ଆଜି ଦେଇଥାନ୍ତେ ମାଟ୍ରିକ ପରୀକ୍ଷା, ତା’ ପୂର୍ବରୁ ନଦୀରେ ବୁଡ଼ିଗଲେ ୪ ସାଙ୍ଗ

ଗତକାଲି ସନ୍ଧ୍ୟାରେ ୪ ସାଙ୍ଗ ହସଖୁସିରେ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସେଠାରେ ଗାଧୋଇବା କାଳ ହେଲା, ଆଉ ସମସ୍ତେ ନଦୀରେ ବୁଡ଼ିଗଲେ।

representation image

  • Published: Wednesday, 21 February 2024
  • , Updated: 21 February 2024, 08:10 AM IST

ଆଜିଠୁ ଦେଇଥାନ୍ତେ ମାଟ୍ରିକ ବୋର୍ଡ ପରୀକ୍ଷା। ଏହା ପୂର୍ବରୁ ଗତକାଲି ସନ୍ଧ୍ୟାରେ ୪ ସାଙ୍ଗ ହସଖୁସିରେ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ସେଠାରେ ଗାଧୋଇବା କାଳ ହେଲା, ଆଉ ୪ ଜଣ ଯାକ ନଦୀରେ ବୁଡ଼ିଗଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ଜଣଙ୍କ ପତ୍ତା ମିଳୁନି।

ଏପରି ଏକ ଦୁଃଖଦ ଘଟଣା ଦିଲ୍ଲୀର ବୁରାଡି ଥାନା ଅଞ୍ଚଳରେ ଗତ ସନ୍ଧ୍ୟାରେ ଘଟିଛି। ୪ ସାଙ୍ଗ ହେଲେ ଆଦିତ୍ୟ ରାୱତ, ଶିବମ ଯାଦବ, ରମନ ଓ ଉଦୟ ଆର୍ଯ୍ୟ । ସମସ୍ତ ଛାତ୍ରଙ୍କ ବୟସ ୧ରୁ ୧୭ ବର୍ଷ ହୋଇଥିବା ବେଳେ ସେମାନେ ଦଶମ ଶ୍ରେଣୀର ଛାତ୍ର ଥିଲେ। ଆଜିଠୁ ସେମାନେ ବୋର୍ଡ ପରୀକ୍ଷା ଦେଇଥାନ୍ତେ।

ଏହା ପୂର୍ବରୁ ଗତ ସନ୍ଧ୍ୟାରେ ୪ ସାଙ୍ଗ ନିକଟସ୍ଥ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ପାଣି ଭିତରେ ଗୋଡ଼ ଖସିଯିବାରୁ ଜଣକ ପରେ ଜଣେ ସମସ୍ତେ ବୁଡ଼ି ଯାଇଥିଲେ।

ଖବର ପାଇ ପୁଲିସ୍‌ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗତ ରାତି ସୁଦ୍ଧା ୩ ମୃତଦେହ ଉଦ୍ଧାର ହୋଇ ଯାଇଛି। ମାତ୍ର ଅନ୍ଧାର ହେତୁ ରେସକ୍ୟୁ ଅପରେସନ ଗତ ରାତିରେ ଅଧାରେ ବନ୍ଦ କରାଯାଇଥିବା ବେଳେ ଆଜି ପୁଣି ଥରେ ଆରମ୍ଭ ହେବ ।

ସମସ୍ତ ମୃତକଙ୍କ ପରିବାର ସଦସ୍ୟ ସୂଚନା ପାଇ ନଦୀ କୂଳରେ ପହଞ୍ଚିଥିବା ବେଳେ ଘଟଣାସ୍ଥଳ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା। ୩ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ବେଳେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story