Comedian
କାନ୍ଧାହର: ଆଫଗାନିସ୍ତାନର ଜଣେ ପ୍ରସିଦ୍ଧ କମେଡିଆନ ତଥା ପୁଲିସ୍ ଅଫିସରଙ୍କୁ ଅପହରଣ କରିବା ପରେ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛନ୍ତି ତାଲିବାନ ଆତଙ୍କବାଦୀ। ସବୁବେଳେ ଏହି ପୁଲିସ୍ ଅଧିକାରୀଙ୍କ ଜଣଙ୍କ ସୋଶାଲ ମିଡିଆରେ ମଜାଳିଆ ଭିଡିଓ ପୋଷ୍ଟ କରିନ୍ତି।
ତେବେ ତାଙ୍କୁ କିଛି ଦିନ ତଳେ ତାଲିବାନ ଆତଙ୍କବାଦୀମାନେ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଥିଲେ। ପ୍ରଥମେ ପୁଲିସ୍ ଅଧିକାରୀ ଫଜଲ ମହମ୍ମଦ ଓରଫ ଖାସା ଜାନ୍ଙ୍କ ହତ୍ୟା ପଛରେ ସଂଗଠନର ହାତ ନଥିବା ତାଲିବାନ କହିଥିଲା। ହେଲେ ଏବେ ଖାସା ଜାନଙ୍କୁ ସଂଗଠନର ସଦସ୍ୟମାନେ ହତ୍ୟା କରିଥିବା ତାଲିବାନ ସ୍ୱୀକାର କରିଛି। ଏଥିସହ ତାଙ୍କୁ ଅପହରଣ କରି ନେବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ଏହି ଭିଡିଓରେ ଦୁଇ ଜଣ ତାଲିବାନ ଆତଙ୍କୀଙ୍କ ମଝିରେ ଖାସା ଜାନ ବସିଛନ୍ତି। ତାଙ୍କ ଦୁଇ ହାତକୁ ବନ୍ଧା ଯାଇଥିବା ବେଳେ ଦୁଇ ଆତଙ୍କୀ ତାଙ୍କୁ କ୍ୟାମେରା ଆଡ଼କୁ ମୁହଁ କରିବା ସହ ଚାପୁଡ଼ା ମାରୁଛନ୍ତି। ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଛନ୍ତି, “ସେ ଜଣେ କମେଡିଆନ ନଥିଲେ। ସେ ଆମ ବିରୋଧରେ ଏକାଧିକ ଯୁଦ୍ଧରେ ଲଢ଼େଇ କରିଥିଲେ। ଆମେ ତାଙ୍କୁ ଅଟକ ରଖିବା ବେଳେ ଖସି ଚାଲି ଯିବାକୁ ଚେଷ୍ଟା କରିଥିଲେ। ଫଳରେ ଆମ ଗନମ୍ୟାନ ତାଙ୍କୁ ହତ୍ୟା କରିଥିଲେ। ସେ ଜଣେ ସକ୍ରିୟ ପୁଲିସ୍ ଅଧିକାରୀ ରହିଥିଲେ ଓ ଏକାଧିକ ଲୋକଙ୍କ ହତ୍ୟାରେ ସାମିଲ ଥିଲେ।”
ପୁଲିସ୍ କମାଣ୍ଡର ସୈଲାବ କହିଛନ୍ତି, ମହମ୍ମଦ( ଖାସା ଜାନ) କେବେ ହେଲେ ଯୁଦ୍ଧ ଅପରେସନରେ ସାମିଲ ହୋଇ ନଥିଲେ। ସେ ଚେକ ପଏଣ୍ଟରେ ଥିବା ଅଫିସରମାନଙ୍କର ସବୁବେଳେ ମନୋରଞ୍ଜନ କରୁଥିଲେ। ଆତଙ୍କବାଦୀମାନେ ମହମ୍ମଦଙ୍କ ମୃତ୍ୟୁରେ ସେମାନଙ୍କ କୌଣସି ଭୂମିକା ନାହିଁ ବୋଲି ଆରମ୍ଭରୁ କହୁଥିଲେ। ହେଲେ ଏବେ ଅପହରଣର ଭିଡିଓ ଭାଇରାଲ ହେବା ପରେ ହତ୍ୟାକାଣ୍ଡକୁ ସ୍ୱୀକାର କରିଛନ୍ତି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆମେରିକା ପକ୍ଷରୁ ଆଫଗାନିସ୍ତାନରେ ନିୟୋଜିତ ସୁରକ୍ଷାକର୍ମୀ ଏବେ ପ୍ରତ୍ୟାହୃତ ହୋଇଛନ୍ତି। ଏହି ସୁଯୋଗର ଫାଇଦା ନେଇ ତାଲିବାନ ସଂଗଠନ ଆଫଗାନିସ୍ତାନର ଏକାଧିକ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେବାରେ ଲାଗିଛି। ଇତି ମଧ୍ୟରେ ଦେଶର ପ୍ରାୟ ୮୫% ଅଞ୍ଚଳର ସଂଗଠନ କବଜାରେ ଥିବା କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/07/Comedian.jpg)