/odisha-reporter/media/post_attachments/uploads/2022/03/Ukriane.jpg1_.jpg)
Ukriane.jpg1
କିଭ୍: ଗୋଟିଏ ପଟେ ରୁଷ ସହ ବୁଝାମଣା କରିବାକୁ ରାଜି ଥିବା କଥା କହୁଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଅନ୍ୟପଟେ ନିଜ କ୍ରୋଧ ମଧ୍ୟ ଜାହିର କରୁଛନ୍ତି। ରୁଷ ୧୪ ଦିନ ହେଲା ୟୁକ୍ରେନର ବିଭିନ୍ନ ସହର ଉପରେ ହମଲା କରି ଏହାକୁ ଧ୍ୱଂସ କରିବାରେ ଲାଗିଛି।
ଛୋଟ ଛୋଟ ପିଲାମାନଙ୍କ ଠାରୁ ଆରମ୍ଭ କରି ମହିଳାମାନେ ରୁଷର ବୋମା ମାଡ଼ରେ ପ୍ରାଣ ହରାଉଛନ୍ତି। ଲକ୍ଷାଧିକ ଲୋକ ମଧ୍ୟ ଜୀବନ ବିକଳରେ ଅନ୍ୟ ଦେଶକୁ ଚାଲି ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଜେଲେନସ୍କି ରୁଷକୁ ଗୋଟିଏ ଆତଙ୍କବାଦୀ ଦେଶ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।
ସେ ବ୍ରିଟେନ ସରକାରଙ୍କୁ ଏପରି ନିବେଦନ କରିଛନ୍ତି। ମଙ୍ଗଳବାର ଜେଲେନସ୍କି ବ୍ରିଟେନ ସଂସଦକୁ ସମ୍ବୋଧନ କରିଥିଲେ। ଏହି ସମୟରେ ସବୁ ସାଂସଦ ତାଙ୍କୁ ଛିଡ଼ା ହୋଇ ସାଧୁବାଦ ଜଣାଇଥିଲେ। ୟୁକ୍ରେନ ବେଶ ସାହାସିକତାର ସହ ରୁଷର ମୁକାବିଲା କରୁଥିବାରୁ ସାଂସଦମାନେ ଜେଲେନସ୍କିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ।
ବ୍ରିଟେନ ସଂସଦକୁ ସେ ୟୁକ୍ରେନର ସ୍ଥିତି ସମ୍ପର୍କରେ ଅବଗତ କରାଇବା ସହ ରୁଷ ବିରୋଧରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଏହି ସମୟରେ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ ସାଂସଦମାନଙ୍କୁ ରୁଷକୁ ଗୋଟିଏ ଆତଙ୍କବାଦୀ ଦେଶର ମାନ୍ୟତା ଦେବାକୁ କହିଛନ୍ତି। ଏଥିସହ ସେ ମସ୍କୋ ଉପରେ ଆହୁରି କଡ଼ା କଟକଣା ଲଗାଇବାକୁ ମଧ୍ୟ ଦାବି କରିଛନ୍ତି। ସେହିପରି ୟୁକ୍ରେନ ଆକାଶକୁ ସୁରକ୍ଷିତ ରଖିବା ପାଇଁ ବ୍ରିଟେନ ସାଂସଦମାନେ ବ୍ୟବସ୍ଥା କରନ୍ତୁ ବୋଲି ଜେଲେନସ୍କି କହିଛନ୍ତି।
ଅନ୍ୟପକ୍ଷରେ କେଏଫସି ଓ ପିଜା ହଟ ରୁଷରେ ତା’ର ବ୍ୟବସାୟକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦୁଇ ଫାଷ୍ଟ ଫୁଡ ଚେନ୍ସର ମୂଳ କମ୍ପାନୀ ୟୁମ ବ୍ରାଣ୍ଡ୍ସ ଆଇଏନସି କହିଛି ଯେ ମାର୍ଚ୍ଚ ୮ରୁ ରୁଷରେ କୌଣସି ପ୍ରକାରର ପୁଞ୍ଜିନିବେଶ କରିବ ନାହିଁ ଓ ସାମୟିକ ଭାବେ ମସ୍କୋରେ ମଧ୍ୟ କମ୍ପାନୀର ରେଷ୍ଟୁରାଣ୍ଟ କାର୍ଯ୍ୟକାରୀ ହେବନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
