ପୁଣି ଧମକ ଦେଲା ତାଲିବାନ, ପଞ୍ଜଶିରକୁ ନେଇ ବଦଳାଇଲା ଆଭିମୁଖ୍ୟ

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆଜି ପୁଣିଥରେ କାବୁଲରେ ଚାଲିଥିବା ଏୟାରଲିଫ୍ଟକୁ ନେଇ ଆମେରିକା ଓ ଅନ୍ୟ ଦେଶଗୁଡ଼ିକୁ ଧମକ ଦେଇଛି। ଏଥିସହ ପଞ୍ଜଶିରକୁ ବନ୍ଧୁକ ମୁନରେ ଦଖଲ କରିବ ପାଇଁ ତାଲିବାନ ଯେଉଁ ଦମ୍ଭ ଦେଖାଉଥିଲା, ସେଥିରେ ସାମାନ୍ୟ ପରିବର୍ତ୍ତନ କରିଛି। ଆମେରିକା ଦକ୍ଷ ଆଫଗାନୀ ନାଗରିକଙ୍କୁ ନିଜ ସହ ଏୟାରଲିଫ୍ଟ କରିବା ବନ୍ଦ କରୁ ବୋଲି ତାଲିବାନ ଆଜି ଚେତାବନୀ ଦେଇଛି। କାବୁଲରେ ଆୟୋଜିତ ତାଲିବାନର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଜୈବିହୁଲ୍ଲା […]

Taliban21

Hemant Lenka
  • Published: Tuesday, 24 August 2021
  • , Updated: 24 August 2021, 08:36 PM IST

କାବୁଲ: ଆଫଗାନିସ୍ତାନକୁ ଦଖଲ କରିଥିବା ତାଲିବାନ ଆଜି ପୁଣିଥରେ କାବୁଲରେ ଚାଲିଥିବା ଏୟାରଲିଫ୍ଟକୁ ନେଇ ଆମେରିକା ଓ ଅନ୍ୟ ଦେଶଗୁଡ଼ିକୁ ଧମକ ଦେଇଛି। ଏଥିସହ ପଞ୍ଜଶିରକୁ ବନ୍ଧୁକ ମୁନରେ ଦଖଲ କରିବ ପାଇଁ ତାଲିବାନ ଯେଉଁ ଦମ୍ଭ ଦେଖାଉଥିଲା, ସେଥିରେ ସାମାନ୍ୟ ପରିବର୍ତ୍ତନ କରିଛି। ଆମେରିକା ଦକ୍ଷ ଆଫଗାନୀ ନାଗରିକଙ୍କୁ ନିଜ ସହ ଏୟାରଲିଫ୍ଟ କରିବା ବନ୍ଦ କରୁ ବୋଲି ତାଲିବାନ ଆଜି ଚେତାବନୀ ଦେଇଛି।

କାବୁଲରେ ଆୟୋଜିତ ତାଲିବାନର ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଜୈବିହୁଲ୍ଲା ମୁଜାହିଦ କହିଛନ୍ତି, ଆମେରିକା ଏବେ ଆଫଗାନରୁ ଦକ୍ଷ ଇଞ୍ଜିନିୟର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ନିଜ ସହ ନେଇ ଯାଉଛି। ଏପରି କାମ ସେମାନେ ତୁରନ୍ତ ବନ୍ଦ କରନ୍ତୁ। ଆମେ ସେମାନଙ୍କୁ ବାରମ୍ବାର ଏପରି ନ କରିବାକୁ କହୁଛୁ।

ସଂପୂର୍ଣ୍ଣ ସେନା ପ୍ରତ୍ୟାହାର କରିବା ପାଇଁ ଆମେରିକା ଓ ଅନ୍ୟ ଦେଶଗୁଡ଼ିକୁ କୌଣସି ବି ପରିସ୍ଥିତିରେ ଅଧିକ ସମୟ ମିଳିବ ନାହିଁ। ଅଗଷ୍ଟ ୩୧ ହିଁ ସେନା ପ୍ରତ୍ୟାହାରର ଶେଷ ତାରିଖ। ସେମାନ ପାଖରେ ବିମାନ, ଏୟାରପୋର୍ଟ ରହିଛି। ସେମାନେ ନିଜ ଦେଶର ନାଗରିକ ଓ କଣ୍ଟ୍ରାକ୍ଟରମାନଙ୍କୁ ନେଇ ଯାଆନ୍ତୁ। ହେଲେ ଆମ ଦେଶର ଦକ୍ଷ ଲୋକଙ୍କୁ ନେବା ବନ୍ଦ କରନ୍ତୁ।

ଏଠାରୁ ଲୋକଙ୍କୁ ଏୟାରଲିଫ୍ଟ ପାଇଁ ବହୁତ ସମୟ ଦିଆଯାଇ ସାରିଲାଣି। କାବୁଲ ଏୟାରପୋର୍ଟରେ ଯେଉଁଭଳି ସ୍ଥିତି ସୃଷ୍ଟି ହେଉଛି, ସେଥିପାଇଁ ଆଫଗାନ ନାଗରିକଙ୍କୁ ଆଉ ସେଠାକୁ ଛଡ଼ାଯିବନି। ଏୟାରପୋର୍ଟରେ ଥିବା ଲୋକମାନେ ତୁରନ୍ତ ନିଜ ଘରକୁ ଫେରି ଆସନ୍ତୁ। ସେମାନଙ୍କ ସୁରକ୍ଷା ଦାୟିତ୍ୱ ଆମର।

ଆମେରିକା କେବେ ହେଲେ ବି ଡାକ୍ତର, ଇଞ୍ଜିନିୟର ଓ ଶିକ୍ଷକମାନଙ୍କୁ ନିଜ ସହ ନେବାକୁ ଚେଷ୍ଟା ନକରୁ। କାରଣ ସେମାନଙ୍କ ଦକ୍ଷତା ଆମେ ମଧ୍ୟ ଏଠାରେ ଚାହୁଁଛୁ। ବର୍ତ୍ତମାନ ଆଫଗାନରେ ଥିବା ଗଣମାଧ୍ୟମ, ହସ୍ପିଟାଲ, ସ୍କୁଲ, ବିଶ୍ୱବିଦ୍ୟାଳୟ ଓ ସରକାରୀ ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହୋଇଥିବା ଜୈବିହୁଲ୍ଲା ମୁଜାହିଦ ଦାବି କରିଛନ୍ତି।

ମହିଳାଙ୍କ ସମ୍ପର୍କରେ ସେ କହିଛନ୍ତି, ବର୍ତ୍ତମାନ ମହିଳାଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଅଫିସ ଯିବାକୁ ବାରଣ କରାଯାଉଛି। ତେବେ ସବୁଦିନ ପାଇଁ ଯେ ସେମାନଙ୍କୁ କାମ କରିବାରୁ ବାରଣ କରାଯିବ, ତାହା ଭାବିବା ଭୁଲ। ସେମାନଙ୍କୁ ଚାକିରିରୁ ବାହାର କରାଯାଉନି ଓ ସମସ୍ତଙ୍କୁ ଦରମା ମଧ୍ୟ ମିଳିବ। ତେଣୁ ସେମାନେ କିଛି ଦିନ ପାଇଁ ଘରେ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି, ତାଲିବାନୀମାନେ ଘର ଘର ବୁଲି ବିରୋଧୀଙ୍କୁ ଖୋଜୁଥିବା ଖବର ମିଛ। କାରଣ ସମସ୍ତଙ୍କ ପାଇଁ ସଂଗଠନ ସର୍ବକ୍ଷମା ଘୋଷଣା କରିସାରିଛି। ସେହିପରି ପଞ୍ଜଶିରରେ ସୃଷ୍ଟି ହୋଇଥିବା ବିବାଦ ଶାନ୍ତିପୂର୍ଣ୍ଣ ଆଲୋଚନା ଦ୍ୱାରା ସମାଧାନ କରିବାକୁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।

ଏହାପୂର୍ବରୁ ତାଲିବାନ ହଜାର ହଜାର ସଦସ୍ୟଙ୍କୁ ନେଇ ପଞ୍ଜଶିର ଦଖଲ କରିବାକୁ ବାହାରିଥିଲା। ଏପରି କି କେନ୍ଦ୍ରୀୟ ପଞ୍ଜଶିରକୁ ସଂଗଠନର ସଦସ୍ୟମାନେ ଘେରାଉ କରିଥିଲେ। ତେବେ ସେଠାରେ ନର୍ଦ୍ଦନ ଆଲିଆନ୍ସ ପକ୍ଷରୁ ତାଲିବାନକୁ କଡ଼ା ଜବାବ ଦେବାକୁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି। ଦୁଇ ଗୋଷ୍ଠୀ ମୁହାଁମୁହିଁ ହେଲେ ଘମାଘୋଟ ଯୁଦ୍ଧ ହେବ ବୋଲି ଆଶଙ୍କା କରାଯାଉଥିଲା। ହେଲେ ଏବେ ତାଲିବାନ ଶାନ୍ତି କଥା କହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Related story