/odisha-reporter/media/post_attachments/uploads/2021/08/Taliban-13.jpg)
Taliban
କାବୁଲ: ବନ୍ଧୁକ ମୁନରେ ଆଫଗାନ ଦଖଲ କରିଥିବା ତାଲିବାନ ସଂଗଠନ ଏବେ ବିରୋଧରେ ସମ୍ମୁଖୀନ ହେବାରେ ଲାଗିଛି। ନର୍ଦନ ଆଲିୟାନ୍ସ ସହ ଅନେକ ସଂଗଠନ ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କରି ସେମାନଙ୍କୁ ଜବାବ ଦେବା ଆରମ୍ଭ କରିଛନ୍ତି। ପଞ୍ଜଶିରରୁ ସୃଷ୍ଟି ହୋଇଥିବା ବିରୋଧର ନିଆଁ ଏବେ ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି।
ତାଲିବାନକୁ ବିରୋଧ କରୁଥିବା ଲୋକମାନେ ଏକାଠି ହୋଇ ଆଜି ଅନ୍ଦାରବ ଠାରେ ଯୁଦ୍ଧ ଡାକରା ଦେଇଛନ୍ତି। ଏହାକୁ ନେଇ ଅନ୍ଦାରବର ବିଭିନ୍ନ ଅଞ୍ଚଳରେ ସେମାନଙ୍କର ଲଢ଼େଇ ତାଲିବାନୀଙ୍କ ସହ ହୋଇଛି। ଆଫଗାନିସ୍ତାନର ଫଜର ରିଜନରେ ତାଲିବାନୀଙ୍କ ବିରୋଧରେ ହୋଇଥିବା ଆମ୍ବୁସରେ ସଂଗଠନ ବ୍ୟାପକ କ୍ଷତି ସହିଛି।
ଏହି ଆମ୍ବୁସରେ ତାଲିବାନର ବାନୁ ଜିଲ୍ଲା ମୁଖ୍ୟ ସହ ସଂଗଠନର ୫୦ ଜଣ ସଦସ୍ୟ ନିହତ ହୋଇଛନ୍ତି। ସେହିପରି ତାଲିବାନ ବିରୋଧୀମାନେ ୨୦ ଜଣଙ୍କୁ ବନ୍ଦୀ ବନାଇ ଦେଇଛନ୍ତି। ଏହି ଲଢ଼େଇରେ ବିରୋଧୀ ଗୋଷ୍ଠୀର ଜଣେ ସଦସ୍ୟ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।
ଶେଷ ରିପୋର୍ଟ ଅନୁଯାୟୀ, ତାଲିବାନ ଯୋଦ୍ଧାମାନେ କେନ୍ଦ୍ରୀୟ ପଞ୍ଜଶିରକୁ ଘେରାବନ୍ଦୀ କରିଥିବା ବେଳେ ସମସ୍ୟାର ସମାଧାନ ଆଲୋଚନା ଦ୍ୱାରା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ପଞ୍ଜଶିରରେ ତାଲିବାନୀ ବିରୋଧୀ ମେଣ୍ଟର ନେତୃତ୍ୱ ନେଉଥିବା ଅହମଦ ମାସୁଦ ଆଲୋଚନା କରିବାକୁ ରାଜି ଥିବା କହିଥିଲେ ହେଁ ଦରକାର ପଡ଼ିଲେ ଲଢ଼େଇ କରିବାକୁ ପଛେଇବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ସ୍ଥାନୀୟ ମିଲିସିଆମାନେ ଗତ ସପ୍ତାହରେ ତାଲିବାନ ଠାରୁ ଉତ୍ତର ଆଫଗାନିସ୍ତାନର ୩ଟି ଜିଲ୍ଲା ଛଡ଼ାଇ ଆଣିଥିଲେ। ତେବେ ଆଜି ତାଲିବାନୀମାନେ ଘନଘନ ଆକ୍ରମଣ କରି ଉକ୍ତ ୩ ଜିଲ୍ଲାକୁ ପୁଣି କବଜା କରିନେଇଥିବା ଜଣାପଡ଼ିଛି। ଅଗଷ୍ଟ ୧୫ରେ ତାଲିବାନ କାବୁଲ ଦଖଲ କରିବା ପରେ ଗତ ସପ୍ତାହରୁ ବିରୋଧର ସମ୍ମୁଖୀନ ହେଉଛି।
ବଗଲାନ ପ୍ରଦେଶରେ ଥିବା ବାନୋ, ଦେ ସାଲେହ ଓ ପଲ-ଇ ହେସାର ଜିଲ୍ଲାରେ ସ୍ଥାନୀୟ ମିଲିସିଆମାନେ ତାଲିବାନ ଉପରେ ଆକ୍ରମଣ କରିଥିଲେ। ସେମାନେ ଅନେକ ତାଲିବାନୀଙ୍କୁ ହତ୍ୟା କରି ଉକ୍ତ ୩ ଜିଲ୍ଲାକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ତେବେ ସୋମବାର ସୁଦ୍ଧା ସମସ୍ତ ୩ ଜିଲ୍ଲାକୁ ତାଲିବାନ ନିଜ ନିୟନ୍ତ୍ରଣକୁ ନେଇଯାଇଛି।
ଏଥିସହ ପଞ୍ଜଶିର ଘାଟି ନିକଟ ବଦଖାଶନ, ଟକହର ଓ ଅନ୍ଦାରବରେ ମଧ୍ୟ ନିଜ ଉପସ୍ଥିତି ଜାହିର କରିଛି। ତେବେ କାବୁଲକୁ ଯେମିତି ତାଲିବାନ ବିନା ଯୁଦ୍ଧରେ ଦଖଲ କରିଥିଲା, ଏଠାରେ କିନ୍ତୁ ସେଭଳି ଘଟିନି। ସଂଗଠନକୁ ଏଠାରେ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଏବେ ବି ବିଭିନ୍ନ ସ୍ଥାନରେ ଘମାଘୋଟ ଲଢ଼େଇ ଜାରି ରହିଛି। ପଞ୍ଜଶିରବାସୀ ମଧ୍ୟ ମାସୁଦଙ୍କ ନେତୃତ୍ୱରେ ତାଲିବାନକୁ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
