war
ମସ୍କୋ: ରୁଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜି ତୃତୀୟ ଦିନରେ ପହଞ୍ଚିଛି। ଶୁକ୍ରବାର ଠାରୁ ୟୁକ୍ରେନ ରାଜଧାନୀ କିଭ୍କୁ ଦଖଲ କରିବା ପାଇଁ ଉଦ୍ୟମ କରୁଥିବା ରୁଷ ଆଜି ନିଜର ଆକ୍ରମଣକୁ ଆହୁରି ଜୋରଦାର କରିଛି। ରାଜଧାନୀ କିଭର ନିକଟବର୍ତ୍ତୀ ଅଞ୍ଚଳ ବୋମା ଓ ଗୁଳିମାଡ଼ରେ ଥରିବାରେ ଲାଗିଛି।
ରୁଷ ସେନା ଆକ୍ରମଣ କରୁଥିଲେ ମଧ୍ୟ ଏହାର ଜବାବ ଦେବାରେ ୟୁକ୍ରେନ କୌଣସି ପ୍ରକାରର ଅବହେଳା କରିନାହିଁ। ଦୁଇ ଦେଶ ମଧ୍ୟରେ ଚାଲିଥିବା ଘମାଘୋଟ ଲଢ଼େଇ ବେଳର ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଶେଲିଂର ଶବ୍ଦ ଓ ଚାରିଆଡ଼େ ବିସ୍ଫୋରଣ ପରେ ସୃଷ୍ଟି ହୋଇଥିବା ପ୍ରବଳ ଧୂଆଁର ଦୃଶ୍ୟ ରହିଛି।
ଏଥିସହ କିଭ୍ରେ ଥିବା ଏକାଧିକ ବଡ଼ବଡ଼ କୋଠା ଓ ପ୍ରତିଷ୍ଠାନ ରକେଟ ମାଡ଼ରେ ଭୁଶୁଡ଼ି ଯାଇଛି। ସେହିପରି କିଛି ଘର ନିଆଁ ଲାଗି ଧ୍ୱଂସ ହୋଇଯାଇଛି। ଚାରିଆଡ଼େ କେବଳ ଆତଙ୍କର ପଦଧ୍ୱନୀ ଦେଖିବାକୁ ମିଳିଛି। ରୁଷ ସେନା ୟୁକ୍ରେନ ରାଜଧାନୀ କିଭ୍ର ପ୍ରିଡିୟମ ସ୍କୋୟେର ଆଡ଼କୁ ଅଗ୍ରସର ହେଉଛି। ଏହି ଅଞ୍ଚଳରେ ୟୁକ୍ରେନର ସଂସଦ ରହିଛି। ତେଣୁ ଏହାକୁ ଯେକୌଣସି ମୁହୂର୍ତ୍ତରେ ରୁଷ ଦଖଲ କରିନେବାର ଆଶଙ୍କା ପ୍ରକାଶ ପାଇଛି।
ଏସବୁ ଭିତରେ ରୁଷ ଆଜି ରାତିରେ ହିଁ କିଭ୍ ଭିତରେ ପ୍ରବେଶ କରିବ ଓ ଏହାକୁ ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଆଜି ରାତି ସମୟରେ କିଭକୁ ଦଖଲ କରିବା ପାଇଁ ରୁଷ ସେନା ଜୋରଦାର ହମଲା କରିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।
ସେ କହିଛନ୍ତି, “ମୁଁ ସବୁ କିଛି ଖୋଲାଖୋଲି ଭାବେ କହିବାକୁ ଚାହେଁ। ଆଜିର ରାତି ଦିନ ଅପେକ୍ଷା ଅଧିକ କଠିନ ପରିସ୍ଥିତି ସୃଷ୍ଟି କରିବ। ଆମ ଦେଶର ଅନେକ ସ୍ଥାନ ଏବେ ଅଣ୍ଡର ଆଟାକ। କିଭ୍ ଉପରେ ସ୍ୱତନ୍ତ୍ର ନଜର ରହିଛି। ଆମେ କେବେ ହେଲେ ଆମ ରାଜଧାନୀକୁ ପଡ଼ୋଶୀ ଦେଶ ହାତରେ ଟେକି ଦେଇପାରିବୁ ନାହିଁ।
ଆମେ ରାଜଧାନୀକୁ ହରାଇ ପାରିବୁ ନାହିଁ। ମୁଁ ଆମର ଡିଫେଣ୍ଡର, ପୁରୁଷ, ମହିଳା ଓ ଅନ୍ୟ ସମସ୍ତ ସାମ୍ମୁଖ୍ୟମାନଙ୍କୁ କହିବାକୁ ଚାହେଁ ଯେ ଆଜି ରାତିରେ ଶତ୍ରୁପକ୍ଷ ତା’ର ସବୁ ବଳ ଖର୍ଚ୍ଚ କରିବ। ସେମାନେ ଅମାନବୀୟ ଢଙ୍ଗରେ ହମଲା କରି ଆମ ପ୍ରତିରୋଧକୁ ଭାଙ୍ଗିବାକୁ ଚେଷ୍ଟା କରିବେ। ଆଜି ରାତିରେ ସେମାନେ ଝଡ଼ ଭଳି ହମଲା କରି କିଭ୍ ଭିତରକୁ ପଶିବେ। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ।”
ଜେଲେନସ୍କି ଶୁକ୍ରବାର ସହାୟତା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ, ଜର୍ମାନ ଚାନସେଲର ଓଲଫ ସ୍କୋଜ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ କଥା ହୋଇଥିବା ସୂଚନା ଦେଇଛନ୍ତି। ସେମାନେ ସମସ୍ତେ ଅଧିକ ପରିମାଣ ସହାୟତା ଓ ସମର୍ଥନ କରିବାକୁ ରାଜି ହୋଇଛନ୍ତି। ଲଢ଼େଇକୁ ଜୋରଦାର କରିବାକୁ ପଡ଼ିବ ବୋଲି ମଧ୍ୟ ଦେଶବାସୀଙ୍କୁ ଭୋଲଦିମିର ଜେଲେନସ୍କି କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/war-3.jpg)