Russia
ଲଣ୍ଡନ: ୟୁକ୍ରେନ ବିରୋଧରେ ବ୍ୟାପକ ଧ୍ୱଂସଲୀଳା କରିବାର କ୍ଷମତା ରଖିଥିବା ମାରାତ୍ମକ ଭାକ୍ୟୁମ ବୋମା ବ୍ୟବହାର କରିଛି ରୁଷ। ଏକଥା ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଟ୍ୱିଟ କରି ଅବଗତ କରାଇଛି। ଯୁଦ୍ଧ ସମୟରେ ରୁଷ TOS-1A ଅସ୍ତ୍ର ସିଷ୍ଟମ ବ୍ୟବହାର କରିଥିବା ନିଶ୍ଚିତ କରିଛି। ଏହି ସିଷ୍ଟମ ଦ୍ୱାରା ଥର୍ମୋବାରିକ ରକେଟ ବା ଭାକ୍ୟୁମ ବୋମାକୁ ମାଡ଼ କରାଯାଇଥାଏ। ଏହାଦ୍ୱାରା ବ୍ୟାପକ ଧ୍ୱଂସଲୀଳା ସୃଷ୍ଟି ହୋଇଥାଏ ବୋଲି ବ୍ରିଟେନ କହିଛି।
ଏଥିସହ ଟ୍ୱିଟ କରି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଭାକ୍ୟୁମ ବୋମାର ପ୍ରଭାବ କେମିତି ରୁହେ, ତା’ର ଗୋଟିଏ ଗ୍ରାଫିକ ଭିଡିଓ ମଧ୍ୟ ଜାରି କରିଛି।
ଏହାପୂର୍ବରୁ ୟୁକ୍ରେନ ସରକାର ମଧ୍ୟ ରୁଷ ଭାକ୍ୟୁମ ବୋମା ବ୍ୟବହାର କରିଥିବା ଦାବି କରିଥିଲେ। ଆମେରିକାରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଓକସାନା ମାରକାରୋଭା କହିଥିଲେ ଯେ ରୁଷ ଏବେ କ୍ଲଷ୍ଟର ବୋମା ଓ ଭାକ୍ୟୁମ ବୋମା ବ୍ୟବହାର କରି ୟୁକ୍ରେନରେ ଧ୍ୱଂସଲୀଳା ଚଳାଇଛି। ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ। ଏବେ ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପରେ ରୁଷ ଉପରେ ସନ୍ଦେହ ବଢ଼ିଛି।
ଭାକ୍ୟୁମ ବୋମା ଯେଉଁ ଅଞ୍ଚଳରେ ପଡ଼ିଥାଏ ସେଠାରୁ ବାୟୁମଣ୍ଡଳରେ ଥିବା ଅମ୍ଳଜାନକୁ ଶୋଷି ନେଇଥାଏ। ଫଳରେ ବିସ୍ଫୋରଣ ଅଞ୍ଚଳରେ ଅସହ୍ୟ ଗରମ ଅନୁଭୂତ ହୋଇଥାଏ। ଏହି ବୋମା ବିସ୍ଫୋରଣ ସାଧାରଣ ବୋମା ବିସ୍ଫୋରଣ ତୁଳନାରେ ଅତ୍ୟଧିକ ଶବ୍ଦ ସୃଷ୍ଟି କରିଥାଏ।
ଅମ୍ଳଜାନ ଶୋଷି ନେଉଥିବାରୁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼େ। ମଣିଷ ଓ ଜୀବଜନ୍ତୁମାନେ ଅମ୍ଳଜାନ ଅଭାବରୁ ଛଟପଟ ହୋଇ ମୃତ୍ୟୁ ମୁଖରେ ପଡ଼ନ୍ତି। ବୋମା ପଡ଼ିବାର ୩୦୦ ମିଟର ପରିଧି ମଧ୍ୟରେ ଆସୁଥିବା ସମସ୍ତ ବସ୍ତୁ ଏହାର ପ୍ରଭାବରେ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥାଏ।
ଉତ୍ତର-ପୂର୍ବ ୟୁକ୍ରେନ୍ରେ ଥିବା ଏକ ପ୍ରିସ୍କୁଲ ଉପରେ ରୁଷ ମାର୍ଚ୍ଚ ୧ରେ ଭାକ୍ୟୁମ ବୋମା ପକାଇଥିବା କୁହାଯାଉଛି। ହେଲେ ଏହାଦ୍ୱାରା କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେକଥା ଏଯାଏ ସ୍ପଷ୍ଟ ହୋଇନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/Russia-6.jpg)