/odisha-reporter/media/post_attachments/uploads/2022/08/Imran-Khan.jpg)
Imran-Khan
ଇସଲାମାବାଦ: ଆତଙ୍କବାଦ ମାମଲା ରୁଜୁ ହେବା ପରେ ପାକିସ୍ତାନା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ଭୟ ଘାରିଛି। ତାଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ। ଏହି ସମ୍ଭାବ୍ୟ ଗିରଫଦାରୀ ପୂର୍ବରୁ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ବଡ଼ ଆନ୍ଦୋଳନର ଆହ୍ୱାନ ଦେଇଛି।
ପିଟିଆଇ ତା’ର ସମସ୍ତ କର୍ମୀ ଓ ନେତାମାନଙ୍କୁ ଇମ୍ରାନ ଖାନଙ୍କ ସମର୍ଥନରେ ରାଜାରାସ୍ତାକୁ ଓହ୍ଲାଇବାକୁ କହିଛି। ଏଥିସହ ପିଟିଆଇ ନେତା ଫୱାଦ ଚୌଧୁରୀ ଦଳୀୟ କର୍ମୀମାନଙ୍କୁ ଇମ୍ରାନ ଖାନଙ୍କ ବାସଭବନ ବାନି ଗାଲା ନିକଟରେ ଏକାଠି ହେବାକୁ ପରାମର୍ଶ ଦେଇଛନ୍ତି।
ଶନିବାର ଏଫ ୯ ପାର୍କରେ ଇମ୍ରାନ ଖାନ ଗୋଟିଏ ଜନସଭାକୁ ସମ୍ବୋଧନ କରିଥିଲେ। ଏଥିସହ ସେ ଆଡିସନାଲ ସେସନ୍ସ ଜଜ୍ ଜେବା ଚୌଧୁରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ଖୋଲା ଧମକ ଦେଇଥିଲେ। ଏହି ଧମକ ସହ ସେ ଉତ୍ତେଜନା ସୃଷ୍ଟି କରିବା ଭଳି ମତ ରଖିଥିଲେ। ଏହା ବିରୋଧରେ ଇସଲାମାବାଦ ସଦର ମାଜିଷ୍ଟ୍ରେଟ ଅଲୀ ଜାଭେଦ ପୁଲିସର ଦ୍ୱାରସ୍ଥ ହୋଇଥିଲେ।
ତାଙ୍କ ଅଭିଯୋଗକ୍ରମେ ମାରଗାଲ୍ଲା ପୁଲିସ୍ ଷ୍ଟେସନରେ ଇମ୍ରାନଙ୍କ ନାଁରେ ଏଫଆଇଆର ରୁଜୁ କରାଯାଇଥିଲା। ଆତଙ୍କବାଦ ନିରୋଧୀ ଆଇନ (ଏଟିଏ)ଅନୁସାରେ ଏଫଆଇଆର ହୋଇଥିବାରୁ ଇମ୍ରାନଙ୍କୁ ପୁଲିସ୍ ଗିରଫ କରିବାର ଆଶଙ୍କା ରହିଛି।
ଏଫଆଇଆର ପରେ ଇମ୍ରାନଙ୍କ ସମର୍ଥନରେ ବାହାରିଛି ତାଙ୍କ ଦଳ ପିଟିଆଇ। ଦଳର ଉପାଧ୍ୟକ୍ଷ ଶାହ ମହମ୍ମଦ କ୍ୟୁରେଶୀ କହିଛନ୍ତି, “ପିଟିଆରର ସମସ୍ତ କର୍ମକର୍ତ୍ତା ଓ ନେତାମାନେ ବଡ଼ ବିକ୍ଷୋଭ ପାଇଁ ପ୍ରସ୍ତୁତ ରୁହନ୍ତୁ। ଡାକରା ମିଳିବା ମାତ୍ରେ ଆମେ ସମସ୍ତେ ରାଜରାସ୍ତାକୁ ଓହ୍ଲାଇବା।” ତାଙ୍କର ଏପରି ଆହ୍ୱାନ ପରେ ପୁଲିସ୍ ଇମ୍ରାନ ଖାନଙ୍କ ବାସଭବନକୁ ସଂଯୋଗ କରୁଥିବା ରାସ୍ତାକୁ ବ୍ଲକ କରି ଦେଇଛି।
ବିନା ଅନୁମତିରେ ଉକ୍ତ ରାସ୍ତାରେ କାହାକୁ ଯିବା ଆସିବା ପାଇଁ ଅନୁମତି ମିଳୁନି। ଲୁହା ତାର ଦ୍ୱାରା ବ୍ୟାରିକେଡ କରାଯାଇଥିବେ ବେଳେ ବିପୁଳ ସଂଖ୍ୟାରେ ଫ୍ରଣ୍ଟିୟର କ୍ରପ୍ସଙ୍କୁ ମୁତୟନ କରାଯାଇଛି। ଗତକାଲି ସନ୍ଧ୍ୟାରୁ ଇମ୍ରାନଙ୍କ ବାସଭବନ ରାସ୍ତାରେ ଥିବା ଷ୍ଟ୍ରିଟ ଲାଇଟକୁ ବି ବନ୍ଦ କରି ଦିଆଯାଇଛି।
ଇମ୍ରାନ ଖାନ ନିଜ ଭାଷଣ ଜରିଆରେ ଇସଲାମାବାଦ ପୁଲିସ୍ ଅଧିକାରୀ ଓ ଜଣେ ମହିଳା ମାଜିଷ୍ଟ୍ରେଟଙ୍କୁ ଖୋଲା ଧମକ ଦେଇଥିବାରୁ ଏହାର ସିଧାପ୍ରସାରଣ ମଧ୍ୟ ପାକିସ୍ତାନ ଟିଭି ଚ୍ୟାନେଲ ଗୁଡ଼ିକ ଅଧାରୁ ବନ୍ଦ କରି ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
