Taliban
କାବୁଲ: ବନ୍ଧୁକ ମୁନରେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ଶାନ୍ତିର ବାର୍ତ୍ତା ଦେଉଥିଲେ ହେଁ ପଞ୍ଜଶିର ଦଖଲ କରିବା ପାଇଁ ଅପ୍ରାଣ ଉଦ୍ୟମ ଜାରି ରଖିଛି। ତାଲିବାନ ଆଫଗାନର ସବୁ ଅଞ୍ଚଳକୁ ଦଖଲ କରି ସାରିଛି। ହେଲେ ଏଯାଏ ପଞ୍ଜଶିରରେ ନିଜର ବିଜୟ ବାନା ଉଡ଼ାଇ ପାରିନାହିଁ।
ଆମେରିକା ସେନା ଆଫଗାନରୁ ଯିବା ପରେ ଏବେ ତାଲିବାନ ପଞ୍ଜଶିର ଦଖଲ କରିବାକୁ ହମଲା କରିଦେଇଛି। ସୋମବାର ରାତିରୁ ପଞ୍ଜଶିରର ବିଭିନ୍ନ ପ୍ରବେଶ ପଥରେ ତାଲିବାନ ହମଲା କରିଥିବା ବେଳେ ଏଠାରେ ମୁତୟନ ଥିବା ଉତ୍ତର ସାମ୍ମୁଖ୍ୟ ବା ନର୍ଦ୍ଦନ ଆଲିଆନ୍ସ ପକ୍ଷରୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି।
ମଙ୍ଗଳବାର ରାତିରେ ତାଲିବାନ ପକ୍ଷରୁ ପଞ୍ଜଶିର ଦଖଲ କରିବା ପାଇଁ ଖାଭାକଠାରେ ହମଲା କରାଯାଇଥିଲା। କିନ୍ତୁ ଏହାର ଜୋରଦାର ଜବାବ ଦେଇଛି ନିର୍ଦ୍ଦନ ଆଲିଆନ୍ସ। ନର୍ଦ୍ଦନ ଆଲିଆନ୍ସ ଯୋଦ୍ଧାଙ୍କ ଆକ୍ରମଣରେ ୩୫୦ ଜଣ ତାଲିବାନୀ ନିହତ ହୋଇଥିବା ବେଳେ ୪୦ ଜଣଙ୍କୁ ବନ୍ଦୀ ବନାଯାଇଛି।
ଏ ସମ୍ପର୍କରେ ନର୍ଦ୍ଦନ ଆଲିଆନ୍ସ ଟ୍ୱିଟ କରି ସୂଚନା ଦେଇଛି। ସାମ୍ମୁଖ୍ୟ କହିଛି ଯେ ମଙ୍ଗଳବାର ରାତିରୁ ଖାଭାକଠାରେ ଆରମ୍ଭ ହୋଇଥିବା ଲଢ଼େଇ ଏବେ ବି ଜାରି ରହିଛି। ଆଜି ବି ପଞ୍ଜଶିରର ବିଭିନ୍ନ ସ୍ଥାନରେ ତାଲିବାନୀଙ୍କୁ ନର୍ଦ୍ଦନ ଆଲିଆନ୍ସର ଯୋଦ୍ଧାମାନେ କଡ଼ା ଜବାବ ଦେଉଛନ୍ତି।
ଗତକାଲି ପଞ୍ଜଶିରର ଉତ୍ତର ପ୍ରବେଶ ପଥ ଓ ଗୋଲବାହାର ଠାରେ ମଧ୍ୟ ଲଢ଼େଇ ହୋଇଥିଲା। କିନ୍ତୁ ଖାଭାକରେ ହୋଇଥିବା ଲଢ଼େଇରେ ତାଲିବାନ ବ୍ୟାପକ କ୍ଷତି ସହିଛି। ଆଲିଆନ୍ସ ଯୋଦ୍ଧାଙ୍କ ଆକ୍ରମଣରେ ୩୫୦ ଜଣ ତାଲିବାନୀ ନିହତ ହୋଇଛନ୍ତି। ସେହିପରି ୪୦ ଜଣଙ୍କୁ କାବୁ କରି ବନ୍ଦୀ ବନାଯାଇଛି। ନର୍ଦ୍ଦନ ଆଲିଆନ୍ସ ଫୋର୍ସ ତାଲିବାନୀମାନେ ବ୍ୟବହାର କରୁଥିବା ଆମେରିକାର ଅତ୍ୟାଧୁନକ ଗାଡ଼ି, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦକୁ ନିଜ ନିୟନ୍ତ୍ରଣକୁ ନେଇଛି। ଖାଭାକର ଡିଫେନ୍ସ କମାଣ୍ଡର ମୁନବୀ ଆମୀରଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲିଆନ୍ସ ଏହି ଲଢ଼େଇ କରୁଛି।
ଏହାପୂର୍ବରୁ ମଙ୍ଗଳବାର ରାତିରେ ତାଲିବାନ ପଞ୍ଜଶିରରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ନର୍ଦ୍ଦନ ଆଲିଆନ୍ସ ଫୋର୍ସ ପକ୍ଷରୁ ଗୋଲବାହାର ଠାରେ ସେମାନଙ୍କୁ କଡ଼ା ଜବାବ ଦିଆଯାଇଥିଲା। ତାଲିବାନୀମାନେ ପଞ୍ଜଶିରକୁ ସଂଯୋଗ କରୁଥିବା ଗୋଲବାହାରର ଗୋଟିଏ ମୁଖ୍ୟ ରାସ୍ତାକୁ ଆକ୍ରମଣ ବେଳେ ବିସ୍ଫୋରଣ କରି ଉଡ଼ାଇ ମଧ୍ୟ ଦେଇଥିଲେ। ସେହିପରି ସୋମବାର ବିଳମ୍ବିତ ରାତିରେ ହୋଇଥିବା ଲଢ଼େଇରେ ୭ରୁ ୮ ଜଣ ତାଲିବାନୀ ନିହତ ହୋଇଥିବା ଖବର ମିଳିଥିଲା।
ପଞ୍ଜଶିରରେ ତାଲିବାନୀ ବିରୋଧୀ ନେତା ଅହମଦ ଶାହ ମାସୁଦଙ୍କ ପୁଅ ଅହମଦ ମାସୁଦଙ୍କ ନେତୃତ୍ୱରେ ନର୍ଦ୍ଦନ ଆଲିଆନ୍ସ ତାଲିବାନକୁ କଡ଼ା ଜବାବ ଦେବାକୁ ଅଣ୍ଟା ଭିଡ଼ିଛି। ଏଠାରେ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ରହିଛନ୍ତି।
ତାଙ୍କ ନିର୍ଦ୍ଦେଶକ୍ରମେ ତାଲିବାନ ନିକଟରେ ଏଯାଏ ଆତ୍ମସମର୍ପଣ କରି ନଥିବା ସେନା ଯବାନମାନେ ପଞ୍ଜଶିରରେ ଏକାଠି ହୋଇଛନ୍ତି। ଏମାନେ ତାଲିବାନ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/09/Taliban.jpg)