/odisha-reporter/media/post_attachments/uploads/2022/06/US.jpg)
US
ୱାଶିଂଟନ: ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ଚାଲିଥିବା ବେଳେ ଶ୍ମଶାନ ଭିତରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଆକ୍ରମଣକାରୀ ଜଣକ ଫେରାର ହୋଇ ଯାଇଛି। ଆମେରିକାର ୱିସକୋନସି ଠାରେ ଶ୍ମଶାନରେ ଏପରି ଘଟଣା ଘଟିଛି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ଦିନ ୨.୩୦ରେ ଗ୍ରେସଲ୍ୟାଣ୍ଡ ଶ୍ମଶାନରେ ୩୭ ବର୍ଷୀୟ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ଏହି ସମୟରେ ଜଣେ ବନ୍ଧୁକଧାରୀ ଘଟଣାସ୍ଥଳରେ ପହଞ୍ଚି ଆଖିବୁଜା ଗୁଳିମାଡ଼ କରିଥିଲା। ପ୍ରାୟ ୨୦ରୁ ୩୦ ରାଉଣ୍ଡ ଗୁଳି ଚାଲିଥିଲା। ଏହାପରେ ବନ୍ଧୁକଧାରୀ ଜଣଙ୍କ ଫେରାର ହୋଇ ଯାଇଥିଲା।
ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୂରା ଅଞ୍ଚଳକୁ କର୍ଡନ କରିଛି। ଏଥିସହ ଆହତ ୫ ଜଣଙ୍କୁ ଆସେନସିଓନ ଅଲ ସେଣ୍ଟ ହସ୍ପିଟାଲରେ ଭର୍ତ୍ତି କରିଛି। ହସ୍ପିଟାଲରେ ଆକ୍ରମଣର ଆଶଙ୍କା ଥିବାରୁ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଶ୍ମଶାନ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହାବାଦ ଅଯଥାରେ କୌଣସି ସ୍ଥାନରେ ଭିଡ଼ ନ କରିବାକୁ ମଧ୍ୟ କୁହାଯାଇଛି।
ସୂଚନାଯୋଗ୍ୟ, ଏବେ ଆମେରିକାର ବିଭିନ୍ନ ସ୍କୁଲ, ସର୍ବସାଧାରଣ ସ୍ଥାନ ଓ ହସ୍ପିଟାଲରେ କ୍ରମାଗତ ଭାବେ ଗୁଳିମାଡ଼ ହେବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଶ୍ମଶାନରେ ଗୁଳିମାଡ଼ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
