/odisha-reporter/media/post_attachments/uploads/2022/02/air.jpg)
air
କିଭ୍: ରୁଷ ଓ ୟୁକ୍ରେନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ସ୍ଥିତି ଏବେ ଚରମସୀମାରେ ପହଞ୍ଚି ଯାଇଛି। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବାରେ ଲାଗିଛନ୍ତି। ବିଶେଷ କରି ଖାର୍କିଭ ଓ କିଭ୍ରେ ଘମାଘୋଟ ଲଢ଼େଇ ଚାଲିଛି। ୟୁକ୍ରେନ ଉପରେ ରୁଷ କ୍ରମାଗତ ଭାବେ ବୋମା ଓ ରକେଟ ମାଡ଼ କରୁଥିବାର ଭିଡିଓ ସାମ୍ନାକୁ ଆସୁଥିବା ବେଳେ ୟୁକ୍ରେନ କିନ୍ତୁ କ୍ଷୟକ୍ଷତି ସମ୍ପର୍କରେ ଅଲଗା ତଥ୍ୟ ଦେଇଛି।
ଯୁଦ୍ଧର ପ୍ରଥମ ଦୁଇ ଦିନରେ ରୁଷ ୧୦୦୦ରୁ ଅଧିକ ସୈନ୍ୟଙ୍କୁ ହରାଇଥିବା ୟୁକ୍ରେନ ଆର୍ମି ଦାବି କରିଛି। ସେହିପରି କିଭ୍ର ଆକ୍ରମଣରେ ରୁଷର ଅନେକ ଯୁଦ୍ଧ ବିମାନ, ହେଲିକପ୍ଟର ଓ ଟ୍ୟାଙ୍କ ଧ୍ୱଂସ ପାଇଯାଇଛି। ରୁଷ ସେନା ଆଜି କିଭ୍ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ୫ଟି ଏୟାରଫିଲ୍ଡ ଉପରେ ହମଲା କରିଥିଲା।
ଏହାର ଜବାବରେ ୟୁକ୍ରେନ ଆକ୍ରମଣରେ ସାମିଲ ଥିବା ୫ଟି ଯୁଦ୍ଧ ବିମାନ ଓ ଗୋଟିଏ ହେଲିକପ୍ଟରକୁ ଖସାଇ ଦେଇଥିବା କହିଛି। ଏହାକୁ ମିଶାଇ ୟୁକ୍ରେନ ହମଲାରେ ରୁଷର ୧୨ଟି ଯୁଦ୍ଧ ବିମାନ ଧ୍ୱଂସ ହୋଇସାରିଲାଣି। ଏହାବାଦ ୟୁକ୍ରେନ ହମଲାରେ ରୁଷର ଏଯାଏ ୮୦ଟି ଟ୍ୟାଙ୍କ, ୫୧୬ ଯୁଦ୍ଧ ଗାଡ଼ି, ୭ଟି ହେଲିକପ୍ଟର ଓ ୨୦ଟି କ୍ରୁଜ ମିସାଇଲକୁ ଅକାମୀ କରି ଦାଇଛି।
ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଯୁଦ୍ଧରେ ଏଯାଏ କିଭ୍ ୧୩୭ ଜଣଙ୍କୁ ହରାଇଛି। ଏମାନଙ୍କ ମଧ୍ୟରେ ୧୦ ଜଣ ସୈନ୍ୟ ଅଧିକାରୀ ରହିଛନ୍ତି।
ଅନ୍ୟପକ୍ଷରେ ରୁଷ ମଧ୍ୟ ୟୁକ୍ରେନର କ୍ଷୟକ୍ଷତିର ହିସାବ ଦେଇଛି। ଏଯାଏ ରୁଷ ସେନା ୟୁକ୍ରେନର ୨୧୧ଟି ମିଲିଟାରୀ କେନ୍ଦ୍ରକୁ ନଷ୍ଟ କରିବାକୁ ସକ୍ଷମ ହୋଇଛି। ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ, ୩୦ରୁ ଅଧିକ ଟ୍ୟାଙ୍କ ଓ ହେଲିକପ୍ଟରକୁ ରୁଷ ବୋମା ମାଡ଼ରେ ଉଡ଼ାଇ ଦେଇଛି।
ସେହିପରି ପଶ୍ଚିମ ଦେଶଗୁଡ଼ିକ ଠାରୁ ୟୁକ୍ରେନ ପାଇଥିବା ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ମଧ୍ୟ ରୁଷ ସେନା ଜବତ କରିନେଇଥିବା ମସ୍କୋ ଦାବି କରିଛି।
ୟୁକ୍ରେନର ଲୁଭିଭ, ଲୁଟାସ୍କ, ଉମାନ, ଭିନ୍ନିୟଟିସିଆ ଓ ରିଭେନ ଉପରେ ଏୟାରଷ୍ଟ୍ରାଇକର ଆଶଙ୍କା ପ୍ରକାଶ ପାଇଛି। ଏଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବ ସହ ଶେଲ୍ଟର ମଧ୍ୟରେ ରହିବାକୁ କୁହାଯାଇଛି। ସେହିପରି କିଭ୍ରେ ମଧ୍ୟ ବିପଦ ସଙ୍କେତର ସାଇରନ ନିୟମିତ ବାଜୁଛି। ସାଇରନ ବାଜିବାର ଅର୍ଥ ଲୋକମାନେ ବୋମା ବିସ୍ଫୋରଣରୁ ସୁରକ୍ଷା ପାଇଁ ବଙ୍କର କିମ୍ବା ଯେକୌଣସି ସୁରକ୍ଷିତ ସ୍ଥାନକୁ ଯିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
