EU
କିଭ୍: ରୁଷର ଘନଘନ ହମଲାରେ ଛିନଛତ୍ର ହେବାକୁ ବସିଥିବା ୟୁକ୍ରେନ ଲଢ଼େଇ ଜାରି ରଖିଛି। ନାଟୋ ଓ ୟୁରୋପୀୟ ୟୁନିୟନରେ ୟୁକ୍ରେନ ସାମିଲ ହେବାକୁ ଚାହୁଁଥିବାରୁ ଏହାକୁ ବିରୋଧ କରି ରୁଷ କିଭ୍ ଉପରେ ହମଲା କରିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ୬ ଦିନରେ ପହଞ୍ଚିଥିଲେ ମଧ୍ୟ କେହି ବି ପଛକୁ ଘୁଞ୍ଚିବାକୁ ନାରାଜ।
ରୁଷ ଅପେକ୍ଷା ୟୁକ୍ରେନ ଯୁଦ୍ଧ ବିଭୀଷିକର ଭୟଙ୍କର ରୂପକୁ ଅଧିକ ସାମ୍ନା କରିଛି। କିନ୍ତୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି। ରୁଷର ବିରୋଧ ସତ୍ତ୍ୱେ ଜେଲେନସ୍କି ୟୁରୋପୀୟ ୟୁନିୟନର ସଦସ୍ୟତା ପାଇଁ ଆବେଦନ କରିଛନ୍ତି।
ଏଥିସହ ସେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ୟୁରୋପୀୟ ୟୁନିୟନ ଆଗରେ ନିଜର ବ୍ୟଥା ଉପସ୍ଥାପନ କରିଛନ୍ତି। ରୁଷ ଓ ୟୁକ୍ରେନ ଯୁଦ୍ଧ ଉପରେ ଆଲୋଚନା କରିବା ପାଇଁ ଆଜି ୟୁରୋପ ୟୁନିୟନର ବୈଠକ ବସିଛି। ଏହାକୁ ସମ୍ବୋଧନ କରିବା ବେଳେ ଜେଲେନସ୍କି ବେଶ ଭାବବିହ୍ୱଳ ହୋଇ ଯାଇଥିଲେ।
ସେ ସମ୍ବୋଧନ ଆରମ୍ଭ କରିବା ପୂର୍ବରୁ ୟୁରୋପୀୟ ୟୁନିୟନର ସଦସ୍ୟମାନେ ଛିଡ଼ା ହୋଇ ତାଳି ମାରିଥିଲେ। ଏହା ଦେଖି ୟୁରୋପ ୟୁନିୟନ ତାଙ୍କ ସହ ରହିଥିବାରୁ ଜେଲେନସ୍କି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଛନ୍ତି, “ଯୁଦ୍ଧ ସମୟରେ ୟୁରୋପ ୟୁନିୟନର ସହଯୋଗକୁ ଦେଖି ଖୁସି ଲାଗୁଛି।
ଏଠାକୁ ଆସିବା ପାଇଁ ଏତେ କିଛି ବଳିଦାନ ଦେବାକୁ ପଡ଼ିବ ବୋଲି ଜାଣି ନଥିଲି। ରୁଷ ଏବେ ଆମ ଲୋକମାନେ ରହୁଥିବା ଅଞ୍ଚଳଗୁଡ଼ିକ ଉପରେ ମିସାଇଲ ମାଡ଼ କରୁଛି। ମିସାଇଲ ମାଡ଼ରେ ଆମେ ୧୦୦୦ରୁ ଅଧିକ ଲୋକଙ୍କୁ ହରାଇ ସାରିଲୁଣି। ଅନେକ ଧନ ସମ୍ପତ୍ତି ମାଟିରେ ମିଶି ଯାଇଛି।
ପୂରା ଚାରିଆଡ଼େ କେବଳ ଯୁଦ୍ଧର ଭୟଙ୍କର ଦୃଶ୍ୟ। ତଥାପି ଆମ ସୈନ୍ୟମାନେ ମିଇଦାନରେ ମହଜୁଦ ଅଛନ୍ତି। ୟୁକ୍ରେନ ପକ୍ଷରୁ ରୁଷକୁ ମୁହଁତୋଡ଼ ଜବାବ ଦିଆଯାଉଛି। ୟୁକ୍ରେନ ସ୍ୱାଧୀନତା ପାଇଁ ଲଢ଼େଇ କରୁଛି। ପରିସ୍ଥିତି ଯାହା ବି ଆସିଲେ ଆମେ କେବେ ବି ରୁଷ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ।
ଆମେ ଆମ ମାଟିର ସୁରକ୍ଷା ଓ ସ୍ୱାଧୀନତା ପାଇଁ ଲଢ଼ୁଛୁ। ଆମର ସବୁ ସହରକୁ ଘେରାବନ୍ଦୀ କରାଯାଇଛି ସତ, ହେଲେ ଆମେ ହାରିନୁ। ଆମକୁ କେହି ବି ଭାଙ୍ଗି ପାରିବେ ନାହିଁ। ଆମେ ମଜବୁତ। ଆମେ ୟୁକ୍ରେନିୟାନ।”
ତାଙ୍କ ସମ୍ବୋଧନକୁ ସବୁ ସଦସ୍ୟ ବେଶ ଧ୍ୟାନର ସହ ଶୁଣିଥିଲେ। ସେହିପରି ଭାଷଣ ଶେଷରେ ସମସ୍ତେ ଛିଡ଼ା ହୋଇ ତାଳି ମାରିଥିଲେ। ଏହାପରେ ୟୁକ୍ରେନ ସଂସଦର ବାଚସ୍ପତି ମଧ୍ୟ ନିଜର ପକ୍ଷ ରଖି ଯୁଦ୍ଧର କରୁଣ କାହାଣୀ ବିଷୟରେ ୟୁରୋପୀୟ ୟୁନିୟନକୁ ଅବଗତ କରାଇଥିଲେ। ସେ ଭାଷଣ ଦେବା ବେଳେ ତାଙ୍କ ପଛ ପଟ ସ୍କ୍ରିନରେ ରୁଷ ହମଲାରେ କେମିତି ୟୁକ୍ରେନ ଛିନଛତ୍ର ହୋଇଯାଇଛି, ତା’ର ଦୃଶ୍ୟ ଦେଖିବାକୁ ମିଳିଛି।
ଏହାପୂର୍ବରୁ ଜେଲେନସ୍କି କିଭ୍ ଓ ଖାର୍କିଭରେ ରୁଷ କରୁଥିବା ବୋମା ବର୍ଷଣକୁ ୱାର କ୍ରାଇମ ବୋଲି କହି ତୀବ୍ର ସମାଲୋଚନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/03/EU.jpg)