/odisha-reporter/media/post_attachments/uploads/2021/07/Pegasus-2.jpg)
Pegasus
ନ୍ୟୁୟର୍କ: ଇସ୍ରାଏଲର ସ୍ପାଏଓ୍ୱୟାର କମ୍ପାନୀ ଏନଏସଓ ପେଗାସସ ବ୍ୟବହାର ଉପରେ ରୋକ୍ ଲଗାଇଛି। ଗତକାଲି ଇସ୍ରାଏଲ ସରକାରଙ୍କ ତଦନ୍ତ ଅଧିକାରୀ ପେଗାସସର ଅଫିସ ଯାଞ୍ଚ କରିବା ପରେ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଆମେରିକାର ନ୍ୟାଶନାଲ ପବ୍ଲିକ ରେଡିଓକୁ ଏନଏସଓର ଜଣେ କର୍ମଚାରୀ ଏପରି ସୂଚନା ଦେଇଛନ୍ତି। ହେଲେ ସୂଚନା ଦେଇଥିବା ବ୍ୟକ୍ତି ତାଙ୍କ ନାମ ଗୋପନ ରଖିଛନ୍ତି। କେଉଁ ଦେଶର ସରକାର ପେଗାସସ ବ୍ୟବହାର କରିବା ପାଇଁ ଲାଇସେନ୍ସ ନେଇଥିଲେ ସେ ନେଇ କୌଣସି ସୂଚନା ପ୍ରଦାନ କରି ନାହାନ୍ତି ସୂଚନା ଦେଇଥିବା ବ୍ୟକ୍ତି।
ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଦେଶର ସରକାର ଏନଏସଓ ପାଖରୁ ପେଗାସସର ଲାଇସେନ୍ସ ନେଇଥିଲେ। ହେଲେ କିଛି ସରକାର ଲାଇସେନ୍ସର ଅପବ୍ୟବହାର କରିଥିବା ସୂଚନା ରହିଛି। ତେଣୁ ଏନଏସଓ ସେହି ସରକାରଙ୍କ ଲାଇସେନ୍ସ ସସପେଣ୍ଡ କରିଛି। ଏହାବାଦ ସମସ୍ତ ସରକାର ଏବେ ପେଗାସସ ବ୍ୟବହାର କରିପାରିବେ ନାହିଁ ବୋଲି ଏନଏସଓ ନିଷ୍ପତ୍ତି ନେଇଛି। ଇସ୍ରାଏଲ ଅଧିକାରୀ ଏନଏସଓ ଅଫିସ ଯାଞ୍ଚ କରିବା ବେଳେ ଅନେକ କିଛି ତଥ୍ୟ ପାଇଥିବା ସୂଚନା ରହିଛି। ହେଲେ କେଉଁସବୁ ତଥ୍ୟ ଜବତ ହୋଇଛି ସେ ନେଇ କମ୍ପାନୀ କୌଣସି ସୂଚନା ଦେଇ ପାରିବ ନାହିଁ ବୋଲି ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ରୋକ୍ ଲଗାଇଛନ୍ତି।
ଭାରତ ସମତେ ଅନେକ ଦେଶର ସରକାର ପେଗାସସ ଜରିଆରେ ୫୦ ହଜାରରୁ ଅଧିକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଥିବା ଅଭିଯୋଗ ରହିଛି। ଏହାକୁ ନେଇ ଭାରତ ସମେତ ପାକିସ୍ତାନ, ଫ୍ରାନ୍ସ, ଜର୍ମାନୀ, ଆମେରିକା ଆଦି ଦେଶରେ ବିବାଦ ବଢ଼ିଛି। ଯେଉଁସବୁ ବ୍ୟକ୍ତିଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଇଛି ସେମାନଙ୍କ ମଧ୍ୟରେ ଭାରତର ସାମ୍ୱାଦିକ, ବିଚାରପତି, ରାଜନେତା, ଶିଳ୍ପପତି, ବ୍ୟବସାୟୀ ରହିଥିବା ଦାବି ହୋଇଛି।
ସୂଚନାଯୋଗ୍ୟ, ‘ଦ ଓ୍ୱୟାର’ ଏବଂ କିଛି ଓ୍ୱେବସାଇଟ୍ ଦାବି କରିଛନ୍ତି ଯେ କେନ୍ଦ୍ର ସରକାର ଡାଟା ଚୋରି କରିଛନ୍ତି। ମୋବାଇଲ ଫୋନ୍ ଜରିଆରେ ସରକାର ବ୍ୟକ୍ତିଗତ ତଥ୍ୟ ହାସଲ କରୁଛନ୍ତି। କିନ୍ତୁ ଏହାର କୌଣସି ପ୍ରମାଣ ଦାଖଲ କରି ନାହିଁ ସଂପୃକ୍ତ ଓ୍ୱେବସାଇଟ୍। ପରେ ଏହାକୁ ପ୍ରସଙ୍ଗ କରି ବିରୋଧୀ ସଂସଦରେ ହୋ ହାଲ୍ଲା କରୁଛନ୍ତି। ଏଥିସହ ଏହି ମାମଲାର ସତ୍ୟତା ଜାଣିବା ପାଇଁ ସୁପ୍ରିମକୋର୍ଟରେ ଦୁଇଟି ପିଆଇଏଲ୍ ଦାଖଲ ହୋଇଥିଲା। ଆସନ୍ତା ସପ୍ତାହରେ ଏହି ପ୍ରସଙ୍ଗରେ କୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି।
ଏହା ପୂର୍ବରୁ ବିବାଦ ବଢ଼ୁଥିବା ଦେଖି ପେଗାସସ ସଫ୍ଟଓ୍ୱୟାର କମ୍ପାନୀର ନିର୍ମାତା ଇସ୍ରାଏଲର ଏନଏସଓ ପ୍ରତିକ୍ରିୟା ରଖି ବ୍ୟକ୍ତିଗତ ତଥ୍ୟ ଚୋରି କରାଯାଉଥିବା ଅଭିଯୋଗକୁ ଖାରଜ କରିସାରିଛି। କମ୍ପାନୀ କହିଛି ଏହି ସଫ୍ଟଓ୍ୱୟାର କାହା ମୋବାଇଲର ଡାଟା ଚୋରି କରେ ନାହିଁ। ବରଂ ଏହି ସଫ୍ଟଓ୍ୱୟାର ଏକ ଏପରି ଟେକ୍ନୋଲଜିରେ ତିଆରି ହୋଇଛି ଯାହାକି ସାରା ବିଶ୍ୱକୁ ସୁରକ୍ଷିତ ରଖିପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
