କିଭ୍: ‘ନିଜ ପକ୍ଷ ସ୍ପଷ୍ଟ କରୁ ନାଟୋ । ଆମକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ଅଛି ନା ନାହିଁ ସେ ସମ୍ପର୍କରେ ଖୋଲାଖୋଲି କହୁ ନାଟୋ । କାରଣ ନାଟୋ ରୁଷକୁ ଡରୁଛି, ଆଉ ଏହା ହିଁ ପ୍ରକୃତ ସତ । ଏଥିରେ ଲୁଚାଇବାର କିଛି ନାହିଁ ।’ ଦୀର୍ଘ ଦିନ ହେବ ନାଟୋ ସଦସ୍ୟତା ପାଇଁ ଅପେକ୍ଷା କରିଥିବା ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଶୁଣାଇ ଦେଇଛନ୍ତି ଏପରି ଚରମ ବାଣୀ। ନାଟୋକୁ ଦେଇଛନ୍ତି ହଁ, ନା ର ଅପସନ୍। ଏବେ ନାଟୋ ସଦସ୍ୟତା ପାଇଁ ଆଉ ବ୍ୟାକୁଳ ନ ଥିଲେ ମଧ୍ୟ ଦୁନିଆ ସମ୍ମୁଖରେ ନାଟୋ ନିଜ ପକ୍ଷ ସ୍ପଷ୍ଟ କରୁ ବୋଲି ଶୁଣାଇ ଦେଇଛନ୍ତି ଜେଲେନସ୍କି।
ଦିନକୁ ଦିନ ଧ୍ୱସଂସ୍ତୁପରେ ପରିଣତ ହେଉଛି ୟୁକ୍ରେନ୍। ରୁଷର ଆକ୍ରମଣରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ମାଟିରେ ମିଶିବାରେ ଲାଗିଛି। ଏପରି ସ୍ଥିତିରେ ନାଟୋ ସଦସ୍ୟତା ପାଇଁ ଆଉ ବ୍ୟାକୁଳ ନ ଥିବା ଜେଲେନସ୍କି ଶୁଣାଇ ଦେଇଛନ୍ତି କଡ଼ାବାଣୀ। ନାଟୋ ରୁଷକୁ ଡରୁଥିବାରୁ ୟୁକ୍ରେନକୁ ସଦସ୍ୟତା ଦେଉ ନଥିବା ବି କହି ଦେଇଛନ୍ତି। କାରଣ ୟୁକ୍ରେନ ନାଟୋରେ ସାମିଲ ହେଉ ବୋଲି ଚାହୁଁ ନ ଥିବା କିଛି ଦିନ ପୂର୍ବରୁ କହିଥିଲା ରୁଷ ।
ପ୍ରାୟ ୨ ସପ୍ତାହ ପୂର୍ବରୁ ଜେଲେନସ୍କି କହିଥିଲେ ଯେ, ନାଟୋ ସଦସ୍ୟତା ପାଇଁ ଆଉ ବ୍ୟାକୁଳ ନ ଥିବା ବେଳେ ଏଥିନିମନ୍ତେ କୌଣସି ଚାପ ମଧ୍ୟ ପ୍ରୟୋଗ କରୁନାହୁଁ। ହେଲେ ପ୍ରାୟ ୨୭ ଦିନ ହେବ ଜାରି ରହିଥିବା ରୁଷର ଜୋରଦାର ଆକ୍ରମଣ ଯୋଗୁ ମାଟିରେ ମିଶିଗଲାଣି ୟ୍ରୁକ୍ରେନର ବର୍ଷ ବର୍ଷର ଐତିହ୍ୟ।
ମୁଁ ଗତ ୨ ବର୍ଷ ହେଲେ ପୁଟିନଙ୍କ ସହ କଥା ହେବା ପାଇଁ ଇଚ୍ଛୁକ ଅଛି। ଯେଉଁଠାରେ ବୁଝାମଣା ହୁଏ, ଯେଉଁଠାରେ ଯୁଦ୍ଧର ଅନ୍ତ ହୁଏ। ହେଲେ ବୁଝାମଣା ବିଫଳ ହେଲେ ତୃତୀୟ ବିଶ୍ୱ ଯୁଦ୍ଧ ଅବଶ୍ୟମ୍ଭାବୀ ବୋଲି କିଛି ଦିନ ପୂର୍ବରୁ ଏକ ସାକ୍ଷାତକାରରେ କହିଥିଲେ ଜେଲେନସ୍କି।
ୟୁକ୍ରେନର ମାରିୟୁପୁଲ୍ ସହରକୁ ନିଜ ଅକ୍ତିଆରକୁ ନେବାକୁ ରୁଷ ସେନା ଆକ୍ରମଣକୁ ଜୋରଦାର କରି ଦେଇଥିବା ବେଳେ ଆତ୍ମସମର୍ପଣ ପାଇଁ ମନା କରି ସାରିଛି ୟୁକ୍ରେନ ସେନା। ଏପରିକି ଅସ୍ତ୍ର ଛାଡ଼ି ସୁରକ୍ଷିତ ଭାବେ ମାରିୟୁପୁଲରୁ ବାହାରି ଯିବାକୁ ରୁଷ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଥିଲା ୟୁକ୍ରେନ ସେନା। ମାରିୟୁପୁଲ ଛାଡ଼ିବୁନି ବୋଲି ୟ୍ରୁକ୍ରେନ ସେନା ଖୋଲାଖୋଲି କହିବା ପରଠୁ ମାରିୟୁପୁଲ ଉପରେ ଆକ୍ରମଣକୁ ରୁଷ ଜୋରଦାର କରି ଚାଲିଛି। ଏବେ କିଭ୍ ଅକ୍ତିଆର କରିବାକୁ ସଜବାଜ ହେଲାଣି ରୁଷ ।
କିଭ୍ର ଜନଗହଳିପୂର୍ଣ୍ଣ ପୋଡିଲ ଜିଲ୍ଲାରେ ରୁଷ ସେନାର ବୋମମାଡ଼ ଯୋଗୁ ଏକ ଶପିଙ୍ଗ ମଲ୍ ମାଟିରେ ମିଶି ଯାଇଛି। ଏଥିରେ ୮ରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ରୁଷୀ ସେନା ୟୁକ୍ରେନର ଏକ କଳା ବିଦ୍ୟାଳୟ ଉପରେ ବୋମା ମାଡ଼ କରିଥିବା ବେଳେ ତାହା ତଳେ ୪ଶହରୁ ଅଧିକ ଲୋକ ଚାପି ହୋଇ ଯାଇଥିବା କହିଛନ୍ତି ଜେଲେନସ୍କି । ସେମାନଙ୍କ ମଧ୍ୟରୁ କେତେ ଜଣ ଜୀବିତ ରହିଛନ୍ତି, ଆମେ ଜାଣି ନ ଥିବା ବେଳେ ଉଦ୍ଧାର କାମ ଚାଲୁ ରଖିଛୁ ବୋଲି କହିଛନ୍ତି ।