Advertisment

୯୦ ଦିନ ଭିତରେ ଆଫଗାନିସ୍ତାନର ରାଜଧାନୀକୁ ଦଖଲ କରିବ ତାଲିବାନ!

କାବୁଲ: ଆଫଗାନିସ୍ତାନରେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି ତାଲିବାନ ସଂଗଠନ। ଏହି ସଂଗଠନ ସୁରକ୍ଷାକର୍ମୀଙ୍କ ସହ ଲଢ଼େଇ କରି ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରୁଛି। ଏହିକ୍ରମରେ ଆସନ୍ତା ୩୦ ଦିନ ମଧ୍ୟରେ ସଂଗଠନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ନିଜର ଦବଦବା ଦେଖାଇବ। ଏହାପରେ ୯୦ ଦିନ ମଧ୍ୟରେ ପୂରା କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇଯିବ ବୋଲି ଆମେରିକା ଗୁଇନ୍ଦା ବିଭାଗର ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଥିବା କିଛି ତଥ୍ୟକୁ […]

୯୦ ଦିନ ଭିତରେ ଆଫଗାନିସ୍ତାନର ରାଜଧାନୀକୁ ଦଖଲ କରିବ ତାଲିବାନ!

attack

Advertisment

କାବୁଲ: ଆଫଗାନିସ୍ତାନରେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି ତାଲିବାନ ସଂଗଠନ। ଏହି ସଂଗଠନ ସୁରକ୍ଷାକର୍ମୀଙ୍କ ସହ ଲଢ଼େଇ କରି ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରୁଛି। ଏହିକ୍ରମରେ ଆସନ୍ତା ୩୦ ଦିନ ମଧ୍ୟରେ ସଂଗଠନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ନିଜର ଦବଦବା ଦେଖାଇବ। ଏହାପରେ ୯୦ ଦିନ ମଧ୍ୟରେ ପୂରା କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇଯିବ ବୋଲି ଆମେରିକା ଗୁଇନ୍ଦା ବିଭାଗର ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି। ଏହି ରିପୋର୍ଟରେ ଥିବା କିଛି ତଥ୍ୟକୁ ଆମେରିକା ପ୍ରତିରକ୍ଷା ବିଭାଗର ଜଣେ ଅଧିକାରୀ ରୟଟର୍ସକୁ ଅବଗତ କରାଇଛନ୍ତି।

Advertisment

ଅଧିକାରୀ ଜଣଙ୍କ ନିଜ ନାଁ ଗୋପନ ରଖି କହିଛନ୍ତି, ଆମେରିକା ନେତୃତ୍ୱାଧୀନ ସେନା ବାହିନୀ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଆତଙ୍କୀ ସଂଗଠନ ସକ୍ରିୟ ହୋଇ ଉଠିଛି। ସଂଗଠନ ବିଭିନ୍ନ ସ୍ଥାନରେ ଆକ୍ରମଣ କରି ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଦଖଲ କରିବାରେ ଲାଗିଛି।

ଏବେ ରାଜଧାନୀ କାବୁଲ କେତେ ଦିନ ଯାଏ ତାଲିବାନ କବଳରୁ ସୁରକ୍ଷିତ ରହୁଛି, ତା’ହା ସବୁଠାରୁ ବଡ଼ ପ୍ରଶ୍ନ। ଏହା ଉପରେ ଆମେରିକା ଗୁଇନ୍ଦା ବିଭାଗ ଗୋଟିଏ ରିପୋର୍ଟ ଦେଇଛି। ଏହି ରିପୋର୍ଟ ଅନୁଯାୟୀ, ତାଲିବାନ ଏବେ ଯେଉଁଭଳି ଉଗ୍ରରୂପ ଧାରଣ କରିଛି ସେଭଳି ସ୍ଥିତିରେ ସଂଗଠନ ୯୦ ଦିନ ମଧ୍ୟରେ ପୂରା କାବୁଲକୁ ନିଜ ଅକ୍ତିଆରକୁ ନେଇଯାଇ ପାରେ। କିନ୍ତୁ ଏହା ଯେ ଶେଷ ପରିଣାମ ବା ଏହା ନିଶ୍ଚିତ ଘଟିବ, ତା’ର ଗ୍ୟାରେଣ୍ଟି ନାହିଁ। ଆଫଗାନିସ୍ତାନ ସୁରକ୍ଷାକର୍ମୀମାନେ ଚାହିଁଲେ ନିଜର କ୍ଷମତା ବଳରେ ତାଲିବାନ ସଂଗଠନକୁ ଅଟକାଇ ପାରିବେ। ତେଣୁ ସୁରକ୍ଷାକର୍ମୀମାନେ କେମିତି ମୁକାବିଲା କରୁଛନ୍ତି, ତାହା ଦେଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Advertisment

ତାଲିବାନ ଏବେ ଆଫଗାନିସ୍ତାନର ୬୫%ରୁ ଅଧିକ ଅଞ୍ଚଳ ଦଖଲ କରି ସାରିଲାଣି। ସେହିପରି ୧୧ଟି ପ୍ରାଦେଶିକ ଅଞ୍ଚଳର ରାଜଧାନୀ ମଧ୍ୟ ତାଲିବାନ କବଜାରେ ରହିଛି। ବୁଧବାର ସଂଗଠନର ସଦସ୍ୟମାନେ ଫୈଜାବାଦକୁ ଦଖଲ କରିଛନ୍ତି। ଦିନକୁ ଦିନ ଆହୁରି ଅନେକ ଅଞ୍ଚଳ ସେମାନଙ୍କ ନିୟନ୍ତ୍ରଣକୁ ଯିବାର ଆଶଙ୍କା ରହିଛି। ଆଫଗାନସ୍ତାନ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କ ସହ ଲଢ଼େଇ କରୁଥିଲେ ହେଁ ଏଥିରେ ଏଯାଏ ସେତେଟା ସଫଳତା ପାଇ ନାହାନ୍ତି।

କାନ୍ଧାହାରରେ କାମ କରୁଥିବା ଜଣେ ଡାକ୍ତର କହିଛନ୍ତି, ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଶହଶହ ଶବ ମିଳିଛି। ସେହିପରି ଅନେକ ତାଲିବାନ ସଦସ୍ୟ ଆହତ ହୋଇ ହସ୍ପିଟାଲ ଆସିଛନ୍ତି। ବର୍ତ୍ତମାନ ଲଢ଼େଇ ପୂରା ତୀବ୍ର ସ୍ତରରେ ପହଞ୍ଚି ଗଲାଣି। କାନ୍ଧାହାର ସହରରେ ଘନଘନ ରକେଟ ମାଡ଼ ହେଉଥିବା ବେଳେ ଗୁଳି ବର୍ଷଣ ହେଉଛି।

ବିଭିନ୍ନ ଅଞ୍ଚଳରେ ହିଂସାକାଣ୍ତ ଘଟୁଥିବାରୁ ଲୋକମାନେ ଭୟରେ କାବୁଲ ଯିବାକୁ ଲାଗିଛନ୍ତି। କିନ୍ତୁ କାବୁଲ ଯଦି ତାଲିବାନ କବଳକୁ ଚାଲିଗଲା, ତା’ହେଲେ ସବୁ କିଛି ଓଲଟପାଲଟ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ଯୁଦ୍ଧ ସ୍ଥିତିକୁ ଦେଖି ଆଫଗାନିସ୍ତାନରେ ଥିବା ବିଦେଶୀ ନାଗରିକମାନଙ୍କୁ ସେମାନଙ୍କ ଦେଶ ପକ୍ଷରୁ ସ୍ଥାନାନ୍ତର କରାଯାଉଛି। ଭାରତୀୟଙ୍କୁ ମଧ୍ୟ ତୁରନ୍ତ ଆଫଗାନିସ୍ତାନ ଛାଡ଼ିବାକୁ ନୂଆଦିଲ୍ଲୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe