ପୁଟିନଙ୍କ ପରମାଣୁ ଧମକ ପରେ ସାରା ବିଶ୍ୱରେ ହଇଚଇ

ମସ୍କୋ: ଦୀର୍ଘ ୭ ମାସ ହେଲା ୟୁକ୍ରେନରେ ରକ୍ତପାତ ଚଳାଇଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସବୁଠାରୁ ବଡ଼ ଧମକ ଦେଇଛନ୍ତି। ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ପୁଟିନ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ ଘୋଷଣା କରିଛନ୍ତି। ଏପରି କି ସେ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି […]

putin

putin

Hemant Lenka
  • Published: Wednesday, 21 September 2022
  • Updated: 21 September 2022, 04:47 PM IST

Sports

Latest News

ମସ୍କୋ: ଦୀର୍ଘ ୭ ମାସ ହେଲା ୟୁକ୍ରେନରେ ରକ୍ତପାତ ଚଳାଇଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ସବୁଠାରୁ ବଡ଼ ଧମକ ଦେଇଛନ୍ତି। ନିଜ ଦେଶର ଅଖଣ୍ଡତା ଓ ଲୋକଙ୍କ ସୁରକ୍ଷା ପାଇଁ ପୁଟିନ ସବୁ ପ୍ରକାରର ବିକଳ୍ପ ବ୍ୟବହାର କରିବାକୁ ଘୋଷଣା କରିଛନ୍ତି। ଏପରି କି ସେ ୟୁକ୍ରେନ ଓ ପଶ୍ଚିମ ଦେଶଗୁଡ଼ିକ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ମଧ୍ୟ ପଛାଇବେ ନାହିଁ ବୋଲି ଧମକ ଦେବା ପରେ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି ହୋଇଛି।

ଯୁଦ୍ଧର ୭ ମାସ ମଧ୍ୟରେ ପୁଟିନଙ୍କର ଏହା ସବୁଠାରୁ ବଡ଼ ଧମକ ବୋଲି କୁହାଯାଉଛି। ସେହିପରି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପୁଟିନ ପ୍ରଥମଥର ପାଇଁ ରୁଷରେ ବିପୁଳ ପରିମାଣର ସୈନ୍ୟ ସଞ୍ଚାଳନ ନିର୍ଦ୍ଦେଶ ଦେଇଛନ୍ତି। ବଡ଼ ହମଲା ପୂର୍ବରୁ ଏପରି ସୈନ୍ୟ ସଞ୍ଚାଳନ କରାଯାଇଥାଏ। ତେଣୁ ପୁଟିନ ବଡ଼ଧରଣର ହମଲା ପାଇଁ ପ୍ରସ୍ତୁତ ହେଉଥିବା ଆଶଙ୍କା କରାଯାଉଛି।

ଆଜି ଦେଶବାସୀଙ୍କୁ ଟିଭି ଜରିଆରେ ସମ୍ବୋଧନ କରି ପୁଟିନ କହିଛନ୍ତି, ଯଦି ଆମ ଦେଶର ଆଭ୍ୟନ୍ତରୀଣ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି ହେବ, ତା’ହେଲେ ଆମେ ନିଃସନ୍ଦେହରେ ସବୁ ପ୍ରକାରର ପଦକ୍ଷେପ ଓ ବିକଳ୍ପ ବ୍ୟବହାର କରିବାକୁ ପଛାଇବୁ ନାହିଁ। ଏହାକୁ କେହି ତୁଚ୍ଛା ଭାଷଣ କିମ୍ବା ହାଲୁକା ଭାବେ ବିବେଚନା କରନ୍ତୁ ନାହିଁ।

ରୁଷ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ଆମେ କିଛି ବି କରିପାରିବୁ। ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନ ଜରିଆରେ ରୁଷକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଆମକୁ ପରମାଣୁ ଅସ୍ତ୍ର ଦ୍ୱାରା ବ୍ଲାକମେଲ କରୁଛନ୍ତି। ଆମେରିକା, ବ୍ରିଟେନ ଓ ୟୁରୋପ ୟୁନିୟନ ପରୋକ୍ଷରେ ରୁଷରେ ମିଲିଟାରୀ ଅପରେସନ ପାଇଁ ୟୁକ୍ରେନକୁ ଉସକାଇବାରେ ଲାଗିଛନ୍ତି।

ଏହା ରୁଷ ବିରୋଧୀ ଚିନ୍ତାଧାରା। ପଶ୍ଚିମ ଦେଶ ସବୁ ସୀମା ଟପି ଗଲାଣି। ହଁ, ଯଦି କେହି ଆମକୁ ପରମାଣୁ ଅସ୍ତ୍ର ଦ୍ୱାରା ବ୍ଲାକମେଲ କରିବାକୁ ଚେଷ୍ଟା କରନ୍ତି, ତା’ହେଲେ ଆମେ ମଧ୍ୟ ଏହାର ପାଲଟା ଜବାବ ଦେବା ଜାଣିଛୁ ବୋଲି ପୁଟିନ କହିଛନ୍ତି।

ପୁଟିନ ପରମାଣୁ ଧମକ ଦେବା ପରେ ଆମେରିକାଠାରୁ ବ୍ରିଟେନ ଯାଏ ହଇଚଇ ସୃଷ୍ଟି ହୋଇଛି। ବ୍ରିଟେନ ପକ୍ଷରୁ ରୁଷକୁ ଧମକ ଦେବା ସହ ଲଣ୍ଡନ ସବୁବେଳେ ୟୁକ୍ରେନ ସହ ରହିଥିବା କହିଛି। ଆମେରିକା ମଧ୍ୟ ରୁଷକୁ ତେରଚ୍ଛା ବାଣ ମାରିଛି। ୟୁକ୍ରେନ ସହ ଯୁଦ୍ଧରେ ରୁଷ ପରାସ୍ତ ହେଉଥିବାରୁ ପୁଟିନ ନିଜର ହତାଶା ଭାବ ଦେଖାଇଥିବା ୱାଶିଂଟନ କହିଛି।

ପୁଟିନ ମିଲିଟାରୀ ମୋବିଲାଇଜେସନ କଥା କହିବାର କିଛି ସମୟ ପରେ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୁଷ ଅତିରିକ୍ତ ୩ ଲକ୍ଷ ସୁରକ୍ଷାକର୍ମୀଙ୍କୁ ଏହି ସ୍ୱତନ୍ତ୍ର ଅପରେସନରେ ସାମିଲ କରିବ। ସେମାନେ ମସ୍କୋର ୨୫ ଲକ୍ଷ ସୈନ୍ୟ ବାହାନୀର ଅଂଶବିଶେଷ। ଅତର୍କିତ ପରିସ୍ଥିତି ଓ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ଏପରି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos