/odisha-reporter/media/post_attachments/uploads/2022/03/first-lady.jpg)
first-lady
କିଭ୍: ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୧୪ତମ ଦିନରେ ପହଞ୍ଚିଛି। ଏହି ୧୪ ଦିନ ଭିତରେ ସାରା ବିଶ୍ୱରେ ଯୁଦ୍ଧର ପଦଧ୍ୱନୀ ସମସ୍ତଙ୍କୁ ବିଚଳିତ ଏବଂ ଆତଙ୍କିତ କରିଛି। ରୁଷ ଭଳି ଗୋଟିଏ ଶକ୍ତିଶାଳୀ ରାଷ୍ଟ୍ରକୁ କଡ଼ା ଜବାବ ଦେବାରେ ୟୁକ୍ରେନ କିଛି ମାତ୍ରାରେ ଏଯାଏ ସଫଳତା ପାଇଥିବାରୁ ସାରା ବିଶ୍ୱରେ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସାହାସକୁ ପ୍ରଶଂସା କରାଯାଉଛି।
ହେଲେ ୟୁକ୍ରେନ ଭଳି ଛୋଟିଆ ଦେଶ ସପକ୍ଷରେ ଆମେରିକା ଓ ପଶ୍ଚିମ ଦେଶ ଖୋଲାଖୋଲି ଭାବେ ଲଢ଼େଇ ନ କରିବା ଜେଲେନସ୍କିଙ୍କୁ ବ୍ୟଥିତ କରିଛି। ଏସବୁ ଭିତରେ ପ୍ରଥମଥର ପାଇଁ ବିଶ୍ୱ ଉଦ୍ଦେଶ୍ୟରେ ଅଭିମାନ ଭରା ଚିଠି ଲେଖିଛନ୍ତି ୟୁକ୍ରେନର ପ୍ରଥମ ମହିଳା ତଥା ରାଷ୍ଟ୍ରପତି ଜେଲନସ୍କିଙ୍କ ପତ୍ନୀ ଓଲେନା ଜେଲେନସ୍କା।
ରୁଷକୁ ଏଯାଏ ୟୁକ୍ରେନ ଅଟକାଇବାରେ ସଫଳ ହୋଇଛି। ଏହି ଫୋର୍ସ ଅର୍ଥାତ ରୁଷ ଆଗାମୀ ଦିନରେ ଆପଣମାନଙ୍କ (ବିଭିନ୍ନ ଦେଶ) ସହରରେ ପ୍ରବେଶ କରିପାରେ ବୋଲି ଓଲେନା ଚିଠିରେ ସମସ୍ତଙ୍କୁ ସତର୍କ କରାଇଛନ୍ତି।
ସେ ଲେଖିଛନ୍ତି, ଫେବୃଆରୀ ୨୪ରେ ଆମେ ସମସ୍ତେ ରୁଷର ଆକ୍ରମଣ ଘୋଷଣା ଖବର ସହ ନିଦରୁ ଉଠିଥିଲେ। ଟ୍ୟାଙ୍କ ୟୁକ୍ରେନ ସୀମା ଅତିକ୍ରମ କରିଥିବା ବେଳେ ଆମ ବାୟୁସୀମାରେ ରୁଷର ବିମାନ ପ୍ରବେଶ କରିଥିଲା। ମିସାଇଲ ଲଞ୍ଚର ଆମ ସହରଗୁଡ଼ିକୁ ଘେରାଉ କରିଥିଲେ।
କ୍ରେମଲିନ ସମର୍ଥିତ ଆଉଲେଟ ଏହାକୁ ସ୍ପେଶାଲ ମିଲିଟାରୀ ଅପରେସନ ନାଁରେ ପ୍ରଚାର କରିଥିଲେ। କିନ୍ତୁ ବାସ୍ତବରେ ଏହା ନିରୀହ ୟୁକ୍ରେନ ଲୋକଙ୍କ ନରସଂହାର ପାଇଁ ଗୋଟିଏ ବ୍ୟବସ୍ଥା ଥିଲା। ଛୋଟ ଛୋଟ ପିଲା ମୃତାହତ ହେବା ଏହି ଆକ୍ରମଣର ସବୁଠାରୁ ଭୟଙ୍କର ଓ ଦୁଃଖଦ ଅଧ୍ୟାୟ।
ୟୁକ୍ରେନ ସବୁବେଳେ ଶାନ୍ତି ଚାହେଁ। କିନ୍ତୁ ୟୁକ୍ରେନ ଯେମିତି ହେଲେ ନିଜ ସୀମାର ସୁରକ୍ଷା କରିବ। ଏଥିରେ କେବେ ହେଲେ ୟୁକ୍ରେନ ପଛଘୁଞ୍ଚା ଦେଇନି କି ଦେବନି। ସବୁ ସହରରେ ଶେଲିଂ ଚାଲିଛି। ଅନେକ ସହରର ଧ୍ୱଂସାବଶେଷ ତଳେ ଲୋକମାନେ ଫସି ରହିଛନ୍ତି। ସେମାନେ ଦୀର୍ଘ ଦିନ ହେଲା ବେସମେଣ୍ଟରେ ନିଜ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି।
ମାନବୀୟ ସହାୟତା ଓ ସାଧାରଣ ଲୋକଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଆମେ ସୁରକ୍ଷିତ କରିଡର ଚାହୁଁଛୁ। କ୍ଷମତାରେ ଥିବା ଲୋକମାନଙ୍କୁ ଆମେ ଆମର ଆକାଶ ପଥ ବନ୍ଦ କରିବାକୁ ଅନୁରୋଧ କରୁଛୁ। ଦୟା କରି ଆମ ଆକାଶ ପଥ କେବଳ ବନ୍ଦ କରିଦିଅନ୍ତୁ। ଏହାପରେ ଆମେ ଆମର ଲଢ଼େଇ ସ୍ଥଳ ଭାଗରେ ଲଢ଼ିବୁ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ମିଡିଆ ବନ୍ଧୁମାନେ ଏଠାରେ ପ୍ରକୃତରେ କ’ଣ ଘଟୁଛି, ତା’ର ପ୍ରସାରଣ କରନ୍ତୁ।
ପ୍ରକୃତ ସତ୍ୟ ବିଶ୍ୱ ପାଖରେ ପହଞ୍ଚାନ୍ତୁ। ରୁଷ ଆକ୍ରମଣର ପ୍ରମାଣ ସାମ୍ନାକୁ ଆସିବା ଉଚିତ। ଆସନ୍ତାକାଲି ଆପଣମାନଙ୍କ ସହରରେ ପ୍ରବେଶ କରିବାର ଆଶଙ୍କା ଥିବା ଫୋର୍ସକୁ ୟୁକ୍ରେନ ଆଜି ଅଟକାଇଛି। ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ୟୁକ୍ରେନ ଲଢ଼ୁଛି। ପରମାଣୁ ଯୁଦ୍ଧର ଧମକ ଦେଉଥିବା ପୁଟିନ(ରୁଷ ରାଷ୍ଟ୍ରପତି)ଙ୍କୁ ଯଦି ଆପଣମାନେ ନ ଅଟକାଇବେ, ତା’ହେଲେ ବିଶ୍ୱରେ କୌଣସି ସ୍ଥାନ ଆଉ ଆମ କାହା ବି ସୁରକ୍ଷିତ ହୋଇ ରହିବ ନାହିଁ ବୋଲି ଓଲେନା ଚିଠିରେ ଲେଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
