଡିସେମ୍ବରରେ ସପ୍ତାହକୁ ଖାଦ୍ୟ ପଦାର୍ଥ ପାଇଁ ୧୧୬୫ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏବେ ସେମାନଙ୍କୁ ୧୫୯୩ ଟଙ୍କର ଦେବାକୁ ପଡ଼ୁଛି। ବର୍ଦ୍ଧିତ ମହଙ୍ଗା ମାଡ଼ ଯୋଗୁ ସାଧାରଣ ଲୋକ ନାନା ପ୍ରକାରର ସମସ୍ୟାରେ ପଡ଼ୁଛନ୍ତି। ଅନେକ ଲୋକ ନିଜ ପେଟକୁ ଦିଗୁଣ୍ଡା ଖାଦ୍ୟ ପାଇଁ ଅନେକ ସଂଘର୍ଷ କରୁଛନ୍ତି।

ଶ୍ରୀଲଙ୍କାର ଜଣେ ଟ୍ୟାକ୍ସି ଚାଳକ କହିଛନ୍ତି, “ପୂର୍ବରୁ ଆମେ ଦିନକୁ ୩ ଥର ଖାଉଥିଲୁ। କିନ୍ତୁ ଏବେ ମହଙ୍ଗା ମାଡ଼ ଯୋଗୁ ୨ ଥର ଖାଉଛୁ। ମୋ ପାଇଁ ଗାଡ଼ିର ଲୋକ ଶୁଝିବା ଏବେ କଷ୍ଟକର ହୋଇପଡ଼ିଛି। ବିଜୁଳି, ପାଣି ଓ ଖାଦ୍ୟ ସାମଗ୍ରୀ ପରେ ଆଉ କିଛି ବି ଟଙ୍କା ବଳୁନି। ଏପରି ସ୍ଥିତିରେ ଲୋନ କେମିତି ଶୁଝିବି?”

ବର୍ଦ୍ଧିତ ଦରଦାମ ଯୋଗୁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ଏହାର ଅର୍ଥ ଲୋକମାନେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଅର୍ଥରେ କେମିତି ଖାଦ୍ୟ ସାମଗ୍ରୀ ପାଇବେ, ସେକଥାକୁ ଦେଶର ସେନା ଯବାନମାନେ ନିଶ୍ଚିତ କରିବେ।

ମହାମାରୀ କରୋନା ସଂକ୍ରମଣ, ସରକାରୀ ସ୍ତରରେ ଅଧିକ ଖର୍ଚ୍ଚ ଓ ଟିକସ ପରିମାଣରେ ହ୍ରାସ ଯୋଗୁ ଶ୍ରୀଲଙ୍କାରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ମହାମାରୀ କରୋନା ଶ୍ରୀଲଙ୍କାର ପର୍ଯ୍ୟଟନ ଶିଳ୍ପକୁ ଧ୍ୱଂସ କରିଦେଇଛି। ସରକାରୀ ତହବିଲ ଖାଲି ହୋଇଯାଇଥିବା ବେଳେ ବିଦେଶୀ ଋଣ ଦେଶ ଉପରେ କ୍ରମାଗତ ଭାବେ ଚାପ ସୃଷ୍ଟି କରୁଛି।

ବିଶ୍ୱ ବ୍ୟାଙ୍କର ଆକଳନ ଅନୁଯାୟୀ, ମହାମାରୀ କରୋନା ଯୋଗୁ ଶ୍ରୀଲଙ୍କାର ଆଉ ୫ ଲକ୍ଷ ଲୋକ ଦାରିଦ୍ର୍ୟ ସୀମା ରେଖା ତଳକୁ ଚାଲି ଆସିଛନ୍ତି। ଡିସେମ୍ବର ମାସରେ ଖାଦ୍ୟ ସାମଗ୍ରୀଗୁଡ଼ିକ ମୂଲ୍ୟ ୨୨.୧% ମହଙ୍ଗା ହୋଇଛି।

Related story