/odisha-reporter/media/post_attachments/uploads/2022/03/corona-1.jpg)
corona
ସିଓଲ: କିଛି ଦିନର ନୀରବତା ପରେ ପୁଣିଥରେ କାୟା ମେଲାଇବା ଆରମ୍ଭ କରିଛି କରୋନା। ପୂର୍ବରୁ ଚାଇନାରେ ରେକର୍ଡ ଭାଙ୍ଗୁଥିବା କରୋନା ଭାଇରସ ଏବେ ଦକ୍ଷିଣ କୋରିଆର ସ୍ଥିତିକୁ ବେହାଲ କରିଛି। ବୁଧବାର ଦକ୍ଷିଣ କୋରିଆରେ ରେକର୍ଡ ୪,୦୦,୦୦୦ରୁ ଅଧିକ କରୋନା ସଂକ୍ରମଣ ଚିହ୍ନଟ ହୋଇଛନ୍ତି। ଏତେ ସଂଖ୍ୟକ ଆକ୍ରାନ୍ତ ହଠାତ୍ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ନୂଆ ରୂପରେ ଓ ନୂଆ ଲହର ନେଇ କରୋନା ପୁଣି ବିଶ୍ୱରେ ତା’ର ଉପସ୍ଥିତି ଜାହିର କରୁଥିବା ବିଶେଷଜ୍ଞମାନେ ମତ ଦେବା ଆରମ୍ଭ କଲେଣି।
ଦକ୍ଷିଣ କୋରିଆର ମିଡିଆ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଗତବର୍ଷ ଜାନୁଆରୀରେ ଦେଶରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ ଧୀରେଧୀରେ ସଂକ୍ରମଣ ବଢ଼ିଥିଲା ଓ ପରେ ତଳକୁ ଖସି ଥିଲା।
କିନ୍ତୁ ଚଳିତ ବର୍ଷ ମାର୍ଚ୍ଚ ୧୬ ଅର୍ଥାତ ବୁଧବାର ଦେଶରେ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ଦେଇଛି। ଦିନକରେ ୪,୦୦,୭୪୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଦକ୍ଷିଣ କୋରିଆରେ କେବେ ହେଲେ ଦିନକରେ ଏତେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଧିକାଂଶ ମାମଲା ସ୍ଥାନୀୟ ସଂକ୍ରମଣ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦକ୍ଷିଣ କୋରିଆରେ ମୋଟ ରୋଗୀଙ୍କ ସଂଖ୍ୟା ୭୬,୨୯,୨୭୫କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ କରୋନା ଭାଇରସ ୨୯୪ ଜଣଙ୍କ ଜୀବନ ମଧ୍ୟ ନେଇଥିବା ଏହି ରିପୋର୍ଟରେ କୁହାଯାଇଛି।
ଅନ୍ୟପକ୍ଷରେ ଚାଇନାରେ ମଧ୍ୟ କରୋନା ଭାଇରସ ବେକାବୁ ହେଉଛି। ସଂକ୍ରମଣ ରେକର୍ଡ ଭାଙ୍ଗୁଥିବାରୁ ଚାଇନା ସରକାର ପ୍ରାୟ ୯ କୋଟି ଲୋକଙ୍କୁ ଲକଡାଉନ କରିଛନ୍ତି। ଏହି ଲୋକମାନଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହା ସତ୍ତ୍ୱେ ୨୪ ଘଣ୍ଟାରେ ୩,୨୯୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।
ଚାଇନା ଓ କୋରିଆରେ ସଂକ୍ରମଣ ବ୍ୟାପୁଥିବାରୁ ବିଶ୍ୱର ଅନ୍ୟ ପ୍ରାନ୍ତରେ ମଧ୍ୟ ସଂକ୍ରମଣ ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
