Advertisment

ବେଙ୍ଗଲ ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ: ୪.୧୫ ସୁଦ୍ଧା ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କର

ଇଡି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଶାହଜାହାଁ ଗିରଫ ହୋଇ ବେଙ୍ଗଲ ପୁଲିସ୍‌ର ହେପାଜତରେ ଅଛନ୍ତି। ବେଙ୍ଗଲ ସିଆଇଡି ଘଟଣାର ତଦନ୍ତ କରୁଛି।

author-image
Hemant Lenka
Sheikh Shahjahan

Sheikh Shahjahan

ପୁଣିଥରେ ପଶ୍ଚିମବଙ୍ଗ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଆଜି ଅପରାହ୍ନ ୪.୧୫ ସୁଦ୍ଧା ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଇଡି ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ଶାହଜାହାଁ ଗିରଫ ହୋଇ ବେଙ୍ଗଲ ପୁଲିସ୍‌ର ହେପାଜତରେ ଅଛନ୍ତି। ବେଙ୍ଗଲ ସିଆଇଡି ଘଟଣାର ତଦନ୍ତ କରୁଛି।ତେବେ ମଙ୍ଗଳବାର ହାଇକୋର୍ଟ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ପୁଲିସ୍‌କୁ କହିଥିଲେ। କିନ୍ତୁ ବେଙ୍ଗଲ ସରକାର କିମ୍ବା ପୁଲିସ୍‌ କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କରି ନଥିଲେ।

ଏପରି ଆଚରଣ ବିରୋଧରେ ସିବିଆଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ବେଙ୍ଗଲ ସରକାରଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚଳାଇବାକୁ ସିବିଆଇ ଦାବି କରିଥିଲା।

Advertisment

ସିବିଆଇ କହିଥିଲା ଯେ ବେଙ୍ଗଲ ସିଆଇଡି ମଙ୍ଗଳବାର ହାଇକୋର୍ଟ ଦେଇଥିବା ରାୟକୁ ଅନୁପାଳନ କରି ନାହିଁ। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଶାହଜାହାଁଙ୍କୁ ସିଆଇଡି ପକ୍ଷରୁ ସିବିଆଇକୁ ହସ୍ତାନ୍ତର କରାଯାଇ ନାହିଁ ବୋଲି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା କହିଥିଲା।

ନିଜ ଅଧିକାରୀଙ୍କୁ କରାଯାଇଥିବା ଆକ୍ରମଣ ଘଟଣାରେ ଇଡି ହିଁ ପ୍ରଥମେ ସିବିଆଇ ତଦନ୍ତ ଦାବି କରି କୋର୍ଟରେ ପହଞ୍ଚିଥିଲା। ମଙ୍ଗଳବାର ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ସହ ଶାହଜାହାଁଙ୍କୁ ହସ୍ତାନ୍ତର କରିବାକୁ କହିଥିଲେ।

ଇଡି ପକ୍ଷରୁ ଆଡିସିନାଲ ସଲିସିଟର ଜେନେରାଲ(ଏଏସଜି) ଏସ୍‌ଭି ରାଜୁ ଆଜି ହାଇକୋର୍ଟଙ୍କୁ କହିଛନ୍ତି ଯେ ଶାହଜାହାଁଙ୍କୁ ବେଙ୍ଗଲ ସରକାର ସିବିଆଇକୁ ହସ୍ତାନ୍ତର କରି ନାହାନ୍ତି। ହସ୍ତାନ୍ତର କରିବା ବଦଳରେ ବେଙ୍ଗଲ ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି।

ହାଇକୋର୍ଟ ନିର୍ଦ୍ଦେଶରେ ଏଯାଏ ରୋକ ଲାଗିନାହିଁ। ତେଣୁ ଏହା ଏକ ଅଦାଲତ ଅବମାନନା ମାମଲା। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଅପେକ୍ଷା କରାଯାଇ ପାରିବ ନାହିଁ ବୋଲି ରାଜୁ କହିଛନ୍ତି।

ସିବିଆଇ ପାଇଁ ଯୁକ୍ତି ରଖୁଥିବା ଓକିଲ କହିଥିଲେ ଯେ ତଦନ୍ତକାରୀ ସଂସ୍ଥା ହାଇକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ ବେଙ୍ଗଲର ସମସ୍ତ ଅଧିକାରୀଙ୍କୁ ଜଣାଇଛି। ଡିଜିପି, ମୁଖ୍ୟ ଶାସନ ସଚିବ, ଅତିରିକ୍ତ ଡିଜି ଓ ସିଆଇଡିକୁ ମଧ୍ୟ ଚିଠି କରାଯାଇଛି।

ଏହାର ଜବାବରେ ଡିଜିପି ଦେଇଥିବା ଚିଠିରେ କହିଛନ୍ତି ଯେ ମାମଲା ଏବେ ସୁପ୍ରିମକୋର୍ଟରେ ରହିଛି। ତେଣୁ ମାମଲା ଉପରେ ରାୟ ଆସିବା ଯାଏ ସିବିଆଇ ଅପେକ୍ଷା କରୁ। ଏହା କେଉଁ ପ୍ରକାରର ବିବୃତି ବୋଲି ସିବିଆଇ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି।

ଏହା ଶୁଣିବା ପରେ ହାଇକୋର୍ଟ ଦିନ ୪.୧୫ ସୁଦ୍ଧା ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ବେଙ୍ଗଲ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

West Bengal CBI Sheikh Shahjahan