ଦେବେନ୍ଦ୍ର ପୃଷ୍ଟି
୨୦୦୧-୨୦୦୨୧। କିଛି କମ୍ ସମୟ ନୁହେଁ। ଏଇ ଦୁଇ ଦଶନ୍ଧି ମଧ୍ୟରେ ଆଫଗାନିସ୍ତାନରେ ଚାଲିଥିଲା ଆମେରିକାର ଆଧିପତ୍ୟ। ସେଠାରେ ଶାସନ କ୍ଷମତାରେ ଥିଲେ ଆମେରିକାର ଅନୁଗତ ଆଫଗାନି ନେତା। ଏଇ ସମୟ ମଧ୍ୟରେ ଆଫଗାନିସ୍ତାନରୁ ଅଲ୍ କାଏଦାର ସହଯୋଗୀ ତାଲିବାନୀ ଆତଙ୍କବାଦୀଙ୍କୁ ସଫା କରିବାକୁ ଆମେରିକା ସରକାର ବିଭିନ୍ନ ବାବଦରେ ଖର୍ଚ୍ଚ କରିଛନ୍ତି ପ୍ରାୟ ୩ ଲକ୍ଷ କୋଟି ଡଲାର ବା ଭାରତୀୟ ମୁଦ୍ରାରେ ୨୨୫ ଲକ୍ଷ କୋଟି ଟଙ୍କା। ଏହା ସତ୍ତ୍ୱେ ଆଫଗାନିସ୍ତାନର ସ୍ୱାଧୀନତାକାମୀ ଓ ଇସଲାମୀ ଅନୁଗତ ତାଲିବାନ ଗୋଷ୍ଠୀଙ୍କୁ ସାଧିବାରେ ବିଫଳ ହୋଇଛି ଆମେରିକା- କେବଳ ଆମେରିକା ତ ନୁହେଁ, ଆମେରିକା ପ୍ରଭାବିତ ସମୁଦାୟ ବିଶ୍ୱ ବ୍ୟବସ୍ଥା।
୨୦୦୧ ମସିହାରେ ଆଫଗାନିସ୍ତାନ ଆକ୍ରମଣ କରିଥିଲା ଆମେରିକା। ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଉପରେ ଅଲ୍ କାଏଦାର ଆତଙ୍କବାଦୀମାନେ କରିଥିବା ଭୟାନକ ଆକ୍ରମଣରେ ପ୍ରାୟ ୩ ହଜାର ଲୋକଙ୍କର ପ୍ରାଣହାନୀ ଘଟିଥିଲା ଓ ଏଥିରେ ଦୋହଲି ଯାଇଥିଲା ଆମେରିକା। ଆମେରିକା ଯେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଓ ସୁରକ୍ଷିତ ଦେଶ ଏହି ବିଶ୍ୱାସ ଏହି ଆକ୍ରମଣ ପରେ ଧୂଳିସାତ୍ ହୋଇଯାଇଥିଲା। ସେତେବେଳେ ଆଫଗାନିସ୍ତାନରେ ରହି ସମଗ୍ର ବିଶ୍ୱରେ ଅଲ୍ କାଏଦା ଆତଙ୍କବାଦୀ କାର୍ଯ୍ୟ ପରିଚାଳନା କରୁଥିଲା ଓସାମା ବିନ୍ ଲାଦେନ। ଲାଦେନ ଓ ତା’ର ସହଯୋଗୀମାନଙ୍କୁ ଆମେରିକାକୁ ହସ୍ତାନ୍ତର କରିବାକୁ ଏବଂ ଅଲ୍ କାଏଦା ସଂଗଠନକୁ ଦେଶର ବିତାଡ଼ିତ କରିବା ପାଇଁ ଆମେରିକା ଆଫଗାନିସ୍ତାନର ତାଲିବାନୀ ସରକାରକୁ ଅନୁରୋଧ କରିଥିଲା। କିନ୍ତୁ ତାଲିବାନୀ ସରକାର ଆମେରିକାର ଦାବିକୁ ଏକରକମ ପ୍ରତ୍ୟାଖ୍ୟାନ କରିଥିଲା। କାରଣ ତାଲିବାନ ଆନ୍ଦୋଳନ ପଛରେ ଥିଲା ଅଲ୍ କାଏଦାର ପ୍ରୋତ୍ସାହନ।
୨୦୦୧ ଅକ୍ଟୋବର ୭ ତାରିଖ ରାତିରେ ଆଫଗାନିସ୍ତାନ ଆକ୍ରମଣ କରିଥିଲା ଆମେରିକା। ଏଥିରେ ତା’ର ସହଯୋଗୀ ଥିଲା ଇଂଲଣ୍ଡ। ପରେ ଆଫଗାନିସ୍ତାନର ଉତ୍ତର ସାମ୍ମୁଖ୍ୟ ଓ ନାଟୋ ମଧ୍ୟ ଆମେରିକା ସମର୍ଥନରେ ଆଫଗାନିସ୍ତାନକୁ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପଠାଇଥିଲେ। ୨୦୦୧ ଡିସେମ୍ବର ୧୭ ତାରିଖ ସୁଦ୍ଧା ମାର୍କିନ ସେନା ତାଲିବାନ ଶାସନ ହଟେଇ ନୂଆ ସରକାର ଗଢ଼ିଥିଲା। ହମିଦ କାଜାଇ ହୋଇଥିଲେ ଆମେରିକା ଓ ବିଶ୍ୱ ସମର୍ଥିତ ଆଫଗାନ ରାଷ୍ଟ୍ରପତି। ଇତିମଧ୍ୟରେ ବିତି ଗଲାଣି ୨୦ ବର୍ଷ। ଏଇ ୨୦ ବର୍ଷ ଭିତରେ ଆଫଗାନିସ୍ତାନର ପୁନର୍ଗଠନ ଓ ଆଫଗାନ ସେନାର ତାଲିମ ଓ ସଶକ୍ତିକରଣ ବାବଦରେ ଆମେରିକା ଖର୍ଚ୍ଚ କରିଛି ପ୍ରାୟ ୩ ଲକ୍ଷ କୋଟି ଡଲାର। ଏହି ୨୦ ବର୍ଷ ଧରି ଆମେରିକା ସେନା ଓ ନାଟୋ ସେନା ଆଫଗାନିସ୍ତାନର ପାର୍ବତ୍ୟାଞ୍ଚଳରେ ଲୁଚି ରହି ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଥିବା ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଥିଲେ। ଏହି ଦୀର୍ଘ ଯୁଦ୍ଧରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକର ପ୍ରାୟ ୩ ହଜାର ସୈନିକ ନିହତ ହୋଇଥିବାବେଳେ ୨୦ ହଜାର ଉପରେ ଆହତ ହୋଇଛନ୍ତି। ଏଥିରେ ଆଫଗାନିସ୍ତାନର ୪୫ ହଜାର ନିରାପତ୍ତା ରକ୍ଷୀ ମଧ୍ୟ ପ୍ରାଣ ହରାଇଛନ୍ତି। ତାଲିବାନ ଓ ଆମେରିକା ଯୁକ୍ତ ଆଫଗାନ ସେନା ମଧ୍ୟରେ ଚାଲିଥିବା ଯୁଦ୍ଧରେ ୨୦୦୯ରୁ ୨୦୨୧ ମଧ୍ୟରେ ୧,୧୦,୦୦୦ ସାଧାରଣ ନାଗରିକଙ୍କର ମଧ୍ୟ ପ୍ରାଣହାନୀ ଘଟିଛି। ଏହା ସତ୍ତ୍ୱେ ତାଲିବାନ ମୂଳପୋଛ ହୋଇନାହିଁ। ବରଂ ଆମେରିକା ସେନା ପ୍ରତ୍ୟାହାର ଆରମ୍ଭ କରିବାର ମାତ୍ର କେଇ ସପ୍ତାହ ଭିତରେ ସଂପୂର୍ଣ୍ଣ ଆଫଗାନିସ୍ତାନକୁ କବ୍ଜା କରିଯାଇଛି ତାଲିବାନ।
ଆଫଗାନିସ୍ତାନରେ ପୁଣି ଥରେ ଆରମ୍ଭ ହୋଇଯାଇଛି ତାଲିବାନୀ ଶାସନ। ଆଫଗାନିସ୍ତାନର ଏଇ ଆତଙ୍କବାଦୀମାନେ ପ୍ରମାଣ କରିଦେଇଛନ୍ତି ଯେ ସେମାନଙ୍କ ଆଗରେ ଆମେରିକାର ସାମରିକ ଶକ୍ତି କିଛି ନୁହେଁ। ଏମାନଙ୍କର ପୂର୍ବସୂରୀ ମୁଜାହିଦ୍ଦିନମାନେ ମଧ୍ୟ ପ୍ରମାଣ କରିଦେଇଥିଲେ ଯେ ସେମାନଙ୍କ ଆଗରେ ସୋଭିଏଟ୍ ରୁଷ୍ର ଶକ୍ତି ବି କିଛି ନୁହେଁ। ତତ୍କାଳୀନ ସୋଭିଏଟ୍ ୟୁନିଅନ୍ ପରେ ରୁଷିଆ ମଧ୍ୟ ୧୯୭୯ରୁ ୧୯୮୯ ଯାଏଁ ଆଫଗାନିସ୍ତାନରେ ନିଜର ଆଧିପତ୍ୟ ବଜାୟ ରଖି ତାଲିବାନର ପୂର୍ବସୂରୀ ମୁଜାହିଦ୍ଦିନମାନଙ୍କୁ ଦମନ କରିବାକୁ ଚେଷ୍ଟା କରିଥିଲା। ମାତ୍ର ଆମେରିକା ପରି ସୋଭିଏଟ୍ ୟୁନିଅନ୍ ମଧ୍ୟ ଏହି ଆତଙ୍କବାଦୀଙ୍କୁ ନିର୍ମୂଳ କରିବାରେ ବିଫଳ ହୋଇଥିଲା।
୧୯୭୩ ମସିହାରେ ରାଜା ଜାହିର ଶାହାଙ୍କ ଗାଦିଚ୍ୟୁତ ପରଠାରୁ ଆଫଗାନିସ୍ତାନରେ ଆଭ୍ୟନ୍ତରୀଣ କନ୍ଦଳ, ଗୃହଯୁଦ୍ଧ ଏବଂ ରାଜନୀତିକ ଅସ୍ଥିରତା ଲାଗି ରହିଛି। ୧୯୭୩ ମସିହାରେ ଜାହିର ଶାହାଙ୍କୁ ଗାଦିଚ୍ୟୁତ କରିଥିଲେ ତାଙ୍କ ସଂପର୍କୀୟ ଭାଇ ମହମ୍ମଦ ଦାଉଦ ଖାଁ। ସେ ବହୁ ବର୍ଷ ଧରି ଜାହିର ଶାହାଙ୍କର ପ୍ରଧାନମନ୍ତ୍ରୀ ଥିଲେ। ଦାଉଦ ଖାଁ ଆଫଗାନିସ୍ତାନର ମୌଳବାଦୀ ଖାଲ୍କ ଓ ପର୍ଚମ ପାର୍ଟି ସହ ମିଶି ଶାସନ ଚଳାଇଥିଲେ। ଖାଲ୍କ ଓ ପର୍ଚମ୍ ପାର୍ଟି ମିଶି ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ଅଫ୍ ଆଫଗାନିସ୍ତାନ ଗଠନ କରିଥିଲେ। ଏହି ଦୁଇ ପାର୍ଟି ପ୍ରଗତିଶୀଳ ଚିନ୍ତାଧାରାର ବାହକ ଥିଲେ। ସେମାନେ କମ୍ୟୁନିଷ୍ଟ ଆଦର୍ଶରେ ଅନୁପ୍ରାଣୀତ ରହି ଆଫଗାନିସ୍ତାନରେ ଭୂସଂସ୍କାର ସହିତ ଅନେକ ସାମାଜିକ ସଂସ୍କାର ପ୍ରଚଳନ କରିଥିଲେ। କିନ୍ତୁ ୧୯୭୮ ମସିହାରେ ଦାଉଦ ଖାଁଙ୍କୁ ହତ୍ୟା କରି ଶାସନ କ୍ଷମତା ହାତକୁ ନେଇଥିଲେ ତାଙ୍କର ସହଯୋଗୀ ତଥା ପିଡିପିଏର ଅନ୍ୟତମ ନେତା ନୁର୍ ମହମ୍ମଦ ତରକ୍କି। ସେ ଜଣେ କମ୍ୟୁନିଷ୍ଟ ବିପ୍ଳବୀ ଥିଲେ। ମାତ୍ର ସେ ବି ଅଧିକ ଦିନ ଶାସନରେ ରହିପାରି ନଥିଲେ। ତାଙ୍କୁ ହତ୍ୟା କରି କ୍ଷମତା ଅକ୍ତିଆର କରିଥିଲେ ହଫିଜୁଲ୍ଲା ଅମିନ୍। କମ୍ୟୁନିଷ୍ଟ ସଂଗଠନ ମଧ୍ୟରେ ଏପରି ଗୋଷ୍ଠୀ କନ୍ଦଳ ଓ କ୍ଷମତା ଯୁଦ୍ଧ ଲାଗି ରହିବାରୁ ୧୯୭୯ ଡିସେମ୍ବର ୨୪ ତାରିଖ ରାତିରେ ସୋଭିଏଟ୍ ୟୁନିଅନ୍ ଆଫଗାନିସ୍ତାନ ଉପରେ ଆକ୍ରମଣ କରିବା ସହିତ ଅଧିକାର କରିଥିଲା। ସେତେବେଳେ ସୋଭିଏଟ୍ ୟୁନିଅନ୍ର ନେତା ଥିଲେ ବ୍ରେଜ୍ନେଭ। ସୋଭିଏଟ୍ ୟୁନିଅନ୍ ଆଫଗାନିସ୍ତାନରେ କମ୍ୟୁନିଷ୍ଟ ଆନ୍ଦୋଳନକୁ ସୁଦୃଢ଼ କରିବା ପାଇଁ ସେଠାରେ ବାବରାକ କର୍ମାଲଙ୍କୁ ରାଷ୍ଟ୍ରପତି କରାଇଥିଲା। କର୍ମାଲ୍ଙ୍କ ଜରିଆରେ ସୋଭିଏଟ୍ ୟୁନିଅନ ଯେଉଁ ସଂସ୍କାର ଆଣିବାକୁ ଉଦ୍ୟମ କଲା ତାହାକୁ ଆଫଗାନିସ୍ତାନର ପାର୍ବତ୍ୟ ଓ ଗ୍ରାମାଞ୍ଚଳରେ ପ୍ରଭାବଶାଳୀ ଥିବା ମୌଳବାଦୀ ଗୋଷ୍ଠୀ ସମର୍ଥନ କରୁ ନଥିଲେ। ସେମାନେ ସରକାରଙ୍କ ବିରୋଧରେ ସଶସ୍ତ୍ର ଗରିଲା ଯୁଦ୍ଧ ଚଳାଇବାରୁ ସୋଭିଏଟ୍ ସେନା ସେମାନଙ୍କୁ ନିପାତ କରିବା ପାଇଁ ସେମାନଙ୍କର ସମର୍ଥକମାନଙ୍କୁ ଗଣହତ୍ୟା କରିବାରେ ଲାଗିଲେ। ଏଥିରେ ଭୟଭୀତ ହୋଇ ୨୮ ଲକ୍ଷ ଆଫ୍ଗାନ ପାକିସ୍ତାନ ଏବଂ ୧୫ ଲକ୍ଷ ଆଫଗାନ ଇରାନ ପଳାଇଲେ।
ସାଉଦି ଆରବ, ଇରାନ୍ ଓ ପାକିସ୍ତାନ ସରକାର ଏହି ମୌଳବାଦୀମାନଙ୍କୁ ସଂଗଠିତ ଓ ସଶକ୍ତ ହେବାରେ ସହାୟତା କଲେ। ଆମେରିକା ମଧ୍ୟ ପାକିସ୍ତାନ ଜରିଆରେ ଏହି ଗୋଷ୍ଠୀକୁ ସବୁ ପ୍ରକାର ସହାୟତା ଯୋଗାଇଦେଲା। ଫଳରେ ଆଫଗାନିସ୍ତାନରେ ଗୃହଯୁଦ୍ଧ ଲାଗି ରହିଲା ଏବଂ ୧୯୮୯ ବେଳକୁ ସୋଭିଏଟ୍ ୟୁନିଅନ୍ ଆଫଗାନିସ୍ତାନ ଛାଡ଼ିବାକୁ ନିଷ୍ପତ୍ତି ନେଲା। ସେତେବେଳେ ସୋଭିଏଟ୍ ୟୁନିଅନ୍ର ନେତା ଥିଲେ ମିଖାଇଲ୍ ଗୋର୍ବାଚୋଭ୍। ସେ ଜଣେ ସଂସ୍କାରବାଦୀ ନେତା ଥିଲେ। ତାଙ୍କର ନୂତନ ସଂସ୍କାରବାଦୀ ଚିନ୍ତାଧାରା ଯୋଗୁଁ ସୋଭିଏଟ୍ ୟୁନିଅନ୍ ଦୁର୍ବଳ ହୋଇଥିଲା ଓ କ୍ରମେ କ୍ରମେ ଖଣ୍ଡବିଖଣ୍ଡିତ ହୋଇଗଲା।
ସୋଭିଏଟ୍ ୟୁନିଅନ ଆଫଗାନିସ୍ତାନ ଛାଡ଼ିବା ବେଳକୁ ମହମ୍ମଦ ନଜୀବୁଲ୍ଲା ଦେଶର ଶାସନ ଭାର ଗ୍ରହଣ କରିଥିଲେ। ସେ ମଧ୍ୟ ଜଣେ ପ୍ରଗତିଶୀଳ ନେତା ଥିଲେ ଓ ଆଫଗାନିସ୍ତାନକୁ ଆଧୁନିକ ବିଶ୍ୱ ସହିତ ଯୋଡ଼ିବାକୁ ଅନେକ ପ୍ରୟାସ କରିଥିଲେ। ମାତ୍ର, ପରେ ସେ ସୋଭିଏଟ୍ ୟୁନିଅନ୍ ଉପରୁ ଆସ୍ଥା ହରାଇ ଆଫଗାନିସ୍ତାନକୁ ଉଭୟ ଆମେରିକା ଓ ସୋଭିଏଟ୍ ପ୍ରଭାବରୁ ମୁକ୍ତ କରିବା ପାଇଁ ଉଦ୍ୟମ କରିଥିଲେ। ତେବେ ୧୯୯୬ ବେଳକୁ ଆମେରିକା, ପାକିସ୍ତାନ ଓ ସାଉଦି ଆରବର ସହାୟତାରେ ବଳିଷ୍ଠ ମୁଜାହିଦ୍ଦିନ ଗୋଷ୍ଠୀ ନଜୀବୁଲ୍ଲାଙ୍କ ଆଫଗାନ୍ ସେନାକୁ ବିଭିନ୍ନ ସ୍ଥାନରେ ପରାସ୍ତ କରିଥିଲେ। ସେମାନେ ରାଷ୍ଟ୍ରପତି ନଜୀବୁଲ୍ଲାଙ୍କୁ ହତ୍ୟା କରି ଶାସନ କ୍ଷମତା ଅକ୍ତିଆର କରିଥିଲେ। ଏହି ଗୋଷ୍ଠୀର ନେତା ଥିଲେ ବୁର୍ହାନୁଦ୍ଦିନ ରବ୍ବାନୀ ଓ ଗୁଲ୍ବୁଦ୍ଦିନ୍ ହିକ୍ମତ୍ୟାର। ସେମାନେ ହିଁ ତାଲିବାନ ଆନ୍ଦୋଳନର କର୍ଣ୍ଣଧାର। ୧୯୯୬ ମସିହାରେ ସେମାନେ ଆଫଗାନିସ୍ତାନକୁ ଇସ୍ଲାମିକ ଅମୀରାତ ଭାବେ ଘୋଷଣା କରିଥିଲେ। ତେବେ ସେମାନଙ୍କ ବିରୋଧରେ ମେଣ୍ଟ ବାନ୍ଧିଥିଲେ ପୂର୍ବ ସରକାରର ଅଂଶ ଥିବା ମାସୁଦ, ଦୋସ୍ତମ ଓ ଅନ୍ୟ କେତେକ ସ୍ୱାଧୀନଚେତା ଆଫଗାନ୍ ଯୁଦ୍ଧଖୋର ନେତା। ଉଭୟ ପକ୍ଷ ମଧ୍ୟରେ ମଝିରେ ମଝିରେ ବିଭିନ୍ନ ଅଞ୍ଚଳରେ ଯୁଦ୍ଧ ହେଉଥିଲା। ଏହିସବୁ ଯୁଦ୍ଧରେ ଶହଶହ ଲୋକ ନିହତ ହେଉଥିଲେ। ଏହି ସମୟରେ ସାଉଦି ଆରବ ସମର୍ଥିତ ଓସାମା ବିନ୍ ଲାଦେନର ଅଲ୍ କାଏଦା ସଂଗଠନ ମଧ୍ୟ ଆଫଗାନିସ୍ତାନରେ ନିଜର ତାଲିମ ଶିବିର ପ୍ରତିଷ୍ଠା କରିଥିଲା। ଓସାମା ସହ ମୁଲ୍ଲା ଓମାରର ପରିଚୟ ହେବା ପରେ ଉଭୟ ମିଶି ଆଫଗାନିସ୍ତାନରେ ଅଲ୍ କାଏଦା ସଂଗଠନକୁ ସୁଦୃଢ଼ କରିଥିଲେ। ୨୦୦୧ ମସିହାରେ ଲାଦେନର ତାଲିମପ୍ରାପ୍ତ ଆତଙ୍କବାଦୀମାନେ ଆମେରିକା ଉପରେ ଆକ୍ରମଣ କରି ୱାର୍ଲଡ୍ ଟ୍ରେଡ୍ ସେଣ୍ଟର ଧ୍ୱଂସ କରିଥିଲେ। ସେହି ସମୟରେ ବିନ୍ ଲାଦେନ ଆଫଗାନିସ୍ତାନର ଜଲାଲାବାଦରେ ଥିଲା।
ଏହା ଭିତରେ ବିନ୍ ଲାଦେନକୁ ନିପାତ କରିଛି ଆମେରିକା। କିନ୍ତୁ ଅଲ୍ କାଏଦା ଓ ତାଲିବାନ ଆନ୍ଦୋଳନକୁ ନିର୍ମୂଳ କରିପାରି ନାହିଁ। ଆଫଗାନିସ୍ତାନରେ ବିଫଳ ହୋଇ ଫେରିଯାଇଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ଆମେରିକା। ଆଉ ବିଫଳ ବି ହୋଇଛି ମିଳିତ ଜାତିସଂଘ। କାରଣ ଆଫଗାନିସ୍ତାନରେ ଆମେରିକାର ଆଧିପତ୍ୟ ପରେ ସେଠାରେ ମିଳିତ ଜାତିସଂଘ ମଧ୍ୟ ଆତଙ୍କବାଦ ଓ ଗୃହଯୁଦ୍ଧ ବିରୋଧରେ ଅଭିଯାନ ଆରମ୍ଭ କରିଥିଲା। ଏବେ ଆଫଗାନିସ୍ତାନ ପୁଣି ଥରେ ତାଲିବାନ କବ୍ଜାକୁ ଗଲା ପରେ ଏହି ଘଟଣାକୁ କେବଳ ନିନ୍ଦା କରିବା ଛଡ଼ା ଆଉ କିଛି କରିନାହିଁ ଜାତିସଂଘ। ବିଶ୍ୱର ସବୁ ବିତ୍ତଶାଳୀ ଓ ସାମରିକ ଶକ୍ତି ସଂପନ୍ନ ରାଷ୍ଟ୍ର ଚାହିଁ ରହିଥିବାବେଳେ ସାଉଦି ଆରବ, ପାକିସ୍ତାନ, ଇରାନର ସହଯୋଗରେ ଆଫଗାନିସ୍ତାନ ପୁଣି ଥରେ ଇସଲାମୀୟ ମୌଳବାଦୀ ଶାସନାଧୀନ ହୋଇଛି। ଆଞ୍ଚଳିକ ଭୌଗୋଳିକ ରାଜନୀତିକ କାରଣରୁ ଏବଂ ବିଶ୍ୱ ବ୍ୟବସ୍ଥାରେ ଆମେରିକାର ଆଧିପତ୍ୟ କ୍ଷୁଣ୍ଣ କରିବା ଲକ୍ଷ୍ୟ ରଖିଥିବା ରୁଷିଆ ଓ ଚୀନ ମଧ୍ୟ ଏବେ ମୌଳବାଦକୁ ସମର୍ଥନ କରୁଛନ୍ତି। ଯେଉଁ କମ୍ୟୁନିଷ୍ଟମାନେ ଧର୍ମକୁ ଅଫିମ କହି ବିଶ୍ୱରେ ପ୍ରଗତିଶୀଳ ଆନ୍ଦୋଳନର ଧ୍ୱଜାଧାରୀ ଥିଲେ ସେମାନେ ଏବେ ଆଫଗାନ ଇସଲାମୀୟ ମୌଳବାଦକୁ ସମର୍ଥନ କରିବା ସେମାନଙ୍କ ପାଇଁ ନିଶ୍ଚୟ ଏକ ଅଧୋଗତି। ଆଫଗାନିସ୍ତାନରେ ଉଭୟ ପୁଞ୍ଜିବାଦୀ ଆମେରିକା ଓ ସାମ୍ୟବାଦୀ ରୁଷିଆର ବିଫଳତା ସହିତ ଧର୍ମାନ୍ଧ ରାଜନୀତିର ପୁନରୁତ୍ଥାନ ଦକ୍ଷିଣ ଓ କେନ୍ଦ୍ର ଏସିଆ ସମେତ ବିଶ୍ୱ ରାଜନୀତିରେ କି ପରିବର୍ତ୍ତନ ଆଣିବ ତାହା ଆଗକୁ ସ୍ପଷ୍ଟ ହେବ।